ମୁମ୍ବାଇ : ମୁମ୍ବାଇର ମହା ନଗରପାଳିକା କମିଶନର ଇକବାଲ୍ ସିଂହ ଚହଲ ସହର ପାଇଁ ଏକ ଭୟଙ୍କର ଭବିଷ୍ୟବାଣୀ କରିଛନ୍ତି। ବିଭିନ୍ନ ସମୟରେ ମୁମ୍ବାଇ ସହର ଜଳମଗ୍ନ ହୋଇଯିବା ନେଇ ଦାବି ହୋଇ ଆସୁଥିବା ବେଳେ ବିଏମସି କମିଶନର କହିଛନ୍ତି, ୨୦୫୦ ବେଳକୁ ନରୀମନ ପଏଣ୍ଟ ଜିଲ୍ଲା ଏବଂ ରାଜ୍ୟ ସଚିବାଳୟ ସହିତ ଦକ୍ଷିଣ ମୁମ୍ବାଇର ଏକ ବଡ଼ ଅଂଶ ସମୁଦ୍ରରେ ଲୀନ ହୋଇଯିବ।
ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ଦ୍ବାରା ଶୁକ୍ରବାର ଜଳବାୟୁ କାର୍ଯ୍ୟ ଯୋଜନା ଏବଂ ଓ୍ବେବସାଇଟ୍ ଉଦଘାଟନ ଅବସରରେ ଚହଲ କହିଛନ୍ତି, ଦକ୍ଷିଣ ମୁମ୍ବାଇର ଏ, ବି, ସି ଏବଂ ଡି ଓ୍ବାର୍ଡର ୭୦ ପ୍ରତିଶତ ଅଂଶ ଜଳବାୟୁ ପରିବର୍ତ୍ତନ ହେତୁ ଜଳମମ୍ନ ହୋଇଯିବ। ଏହାସହ ସେ ଆହୁରି କହିଛନ୍ତି, ପ୍ରକୃତି ବାରମ୍ବାର ଚେତାବନୀ ଦେଉଛି। ଏହା ପରେ ଯଦି ଲୋକେ ସଜାଗ ନହେବେ ତେବେ ସ୍ଥିତି ଭୟଙ୍କର ହେବା ସୁନିଶ୍ଚିତ। କଫ୍ ପରେଡ୍, ନରୀମନ ପଏଣ୍ଟ ଏବଂ ମନ୍ତ୍ରାଳୟ ଭଳି ୮୦ ପ୍ରତିଶତ ଅଞ୍ଚଳ ପାଣିରେ ଡୁବି ଯିବ। ଏହାର ଅର୍ଥ ଏହି ସବୁ ଅଞ୍ଚଳ ଗାଏବ ହୋଇଯିବ।
ବିଏମସି କମିଶନର କହିଛନ୍ତି, ଆଉ କେବଳ ୨୫-୩୦ ବର୍ଷର କଥା କାରଣ ୨୦୫୦ ବେଶୀ ଦୂର ନାହିଁ। ଏହା ଦ୍ବାରା ଆଗାମୀ ପିଢ଼ି ନୁହେଁ ବରଂ ବର୍ତ୍ତମାନ ବସବାସ କରୁଥିବା ଲୋକମାନେ ମଧ୍ୟ ପରିଣାମ ଭୋଗିବେ ବୋଲି ସେ କହିଛନ୍ତି। ଗତବର୍ଷ ୧୨୯ ବର୍ଷ ପରେ ବାତ୍ୟା ମୁମ୍ବାଇକୁ ଆସିଥିଲା। ଏହା ପରେ ଗତ ୧୫ ମାସରେ ୩ ଥର ବାତ୍ୟା ଆସିଛି। ତାପରେ ୫ ଅଗଷ୍ଟ ୨୦୨୦ରେ ନରୀମନ ପଏଣ୍ଟରେ ପାଖାପାଖି ୫ରୁ ୫.୫ ଫୁଟ୍ ପାଣି ଜମା ହୋଇଯାଇଥିଲା ବୋଲି ଇକବାଲ ସିଂହ ଚହଲ କହିଛନ୍ତି।
ଏହା ସହ ସେ ଆହୁରି କହିଛନ୍ତି, ‘ମୁମ୍ବାଇ ବାତ୍ୟା ତାଉତେକୁ ସାମ୍ନା କରିଥିଲା ଏବଂ ୧୭ ମେ’ରେ ୨୧୪ ମିମି ବର୍ଷା ହୋଇଥିଲା କିନ୍ତୁ ଏଠାରେ ମୋସୁମୀ ୬ କିମ୍ବା ୭ ଜୁନ୍ରେ ଆସେ।’