ମୁମ୍ବାଇ:ମୁମ୍ବାଇରେ କରୋନା ସଂକ୍ରମଣର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ଡାକ୍ତର ଗତ ବର୍ଷ ଜୁନରୁ ଏବେ ଯାଏଁ ତିନିଥର କରୋନାରେ ସଂକ୍ରମିତ ହେଲେଣି। ତେବେ ଆଶ୍ଚର୍ଯ୍ୟର କଥା ହେଲା ଭ୍ୟାକସିନ ନେବାପରେ ଦୁଇଥର ସଂକ୍ରମିତ ହୋଇଛନ୍ତି।
ବିଏମସିର କୋଭିଡ ସେଣ୍ଟରରେ କାମ କରିବା ସମୟରେ ଡ.ସୃଷ୍ଟି ହଲାରୀ ୨୦୨୦ ଜୁନ ୧୭ରେ ପ୍ରଥମେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ୨୦୨୧ ମେ’ ୨୯ରେ ଓ ଜୁଲାଇ ୧୧ରେ ସଂକ୍ରମିତ ହୋଇଥିଲେ। ତେବେ ମେ’ ମାସ ପୂର୍ବରୁ ସେ ଭ୍ୟାକସିନର ଦୁଇଟି ଡୋଜ ନେଇସାରିଥିଲେ।
ମୁଲୁଣ୍ଡ ଅଞ୍ଚଳରେ ରହୁଥିବା ଡ.ସୃଷ୍ଟି ହଲାରୀ ଭ୍ୟାକସିନ ନେଇ ମଧ୍ୟ ତିନିଥର ସଂକ୍ରମିତ ହେବାପରେ ତାଙ୍କ ନମୁନା ଜିନୋମ ସିକ୍ୱେନସିଙ୍ଗ ପାଇଁ ସଂଗ୍ରହ କରାଯାଇଛି। ଡାକ୍ତର କହିଛନ୍ତି ଏହା ପଛରେ କିଛି କାରଣ ଥାଇପାରେ। ଏଥିରେ କରୋନା ଭାରିଏଣ୍ଟରୁ ଇମ୍ୟୁନିଟି ଲେଭଲ କିମ୍ବା ଭୁଲ ଯାଞ୍ଚ ରିପୋର୍ଟ ବଡ କାରଣ ହୋଇଥାଇପାରେ ବୋଲି ଡାକ୍ତର ସନ୍ଦେହ କରିଛନ୍ତି।
ସୃଷ୍ଟି ହଲାରୀଙ୍କ ଦୁଇଟି ନମୁନା ସଂଗ୍ରହ କରାଯାଇଛି। ଗୋଟିଏ ବିଏମସି ଓ ଅନ୍ୟଟି ଏକ ଘରୋଇ ହସ୍ପିଟାଲକୁ ପଠାଯାଇଛି। ବିଏମସିର ଜଣେ ଅଧିକାରୀ କହିଛନ୍ତି, ହଲାରୀ ଟୀକାକରଣ ସତ୍ତ୍ୱେ ସେ ସଂକ୍ରମିତ ହେବାର କାରଣ କଣ ତାହା ପତା କରାଯାଉଛି। ରିପୋର୍ଟ ଆସିବା ବାକି ଅଛି।
ଡ.ସୃଷ୍ଟି ହଲାରୀ କହିଛନ୍ତି, ପ୍ରଥମଥର ସେ ଜଣେ ସହକର୍ମୀଙ୍କ ଠାରୁ ସଂକ୍ରମିତ ହୋଇଥିଲେ। ଏହାପରେ ସେ ନିଜର ପୋଷ୍ଟିଙ୍ଗ ପୁରା କଲେ ଓ ପିଜି ପରୀକ୍ଷା ପୂର୍ବରୁ ବ୍ରେକ ନେବାକୁ ନିଷ୍ପତ୍ତି ନେଇଥିଲେ ଓ ଘରେ ଥିଲେ। ଜୁଲାଇରେ ତାଙ୍କର ପୁରା ପରିବାର ସଂକ୍ରମିତ ହୋଇଥିଲା। ସୃଷ୍ଟିଙ୍କ ଚିକିତ୍ସା କରୁଥିବା ଡ.ମେହୁଲ ଠକ୍କର କହିଛନ୍ତି ଯେ, ସମ୍ଭବତଃ ମେ’ ରେ ଦ୍ୱିତୀୟଥର ହୋଇଥିବା ସଂକ୍ରମଣ ପୁଣି ଜୁଲାଇରେ ଆକ୍ଟିଭ ହୋଇଯାଇଥିବ ନଚେତ RT-PCR ନେଗେଟିଭ ଆସିଥିବ। ଫାଉଣ୍ଡେସନ ଫର ମେଡିକାଲ ରିସର୍ଚ୍ଚର ନିର୍ଦ୍ଦେଶକ ନରଗୀଶ ମିସ୍ତ୍ରୀ କହିଛନ୍ତି ତୃତୀୟଥର ସଂକ୍ରମଣର କାରଣ କୌନସୁ ନୂଆ ଭାରିଏଣ୍ଟ ମଧ୍ୟ ହୋଇଥାଇପାରେ।