୨୧ ବର୍ଷ ଧରି ଆଇନ ଲଢ଼େଇ ଲଢୁଥିବା ପତି-ପତ୍ନୀଙ୍କୁ ଏକାଠି କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ଦୀର୍ଘ ୨୧ ବର୍ଷ ଧରି ପରସ୍ପର ବିରୋଧରେ ଆଇନ ଲଢ଼େଇ ଲଢ଼ି ଆସୁଥିବା ଏକ ଦମ୍ପତ୍ତିଙ୍କୁ ଶେଷରେ ବୁଝାଇସୁଝାଇ ଏକାଠି କରିପାରିଛନ୍ତି ସୁପ୍ରିମକୋର୍ଟ। ଦମ୍ପତ୍ତିଙ୍କୁ ବୁଝାଇବାରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ନ୍ୟାୟାଧୀଶ (ସିଜେଆଇ) ଏନ.ଭି.ରମଣାଙ୍କ ଉଦ୍ୟମ ଉଲ୍ଲେଖନୀୟ। ସିଜେଆଇଙ୍କ ପରାମର୍ଶରେ ଯୌତୁକ ନିର୍ଯାତନା ମାମଲାରେ କୋର୍ଟଙ୍କ ଦ୍ୱାରା ସ୍ୱାମୀଙ୍କ ଜେଲଦଣ୍ଡାଦେଶ ବଢାଇବା ଲାଗି ପତ୍ନୀ କରିଥିବା ଆବେଦନ ଫେରାଇ ନେବାକୁ ସହମତ ହୋଇଛନ୍ତି। ତେବେ ଏହା ପୂର୍ବରୁ ଦମ୍ପତ୍ତିଙ୍କ ମଧ୍ୟରେ ବୁଝାମଣା ଲାଗି ମଧ୍ୟସ୍ଥିଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା।

 

ସିଜେଆଇ ଏନ.ଭି.ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ସେମାନଙ୍କ ମାମଲାର ଶୁଣାଣି କରୁଥିଲେ। ଏଥିରେ ନିଜ ସମ୍ମୁଖରେ ଦମ୍ପତ୍ତିଙ୍କୁ ଭିଡିଓ କନଫରେନସିଂରେ ମିଳିତ ଆଲୋଚନା ଲାଗି ମୁଖ୍ୟନ୍ୟାୟାଧୀଶ ବ୍ୟବସ୍ଥା କରାଇପାରିଥିବା ବେଳେ ପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ମଧ୍ୟ ଉପସ୍ଥିତ ଥିଲେ। ତେବେ ଆବେଦନକାରୀ ମହିଳା ଶୀର୍ଷ ନ୍ୟାୟାଳୟଙ୍କ ଇଂରାଜୀରେ କାର୍ଯ୍ୟକୁ ନେଇ ପ୍ରଥମେ ଅସହଜ ଥିଲେ। ଏହା ଅନୁଭବକରି ମୁଖ୍ୟନ୍ୟାୟାଧୀଷ ଜଷ୍ଟିସ୍ ରମଣା ମହିଳାଙ୍କ ସହ ତାଙ୍କ ମାତୃଭାଷା ତେଲଗୁରେ ଆଳାପ କରିବା ସହ ମହିଳା ଯାହା କହୁଥିଲେ ସାଥୀ ନ୍ୟାୟାଧୀଶଙ୍କୁ ବୁଝାଇ ଦେଉଥିଲେ।

ସ୍ୱାମୀଙ୍କ ଜେଲ ମିଆଦ ବୃଦ୍ଧି ଲାଗି ଆବେଦନ କରିଥିବା ମହିଳାଙ୍କୁ ମୁଖ୍ୟ ନ୍ୟାୟାଧୀଶ ଯଦି ତାଙ୍କ ଆବେଦନ ଗୃହୀତ ହୁଏ ତେବେ ତାଙ୍କୁ ସ୍ୱାମୀଙ୍କ ପକ୍ଷରୁ ମିଳୁଥିବା ମାସିକ ଭତ୍ତା ମଧ୍ୟ ବନ୍ଦ ହୋଇଯିବ ବୋଲି କହିଥିଲେ। କାରଣ ତାଙ୍କ ସ୍ୱାମୀ ଜେଲକୁ ଚାଲିଗଲେ ତାଙ୍କ ଚାକିରୀ ମଧ୍ୟ ହରାଇବେ। ଆନ୍ଧ୍ରପ୍ରଦେଶ ସରକାରଙ୍କ ଅଧୀନରେ କର୍ମଚାରୀ ତଥା ଗୁଣ୍ଟୁରରେ ମୁତୟନ ମହିଳାଙ୍କ ସହ ତାଙ୍କ ସ୍ୱାମୀଙ୍କ ସମ୍ପର୍କରେ ମୁଖ୍ୟନ୍ୟାୟାଧୀଶ ତେଲଗୁରେ ଆଲୋଚନା କରିଥିଲେ। ଏଥିରେ ବର୍ତ୍ତମାନର ଆଇନ ପରିସ୍ଥିତି ନେଇ ମହିଳାଙ୍କୁ ବିସ୍ତୃତ ବୁଝାଇଥିଲେ ବୋଲି ସ୍ୱାମୀଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଓକିଲ ଡି.ରାମକୃଷ୍ଣ କହିଛନ୍ତି।

