ଭୋପାଲ : ମଧ୍ୟପ୍ରଦେଶରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ର ଜଣେ ଅଧିକାରୀଙ୍କୁ ଜୋରଦାର ଝଟକା ଲାଗିଥିଲା ଯେତେବେଳେ ସେ ଜାଣିବାକୁ ପାଇଲେ ତାଙ୍କୁ ୩୪ ହଜାର ଟଙ୍କା ଚୂନ ଲାଗିଛି। ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି।
ଭୋପାଲରେ ନିୟୋଜିତ ଆଇଏଏସ ଅଧିକାରୀ ଲୋକେଶ କୁମାର ଜଙ୍ଗିଡ ଜୁଲାଇ ୧୧ ତାରିଖରେ ଅନଲାଇନରେ ମଦ କିଣିବାକୁ ଇଣ୍ଟରନେଟରେ ସର୍ଚ୍ଚ କରିଥିଲେ। ତାଙ୍କୁ ଏକ ହ୍ୱାଟ୍ସଆପ ନମ୍ବର ମିଳିଥିଲା। ଅଧିକାରୀ ଏହି ନମ୍ବରରେ ଯୋଗାଯୋଗ କରିଥିଲେ। ତାପରେ ତାଙ୍କୁ ଏକ ଫୋନ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ନିଜକୁ ମଦ ଦୋକାନ କର୍ମଚାରୀ ବୋଲି କହିଥିଲା। ଅଧିକାରୀ ଯେଉଁ ମଦ ଚାହୁଁଥିଲେ ସେଥିପାଇଁ ତାଙ୍କୁ ୟୁପିଆଇ ଜରିଆରେ ଆଡ଼ଭାନ୍ସ ୮ ହଜାର ୫୦୦ ଟଙ୍କା ଦେବାକୁ ପଡିବ ବୋଲି ସେ କହିଥିଲା।
ଆଇଏଏସ ଅଧିକାରୀ ତୁରନ୍ତ ଟଙ୍କା ଟ୍ରାନ୍ସଫର କରିଦେଲେ। କିନ୍ତୁ ଫୋନ କରିଥିବା ବ୍ୟକ୍ତି ଜଣକ କହିଥିଲା ଯେ ତାକୁ ଟଙ୍କା ମିଳିନି। ତାପରେ ଉକ୍ତ ଯୁବକ ଜଣକ ତାଙ୍କୁ ଟଙ୍କା ପଠାଇବାକୁ ୟୁପିଆଇ କ୍ୟୁଆର କୋଡ଼ ମାଗିଥିଲେ ଓ ବ୍ୟାଙ୍କ ଖାତାରୁ ୧୭ ହଜାର ଟଙ୍କା ଉଠାଇ ନେଇଥିଲା। ତାପରେ ବି ସେ କହିଥିଲା ଯେ ତାକୁ ଟଙ୍କା ମିଳିନି। ସେତେବେଳେ ଅଧିକାରୀ ଜାଣିବାକୁ ପାଇଲେ ଯେ ତାଙ୍କ ସହ ଠକେଇ ହୋଇଛି।
ଏନେଇ ଅଧିକାରୀ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୁକ୍ତକୁ ଟ୍ରାକ କରି ଗିରଫ କରିଛି। ପୋଲିସ ଆଉ ଦୁଇଜଣଙ୍କୁ ଖୋଜୁଛି ଯାହାଙ୍କ ପାଇଁ ଯୁବକ କାମ କରୁଥିଲା।