୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ସର୍ବାଧିକ ମୃତ୍ୟୁ,

0

ଭୁବନେଶ୍ବର : ରାଜ୍ୟରେ କରୋନାର ଦ୍ବିତୀୟ ଲହର ସରିନାହିଁ। ଦୈନିକ ସଂକ୍ରମଣ ପ୍ରାୟ ହଜାର ପାଖାପାଖି ରହୁଛି। ହେଲେ ଦ୍ବିତୀୟ ଲହରରେ ସଂକ୍ରମଣର ଭୟାବହତା ଓ ମୃତ୍ୟୁ ପ୍ରଥମ ଲହର ତୁଳନାରେ ଯଥେଷ୍ଟ ଅଧିକ ଦେଖିବାକୁ ମିଳିଛି। ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂକ୍ରମଣ ସ୍ଥିତି ଉଦ୍‌ବେଗଜନକ ରହିଛି। ତେବେ ଯୁବବର୍ଗ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇଥିଲେ ହେଁ ୪୫ ବର୍ଷରୁ ଅଧିକ ବୟସର ଲୋକ ସର୍ବାଧିକ ପ୍ରାଣ ହରାଇଛନ୍ତି।

 

ଗତ ଏପ୍ରିଲ ମାସରେ ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଥିଲା। ଧୀରେ ଧୀରେ ସଂକ୍ରମଣ ସ୍ଥିତି ବିଗିଡ଼ିବା ସହ ଦୈନିକ ସଂକ୍ରମଣ ୧୨ହଜାର ପାର୍ କରିଥିଲା। ବିଶେଷଜ୍ଞମାନେ ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଯେଉଁ ଆକଳନ କରିଥିଲେ, ତାହା ମଧ୍ୟ ଫେଲ୍‌ ମାରିଥିଲା। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ଲହରରେ ରାଜ୍ୟରେ ୩ଲକ୍ଷ ୨୯ହଜାର ୮୬୬ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୧୮୭୬ଜଣଙ୍କ ମୃତ୍ୟୁ ହୋଇଥିଲା। ଦ୍ବିତୀୟ ଲହରରେ ପ୍ରଥମ ତୁଳନାରେ ଦୁଇଗୁଣା ସଂକ୍ରମଣ ଓ ପ୍ରାୟ ୩ଗୁଣା ମୃତ୍ୟୁ ହୋଇଛି। ଚଳିତମାସ ୧୬ ତାରିଖ ସୁଦ୍ଧା ରାଜ୍ୟରେ ୬ଲକ୍ଷ ୬୬ହଜାର ୨୮୭ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୫୧୪୫ଜଣଙ୍କ ମୃତ୍ୟୁ ସଂପର୍କରେ ଘୋଷଣା କରାଯାଇଛି। ଯେହେତୁ ରାଜ୍ୟରେ ଏବେ ବଳକା କୋଭିଡ୍‌ ମୃତ୍ୟୁର ଘୋଷଣା ଜାରି ରହିଛି, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

 

ଦ୍ବିତୀୟ ଲହରରେ ୦-୫ବର୍ଷର ୪୬୯୭ଜଣ ଶିଶୁପୁତ୍ର ପଜିଟିଭ୍ ଓ ୨ ମୃତ୍ୟୁ, ୩୮୧୨ ଶିଶୁକନ୍ୟା ଓ ଜଣେ ପ୍ରାଣ ହରାଇଛନ୍ତି। ସର୍ବାଧିକ ସଂକ୍ରମିତ ହୋଇଛନ୍ତି ୧୫-୪୪ବର୍ଗ। ଏଥିରେ ୨ଲକ୍ଷ ୪୭ହଜାର ୬୦୬ ପୁରୁଷ ସଂକ୍ରମିତ ଓ ୧୦୫୯ ମୃତ୍ୟୁ, ୧ଲକ୍ଷ ୪୭ହଜାର ୫୯୮ ମହିଳା ଓ ୪୧୩ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ୪୫-୬୦ ବର୍ଗର ୧ଲକ୍ଷ ୮୨୦ ପୁରୁଷ ଓ ୧୩୦୭ ମୃତ୍ୟୁ, ୬୨,୫୬୯ ମହିଳା ଓ ୬୬୯ ମୃତ୍ୟୁ, ୬୦ବର୍ଷରୁ ଅଧିକ ୪୨,୧୪୪ ପୁରୁଷ ଓ ୧୧୮୪ ମୃତ୍ୟୁ, ୨୩,୫୩୮ ମହିଳା ଓ ୪୯୮ ମୃତ୍ୟୁ ରେକର୍ଡ କରାଯାଇଛି। ଏହାସହ ୬୮ଜଣ କିନ୍ନର ସଂକ୍ରମିତ ହୋଇଥିବା ବେଳେ ୬୦ବର୍ଷରୁ ଅଧିକ ଜଣେ କିନ୍ନରଙ୍କ ମୃତ୍ୟୁ ହୋଇଛି। ଚଳିତବର୍ଷ ଜାନୁଆରି ମାସରୁ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହୋଇଛି। ପ୍ରଥମେ ସ୍ବାସ୍ଥ୍ୟକର୍ମୀ, ପରେ ୬୦ବର୍ଷରୁ ଅଧିକ ଓ ଜଟିଳ ରୋଗ ଥିବା ୪୫ବର୍ଷର ଅଧିକ ଲୋକଙ୍କ ଟିକାକରଣ କରାଯାଇଥିଲା। ଏହାସତ୍ତ୍ବେ ୪୫ବର୍ଷରୁ ଊର୍ଧ୍ବ ବର୍ଗରେ ରାଜ୍ୟରେ ଅଧିକ ମୃତ୍ୟୁ ‌ହୋଇଛି। ରାଜ୍ୟରେ ୪୫ବର୍ଷରୁ ଊର୍ଧ୍ବ ବର୍ଗରେ ୩୬୫୯ଜଣଙ୍କ ମୃତ୍ୟୁ ହୋଇଛି। ଏହା ୧୫-୪୪ ବର୍ଗ ତୁଳନାରେ ଯଥେଷ୍ଟ ଅଧିକ।

