୪.୮୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଆର.କେ ଟିମ୍ବର ମାଲିକ ଗିରଫ

0

ଭୁବନେଶ୍ବର: ୪.୮୦ କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା(ଇଓଡବ୍ଲ୍ୟୁ) ଏମ୍‌ଏସ୍‌ ଆର.କେ ଟିମ୍ବରର ପ୍ରୋପ୍ରାଇଟର(ମାଲିକ)ଙ୍କୁ ଗିରଫ କରିଛି । ତାଙ୍କ ନାମ ନରେନ୍ଦ୍ର କୁମାର ସାହୁ । ମଙ୍ଗଳବାର ନରେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଇଓଡବ୍ଲ୍ୟୁ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ନରେନ୍ଦ୍ର ୨୦୦୯ ମସିହାରେ ଭୁବନେଶ୍ୱର ଜନପଥସ୍ଥିତ ଆଇଡିବିଆଇ ବ୍ୟାଙ୍କ୍‌ରୁ ୮୦ ଲକ୍ଷ ଟଙ୍କା ଋଣ ନେଇଥିଲେ । ସେ ଚନ୍ଦକା ଥାନା ଅନ୍ତର୍ଗତ କଣ୍ଟବାଡ଼ ମୌଜାରେ ଥିବା ୬ଟି ପ୍ଲଟର କାଗଜପତ୍ର ବ୍ୟାଙ୍କ୍‌ରେ ବନ୍ଧକ ରଖି ଏହି ଋଣ ନେଇଥିଲେ । ଋଣ ନେବା ପରେ ନରେନ୍ଦ୍ର ଆଉ ବ୍ୟାଙ୍କ୍‌ର ମାସିକ କିସ୍ତି ଦେଇ ନଥିଲେ । ବ୍ୟାଙ୍କ ତରଫରୁ ବାରମ୍ବାର ନୋଟିସ କରାଯାଉଥିଲେ ମଧ୍ୟ ନରେନ୍ଦ୍ର କିଛି ଶୁଣୁ ନଥିଲେ । ପରେ ମୂଳସୁଧ ହୋଇ ଋଣଟଙ୍କା ୪ କୋଟି ୮୦ ଲକ୍ଷ ଟଙ୍କା ହୋଇ ଯାଇଥିଲା । ନରେନ୍ଦ୍ର ବନ୍ଧକ ରଖିଥିବା ଜମି କାଗଜପତ୍ର ବିଷୟରେ ବ୍ୟାଙ୍କ କର୍ତ୍ତୃପକ୍ଷ ଯାଞ୍ଚ କଲାବେଳେ ଉକ୍ତ ଜମିକୁ ନରେନ୍ଦ୍ର ୨୦୧୧-୧୨ ମସିହାରେ ଅନ୍ୟ ୬ ଜଣ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିବା ଜାଣିବାକୁ ପାଇଥିଲେ ।

ତେଣୁ ବ୍ୟାଙ୍କ୍‌ର ସିନିଅର ରିଜିଓନାଲ ହେଡ୍‌ ଅସିତ କୁମାର ପାଢ଼ୀ ୨୦୨୦ ଅଗଷ୍ଟ ୨୬ରେ କ୍ରାଇମ୍‌ବ୍ରାଞ୍ଚର ଇଓଡବ୍ଲ୍ୟୁରେ ନରେନ୍ଦ୍ରଙ୍କ ନାମରେ ଅଭିଯୋଗ କରିଥିଲେ । ଇଓଡବ୍ଲ୍ୟୁ ଥାନା କେସ୍‌
ନଂ-୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ମଙ୍ଗଳବାର ଇଓଡବ୍ଲ୍ୟୁ ନରେନ୍ଦ୍ରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।

Leave A Reply

Your email address will not be published.