 

ଏଥିରେ ସ୍ୱାମୀଙ୍କ ଜେଲ ଅବଧି ବଢିଲେ ଦମ୍ପତ୍ତିଙ୍କର କୌଣସି ଲାଭ ଦେଖୁନଥିବା ସିଜେଆଇ କହିଥିଲେ। ମହିଳା ଶାନ୍ତିର ସହ ପ୍ରଧାନ ନ୍ୟାୟାଧୀଶଙ୍କ କଥା ବୁଝିଥିଲେ ଓ ଶେଷରେ ସ୍ୱାମୀଙ୍କ ସହ ରହିବାକୁ ରାଜି ହୋଇଥିଲେ। ତେବେ ମହିଳା ଓ ତାଙ୍କର ଏକମାତ୍ର ପୁତ୍ରର ପାଳନ ପୋଷଣରେ ଯେପରି ସମ୍ପୃକ୍ତ ବ୍ୟକ୍ତି କୌଣସି ପ୍ରକାରର ଅବହେଳା ନ କରନ୍ତି ସେଥିଲାଗି କୋର୍ଟ ମହିଳାଙ୍କ ସ୍ୱାମୀଙ୍କ ଆଗରେ ସର୍ତ୍ତ ମଧ୍ୟ ରଖିଥିଲେ। ଯେଉଁଥିରେ ସେ ରାଜି ହୋଇଯାଇଛନ୍ତି।

ଏଥିରେ ସିଜେଆଇ ଦମ୍ପତ୍ତିଙ୍କୁ ଆଗମୀ ଦୁଇ ସପ୍ତାହ ମଧ୍ୟରେ ଦୁଇ ଜଣ ପୃଥକ ସତ୍ୟପାଠ ଦାଖଲ କରିବା ଲାଗି ପରାମର୍ଶ ଦେଇଛନ୍ତି। ଏଥିରେ ସେମାନେ ପୁଣି ଏକାଠି ରହିବାକୁ ସହମତ ବୋଲି ସ୍ପଷ୍ଟ ଉଲ୍ଲେଖ କରିବା ସହ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ କରିଥିବା ଆବେଦନ ପ୍ରତ୍ୟାହାର କରିବାକୁ ଚାହାନ୍ତି ଓ ମହିଳା ସ୍ୱାମୀଙ୍କ ବିରୋଧରେ ଆଣିଥିବା ଯୌତୁକ ନିର୍ଯାତନା ଅଭିଯୋଗ ପ୍ରତ୍ୟାହାର କରିବାକୁ ସହମତ ବୋଲି ଉଲ୍ଲେଖ କରିବାକୁ ମଧ୍ୟ ଉଭୟଙ୍କୁ ପରାମର୍ଶ ଦେଇଛନ୍ତି।

 

ଉଲ୍ଲେଖ ଯୋଗ୍ୟଯେ ଏହି ଦମ୍ପତ୍ତି ୧୯୮୮ ମସିହାରେ ବିବାହ କରିଥିଲେ। ତେବେ ସେମାନଙ୍କ ପାରିବାରିକ ଜୀବନ ବେଶି ସମୟ ଚାଲିପାରିନଥିଲା। ମହିଳା ୨୦୦୧ ମସିହାରେ ସ୍ୱାମୀଙ୍କ ବିରୋଧରେ ଆଇନର ଦ୍ୱାରସ୍ଥ ହୋଇଥିବା ବେଳେ ଅପରାଧିକ ଧାରାରେ ମୋକଦ୍ଦମା ରୁଜୁ କରିଥିଲେ। ସେମାନଙ୍କ ପାରିବାରିକ ସମସ୍ୟାର ସମାଧାନ ଲାଗି ବିଚାର ପ୍ରକ୍ରିୟାର ପ୍ରତ୍ୟେକ ସ୍ତରରେ ସେମାନଙ୍କୁ ବୁଝାଇବାକୁ ଉଦ୍ୟମ କରାଯାଇଥିଲା। ହେଲେ ପ୍ରତ୍ୟେକବାର ଏହା ବିଫଳ ହୋଇଥିଲା।

Leave A Reply

Your email address will not be published.