୧୦ ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି ଘଟଣା

0

ଭୁବନେଶ୍ୱର: ରାଜଧାନୀରେ ୧୦ ଦିନର ଶିଶୁକୁ ୧୦ ହଜାର ଟଙ୍କାରେ ବିକ୍ରି ଘଟଣାର ଦିନକ ପରେ ଶିଶୁପୁତ୍ରର ସନ୍ଧାନ ମିଳିଛି । ଖାରବେଳ ନଗର ମସ୍‌ଜିଦ୍‌ କଲୋନିର ଜଣେ ମହିଳାଙ୍କ ନିକଟରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ନିଶା ସେବନ ପାଇଁ ଟଙ୍କା ଲୋଭରେ ବାପା ଶିଶୁପୁତ୍ର ବିକିଥିବା ନେଇ ସମ୍ପୃକ୍ତ ମହିଳା ବୟାନ ଦେଇଛନ୍ତି ।

 

ଶନିବାର ଖାରବେଳ ନଗର ଥାନା ପୁଲିସ ସହଯୋଗରେ ଚାଇଲ୍ଡ ଲାଇନ୍‌ ପକ୍ଷରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଶିଶୁପୁତ୍ରକୁ କିଣିଥିବା ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚାଲିଛି । ମହିଳା ଜଣକ ହେଲେ ସୁମେଦୁନ୍‌ ବିବି । ସେ ପୁଲିସ ସାମ୍ନାରେ ଶିଶୁପୁତ୍ର କିଣିଥିବା ସ୍ୱୀକାର କରିଛନ୍ତି । ସେ ବୟାନ ଦେଇଛନ୍ତି ଯେ ମାଷ୍ଟରକ୍ୟାଣ୍ଟିନ ଛକରେ କିଛି ବନ୍‌ଜାରା ରହୁଛନ୍ତି । ସେହି ରାସ୍ତାରେ ୨ ଦିନ ତଳେ ଯିବା ବେଳେ ଶିଶୁପୁତ୍ରଟି ଖୋଲାରେ ପଡି଼ଥିଲା । ଶିଶୁପୁତ୍ରର ବାପା ନିଶାରେ ଚୁର୍‌ ହୋଇ ପାଖ ଚଟାଣରେ ଚିତ୍‌ ପଟାଙ୍ଗ ମାରୁଥିଲା । ପିଲାଟି ବାବଦରେ ପଚାରିବାରୁ ବାପା କହିଲା ଯେ ୟେ ପିଲାକୁ ମୁଁ ପାଳି ପାରିବିନି । ୟାକୁ ତୁ ନେଇ ଯା, ପାଳିବୁ । କିନ୍ତୁ ମଦ ପିଇବା ପାଇଁ ମତେ ୧୦ ହଜାର ଟଙ୍କା ଦେ ।

 

ଚାଇଲ୍ଡ ଲାଇନ୍‌ ନିର୍ଦ୍ଦେଶକ ବେଣୁଧର ସେନାପତି କହିଛନ୍ତି, ମାତ୍ର ୧୦ ହଜାର ଟଙ୍କା ପାଇଁ ୧୦ ଦିନର ଶିଶୁପୁତ୍ରକୁ ବିକିବାକୁ ପଛାଇ ନାହିଁ ବାପା । ଶିଶୁଟିକୁ ଉଦ୍ଧାର ପରେ ସୁଭଦ୍ରା ମହତାବ୍‌ ସେବା ସଦନ ନାମକ ସ୍ପେଶାଲ ଆଡପ୍ସନ ସେଣ୍ଟରକୁ ପଠାଯାଇଛି । ଗତକାଲିର ଭିଡିଓ ଭାଇରାଲ୍‌ ପରେ ଘଟଣାକୁ ଗୁରୁତର ସହ ନିଆଯାଇଥିଲା । ଏନେଇ ଭୁବନେଶ୍ୱର ପୁଲିସ ଡିସିପି ଓ ଜୋନ୍‌ ୧ ଏସିପିଙ୍କୁ ତଦନ୍ତ ପାଇଁ କୁହାଯାଇଥିଲା । ତଦନ୍ତ ପାଇଁ ଖାରବେଳ ନଗର ଥାନା ପୁଲିସ ଏକ ଟିମ୍‌ ଗଢ଼ିଥିଲା । ଆଜି ମାଳିସାହି ନିକଟରୁ ପିଲାଟିକୁ ଉଦ୍ଧାର କରିଥିଲା ।

Leave A Reply

Your email address will not be published.