୫ କୋଟିର ବ୍ରାଉନସୁଗାର ଜବତ

0

ରୁପସା: ବହୁ ଅଭାବ ଅସୁବିଧାରେ ଦିନ କଟୁଥିଲା। ପରିବାର ପ୍ରତିପୋଷଣ ପାଇଁ ଅନ୍ୟଠାରୁ ଜମିନେଇ ଭାଗଚାଷ କରୁଥିଲା। ମାତ୍ର ୬/୭ ବର୍ଷ ଭିତରେ ଗାଁରେ କୋଠାବାଡ଼ି, ବ୍ୟାଙ୍କ ଜମା ଏବଂ ଜମିଜମା ସବୁ ବଢ଼ି ଚାଲିଲା। ଗାଁ ଲୋକ ସେମାନଙ୍କର ଚାଲିଚଳଣି ଦେଖି ସନ୍ଦେହ କରୁଥିଲାବେଳେ କ୍ରାଇମବ୍ରାଞ୍ଚ୍‌ର ସ୍ପେଶାଲ ଟାସ୍କଫୋର୍ସ (ଏସ୍‌ଟିଏଫ୍‌) ଚଢ଼ଉ କରି ଗଞ୍ଜେଇ ଏବଂ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ ଅସଲ ରହସ୍ୟ ପଦାକୁ ଆଣିଛି। ସମ୍ପୃକ୍ତ ବ୍ୟକ୍ତି ବାଲେଶ୍ବର ଜିଲ୍ଲା ବସ୍ତା ପୁରୁଷୋତ୍ତମପୁର ଗ୍ରାମର ଗୟାଧର ଦାସଙ୍କୁ ଗିରଫ କରିଛି। ଗୟାଧରଙ୍କ ପୁଅ ଫେରାର ଥିବା ଜଣାଯାଇଛି।

ସୂଚନା ମୁତାବକ, ବସ୍ତା ପୁରୁଷୋତ୍ତମପୁର ଗାଁରେ ଚଢ଼ଉ ପାଇଁ କାଲି ରାତିରେ ବାଲେଶ୍ବରରେ ଡେରା ପକାଇଥିଲା କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍। ଆଜି ଭୋର୍ ୫ଟାରେ ଏହି ଟିମ୍‌ ଗର୍ଜନିଆ ଓରଫ୍‌ ଗୟାଧର ଦାସ(୫୮)ଙ୍କ ଘରେ ଛାପା ମାରିଥିଲା। ପ୍ରଥମ ପର୍ଯ୍ୟାୟରେ ସେଠାରୁ ୨ କିଲୋ ବ୍ରାଉନସୁଗାର ସହିତ ଅଢ଼େଇ କିଲୋ ଗଞ୍ଜେଇ ଜବତ ହୋଇଥିଲା। ପରେ ଅଭିଯୁକ୍ତଠାରୁ କଥା ବାହାର କରି ଦ୍ବିତୀୟ ଥର ଚଢ଼ଉ କରାଯାଇଥିଲା। ପୁଣି ୩ କିଲୋ ବ୍ରାଉନସୁଗାର ଜବତ କରାଯାଇଥିଲା। ଏହି ଚଢ଼ଉରେ ମୋଟ ୫ କିଲୋ ବ୍ରାଉନସୁଗାର ସାଙ୍ଗକୁ ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ବଜାରରେ ଏହାର ମୂଲ୍ୟ ୫ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। କିଛିଦିନ ପୂର୍ବରୁ ବସ୍ତା ହାଟସାହି ବସ୍ତିରୁ ଏସଟିଏଫ୍ ୨ କିଲୋ ବ୍ରାଉନସୁଗାର ଜବତ କରିଥିଲା। ଏଥିରେ ଆଉ କିଏ କିଏ ସାମିଲ ‌ଅଛନ୍ତି ସେ ନେଇ ଛାନଭିନ ଚଳାଇଥିବା ବେଳେ ବଡ଼ମାଛ ଧରିବାରେ ସଫଳ ହୋଇଛି ଏସ୍‌ଟିଏଫ୍।

Leave A Reply

Your email address will not be published.