ନୂଆଦିଲ୍ଲୀ, : ସୁନା କିମ୍ବା ରୁପା କିଣିବାକୁ ଚାହୁଁଥିଲେ ଗ୍ରାହକଙ୍କ ପାଇଁ ଭଲ ଖବର । ବିଶ୍ୱ ବଜାରରେ ମାନ୍ଦାବସ୍ଥା କାରଣରୁ ସୁନା ଓ ରୁପାର ମୂଲ୍ୟ ହ୍ରାସ ପାଇଛି । ରୁପାର ଦାମ୍ ମଧ୍ୟ କମିଛି । ସୋମବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ବା ଏମସିଇରେ ସୁନା ଦର ୦.୧୬ ପ୍ରତିଶତ ହ୍ରାସ ପାଇଥିବା ବେଳେ ରୁପାର ଦାମ୍ ବି ୦.୩ ପ୍ରତିଶତ କମିଛି ।
ଏମସିଇରେ ସୁନା ସୋମବାର ୧୦ ଗ୍ରାମ ପିଛା ୪୭୯୨୬ ଟଙ୍କାରେ କାରବାର କରୁଥିବା ବେଳେ ରୁପାର ଦାମ କେଜି ପିଛା ରହିଛି ୬୭୮୬୫ । ଗତ ସପ୍ତାହରେ ସୁନା ପ୍ରାୟ ୪୦୦ ଟଙ୍କା କମିଥିଲା । ରୁପାର ଦାମ୍ ମଧ୍ୟ ଅହେତୁକ ହ୍ରାସ ପାଇଥିଲା ।
ଭାରତୀୟ ବଜାର ନୁହେଁ, ବିଶ୍ୱ ବଜାରରେ ବି ସୁନା ଚମକ ହରାଇଛି । ସୋମବାର କାରବାର ଦିନରେ ସୁନା ଆଉନ୍ସ ପିଛା ୧୮୦୯.୨୧ ଡଲାର ରହିଛି । ସେହିପରି ରୁପାର ଆଉନ୍ସ ପିଛା ଦାମ୍ ରହିଛି ୨୫.୩୭ ଡଲାର । ସେହିପରି ପ୍ଲାଟିନମର ଦାମ୍ ଆଉନ୍ସ ପିଛା ୦.୬ ପ୍ରତିଶତ ବୃଦ୍ଧି ପାଇ ୧୦୫୪.୭୨ ଡଲାର ହୋଇଯାଇଛି ।
ଗତବର୍ଷ ଅଗଷ୍ଟ ତୁଳନାରେ ଏବେ ସୁନାର ଦାମ୍ ୮୨୭୪ ଟଙ୍କା କମିଛି । ଗତବର୍ଷ ଅଗଷ୍ଟରେ ୧୦ ଗ୍ରାମ ସୁନାର ଦାମ ୫୬୨୦୦ ଟଙ୍କା ଥିଲା । ଯାହା ଏବେ ୪୭୯୨୬ ରହିଛି ।
ଇଏମଆଇ ଦ୍ୱାରା କିଣିହେବ ସୁନା
ଯଦି ଆପଣଙ୍କ ପାଖରେ ଟଙ୍କା କମ୍ ଅଛି କିନ୍ତୁ ଅଳଙ୍କାର ପସନ୍ଦ ଆସୁଛି ତେବେ ଆପଣ ଇଏମଆଇରେ କିଣିପାରିବେ । ଅଳଙ୍କାର କଣିବା ପାଇଁ ବିଭିନ୍ନ ସଂସ୍ଥା ଇଏମଆଇ ଅଫର ଦେଉଛନ୍ତି । ଏଥିପାଇଁ ୨୦ ପ୍ରତିଶତ ଡାଉନପେମେଣ୍ଟ କରିବାକୁ ହେବ । ଅର୍ଡର କରିବା ପରେ ୧୦ ଦିନ ମଧ୍ୟରେ ଅଳଙ୍କାରର ଡେଲିଭରୀ ହୋଇଯିବ ।
ମିସ୍ କଲ ଦେଇ ଜାଣିପାରିବେ ସୁନାର ଦର
ଯଦି ଆପଣ ଘରେ ବସି ସୁନାର ଦାମ୍ ବାବଦରେ ଜାଣିବାକୁ ଚାହୁଁଛନ୍ତି ତେବେ ଅତି ସହଜରେ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ୮୯୫୫୬୬୪୪୩୩ ନମ୍ବରରେ କେବଳ ମିସ୍ କଲ୍ ଦେବାକୁ ପଡିବ । ଏହାପରେ ଆପଣଙ୍କ ମୋବାଇଲକୁ ଦର ବାବଦରେ ମେସେଜ୍ ଆସିଯିବ ।