୧ ଲକ୍ଷ କୋଟି ଟଙ୍କା ପାର୍‌ କରିଛି ଜିଏସ୍‌ଟି ରାଜସ୍ୱ ଆୟ

0

ନୂଆଦିଲ୍ଲୀ: ପୁଣି ୧ ଲକ୍ଷ କୋଟି ଟଙ୍କା ପାର୍‌ କରିଛି ଜିଏସ୍‌ଟି ରାଜସ୍ୱ ଆୟ । ଚଳିତବର୍ଷ ଜୁଲାଇ ମାସରେ ମୋଟ ୧,୧୬,୩୯୩ କୋଟି ଟଙ୍କାର ଜିଏସ୍‌ଟି ରାଜସ୍ୱ ସଂଗ୍ରହ ହୋଇଛି । କୋଭିଡ ମହାମାରୀ କାରଣରୁ ଚଳିତବର୍ଷ ଜୁନ୍‌ ମାସରେ ୯୨,୮୪୯ କୋଟି ଟଙ୍କା ଆୟ ହୋଇଥିଲା । ପୂର୍ବବର୍ଷ ସମାନ ମାସ ତୁଳନାରେ ଚଳିତବର୍ଷ ଜୁଲାଇରେ ଜିଏସ୍‌ଟି ଆୟ ୩୩% ଅଧିକ ହୋଇଛି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର ପ୍ରକାଶିତ ତଥ୍ୟରୁ ଏହା ଜଣାପଡ଼ିଛି ।

ରିପୋର୍ଟ ମୁତାବକ ଜୁଲାଇରେ ଆଦାୟ ହୋଇଥିବା ୧,୧୬,୩୯୩ କୋଟି ଟଙ୍କାର ଜିଏସ୍‌ଟିରେ ୨୨,୧୯୭ କୋଟି ଟଙ୍କାର ସିଜିଏସଟି, ୨୮,୫୪୧ କୋଟି ଟଙ୍କାର ଏସଜିଏସଟି, ୫୭,୮୬୪ କୋଟି ଟଙ୍କାର ଆଇଜିଏସଟି (ଉତ୍ପାଦ ଆମଦାନି ଉପରେ ସଂଗୃହୀତ ୨୭,୯୦୦ କୋଟି ଟଙ୍କାକୁ ମିଶାଇ) ଏବଂ ୭,୭୯୦ କୋଟି ଟଙ୍କାର ସେସ୍‌ (ଉତ୍ପାଦ ଆମଦାନି ଉପରେ ଆଦାୟ ହୋଇଥିବା ୮୧୫ କୋଟି ଟଙ୍କାକୁ ମିଶାଇ) ଅନ୍ତର୍ଭୁକ୍ତ ।

ମାସିକ ଜିଏସଟି ସଂଗ୍ରହ ଲଗାତର ୮ ମାସ ପାଇଁ ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରୁଥିଲା ବେଳେ ଚଳିତବର୍ଷ ଜୁନରେ ଏହା ୧ ଲକ୍ଷ କୋଟି ଟଙ୍କା ତଳକୁ (୯୨,୮୪୯ କୋଟି ଟଙ୍କା) ଖସିଥିଲା । କାରଣ ୨୦୨୧ ଜୁନ ମାସ ପାଇଁ ଆଦାୟ ହେଉଥିବା ଜିଏସଟି ରାଜସ୍ୱ ଆଦାୟ ମୁଖ୍ୟତଃ ୨୦୨୧ ମେ ମାସ ସହ ଜଡ଼ିତ ଥାଏ, କିନ୍ତୁ କୋଭିଡ ମହାମାରୀର ଦ୍ୱିତୀୟ ଲହର ଯୋଗୁ ମେ ମାସରେ ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଲକ୍‌ଡାଉନ୍‌ ଲାଗୁ କରିଥିଲେ । ତେବେ କୋଭିଡ କଟକଣା କୋହଳ ହେବା ଯୋଗୁ ୨୦୨୧ ଜୁଲାଇ ମାସ ନିମନ୍ତେ ଜିଏସଟି ଆୟ ପୁଣି ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଘରୋଇ ଅର୍ଥନୀତି ଦ୍ରୁତି ଗତିରେ ସୁଧୁରିବାରେ ଲାଗିଛି । ସେହି ଦୃଷ୍ଟିରୁ ଆଗାମୀ ମାସଗୁଡ଼ିକରେ ମଧ୍ୟ ମୋଟା ଅଙ୍କର ଜିଏସଟି ରାଜସ୍ୱ ସଂଗ୍ରହ ହେବ ବୋଲି ଆଶା କରାଯାଉଛି ।

କେନ୍ଦ୍ର ସରକାର ନିୟମିତ ସମାଧାନ ସ୍ୱରୂପ ଆଇଜିଏସଟିରୁ ସିଜିଏସଟିକୁ ୨୮,୦୮୭ କୋଟି ଓ ଏସଜିଏସଟିକୁ ୨୪,୧୦୦ କୋଟି ଟଙ୍କା ଥଇଥାନ କରିଛନ୍ତି । ୨୦୨୧ ଜୁଲାଇ ମାସ ନିମନ୍ତେ ଉଦ୍ଦିଷ୍ଟ ନିୟମିତ ଥଇଥାନ ମଧ୍ୟରେ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ମୋଟ ରାଜସ୍ୱ ସିଜିଏସଟି ପାଇଁ ୫୦,୨୮୪ କୋଟି ଟଙ୍କା ଓ ଏସଜିଏସଟି ନିମନ୍ତେ ୫୨,୬୪୧ କୋଟି ଟଙ୍କା ରହିଛି ।

୨୦୨୧ ଜୁଲାଇ ମାସ ନିମନ୍ତେ ସଂଗ୍ରହ ହୋଇଥିବା ରାଜସ୍ୱ ପରିମାଣ ଗତବର୍ଷ ସମାନ ମାସରେ ଆଦାୟ ହୋଇଥିବା ଜିଏସଟି ରାଜସ୍ୱଠାରୁ ୩୩% ଅଧିକ । ଏହି ସମୟରେ ଉତ୍ପାଦ ଆମଦାନିରୁ ହାସଲ ହୋଇଥିବା ରାଜସ୍ୱ ୩୬% ଅଧିକ ହୋଇଥିବା ବେଳେ ଘରୋଇ ନେଣଦେଣ (ସେବା ଆମଦାନି ସମେତ)ରୁ ଆଦାୟ ହୋଇଥିବା ରାଜସ୍ୱ ପରିମାଣ ଗତବର୍ଷ ସମାନ ମାସରେ ଉକ୍ତ ଉତ୍ସରୁ ଆସିଥିବା ରାଜସ୍ୱ ତୁଳନାରେ ୩୨% ଅଧିକ ହୋଇଥିବା ଜଣାପଡ଼ିଛି ।
୨୦୨୧ ଜୁଲାଇରେ ଓଡ଼ିଶାରେ ଜିଏସଟି ଆଦାୟ ୫୪% ବୃଦ୍ଧି ପାଇଛି । ୨୦୨୦ ଜୁଲାଇରେ ୨,୩୪୮ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିଲା ବେଳେ ୨୦୨୧ ଜୁଲାଇରେ ଏହା ୩,୬୧୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.