ବରିଷ୍ଠ ଚିକିତ୍ସକ ଡା. ନିରୋଜ ମିଶ୍ରଙ୍କ କହିବା ମୁତାବକ ଦ୍ବିତୀୟ ଲହରରେ ଦେଶବ୍ୟାପୀ ଡେଲ୍‌ଟା ଭାରିଏଣ୍ଟ ଅଧିକ ପ୍ରଭାବ ବିସ୍ତାର କରିଥିଲା। ଓଡ଼ିଶାରେ ମଧ୍ୟ ଡେଲ୍‌ଟା ଭାରିଏଣ୍ଟର ଅଧିକ ପ୍ରଭାବ ରହିଥିଲା। ଏହାଦ୍ବାରା ଯଦିଓ ଯୁବବର୍ଗ ଅଧିକ ସଂକ୍ରମିତ ହୋଇଥି‌ଲେ, ମାତ୍ର ୪୫ବର୍ଷରୁ ଊର୍ଧ୍ବ ବେଶି ଲୋକ ପ୍ରାଣ ହରାଇଛନ୍ତି। କୋଭିଡ ନିୟମାବଳୀକୁ ନ ମାନିବା କାରଣରୁ ଯୁବବର୍ଗ ଅଧିକ ଆକ୍ରାନ୍ତ ହୋଇଛନ୍ତି। ଟିକା ନେବା ପରେ ମଧ୍ୟ ବ୍ରେକ୍‌-ଥ୍ରୁ ସଂକ୍ରମଣ ଦେଖିବାକୁ ମିଳିଛି। ନିକଟରେ ଆସିଥିବା ଅଧ୍ୟୟନରେ ଟିକାର ପ୍ରଭାବ କମ୍ ହେବା କାରଣରୁ ପଶ୍ଚିମ ରାଷ୍ଟ୍ରମାନେ ବୁଷ୍ଟର ଡୋଜ୍ କଥା ଚିନ୍ତା କରୁଛନ୍ତି। ଯଦି କରୋନାର କୌଣସି ନୂତନ ଭାରିଏଣ୍ଟ ନ ଆସେ, ତା’ହେଲେ ରାଜ୍ୟରେ ତୃତୀୟ ଲହରର ସମ୍ଭାବନା କମ୍। ତେବେ ସ୍ପାନିସ୍ ଫ୍ଲୁରୁ ଆମକୁ ଶିକ୍ଷା ଗ୍ରହଣ କରିବାକୁ ହେବ। ଏଥିରେ ସଂକ୍ରମଣ ୨ବର୍ଷ ୨ମାସ ଧରି ଚାଲିଥିଲା। ତେଣୁ କରୋନା ମହାମାରୀ ମଧ୍ୟ ଆସନ୍ତାବର୍ଷ ଏପ୍ରିଲ ବେଳକୁ କମିଯିବାର ସମ୍ଭାବନା ଅଧିକ ବୋଲି ଡା. ମିଶ୍ର କହିଛନ୍ତି।

 

ଅପରପକ୍ଷେ ରାଜ୍ୟରେ କରୋନା ସଂକ୍ରମଣ ୧୦ ଲକ୍ଷ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୧୧ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏହି ସଂଖ୍ୟା ୧୦ଲକ୍ଷ ୮୪ରେ ପହଞ୍ଚିଛି। ସଂକ୍ରମିତଙ୍କ ମଧ୍ୟରେ ୧୧୬ଜଣ ୧୮ବର୍ଷରୁ କମ୍ ବୟସର ପିଲା ରହିଛନ୍ତି। ଖୋର୍ଧାରେ ସର୍ବାଧିକ ୩୫୨ଜଣ ଚିହ୍ନଟ ହୋଇଥିବା କଟକରୁ ସଂକ୍ରମଣ ଶହେରୁ ଖସି ୮୮ରେ ପହଞ୍ଚିଛି। ବାଲେଶ୍ବର ୫୧, ଯାଜପୁର ୪୯, ମୟୂରଭଞ୍ଜ ୩୮, କେନ୍ଦ୍ରାପଡ଼ା ୩୧, ଜଗତସିଂହପୁର ୨୪, ଅନୁଗୁଳ ୨୩ ଓ ନୟାଗଡ଼ ୧୯ଜଣଙ୍କୁ ଚିହ୍ନଟ କରାଯାଇଛି।

 

ରାଜ୍ୟରେ ଆଉ ୬୬ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ଘୋଷଣା ହୋଇଛି। ଏଥିରେ ଜଗତସିଂହପୁର ୧୧, କଟକ ୧୦, ଢେଙ୍କାନାଳ ୮, କେନ୍ଦ୍ରାପଡ଼ା ୭, ଅନୁଗୁଳ-ଯାଜପୁର ୬ ଲେଖାଏଁ, ଭଦ୍ରକ ୫, ବାଲେଶ୍ବର ୪, ଖୋର୍ଧା ୩, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ରେ ୨ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୭୨୮୯କୁ ବୃଦ୍ଧି ପାଇଛି। ଆଜି ୯୭୯ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୫୧୮କୁ ଖସି ଆସିଛି। ଏହାସହ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୯ଲକ୍ଷ ୮୪ହଜାର ୨୨୪କୁ ବୃଦ୍ଧି ପାଇଛି।

Leave A Reply

Your email address will not be published.