ଆଗେଇପାରୁନି ଚାଷ କାର୍ଯ୍ୟ

0

ଧରାକୋଟ,  : ଶ୍ରାବଣରେ ଧାରା ବର୍ଷା ବୋଲି କୁହାଯାଏ । ମାତ୍ର ଶ୍ରାବଣ ଅଧା ହେଲାଣି ବର୍ଷାର ଦେଖାନାହିଁ । କେଉଁଠି କାଁ ଭାଁ ବର୍ଷା ହେଉଥିବାବେଳେ ଚାଷ ପାଇଁ ଯଥେଷ୍ଟ ନୁହେଁ । ନିଅଣ୍ଟିଆ ବର୍ଷା ଯୋଗୁଁ ଧରାକୋଟରେ ଚାଷ କାର୍ଯ୍ୟ ଆଗେଇ ପାରୁନଥିବା ଚାଷୀ ଅଭିଯୋଗ ଆଣିଛି । ସେହିପରି ଦିଗପହଣ୍ଡି ଅଞ୍ଚଳରେ କେନାଲ୍‌ ହିଡ଼ରେ ଘଳିଆ ରହିଥିବାରୁ ଋଷିକୁଲ୍ୟା ଡ୍ୟାମ୍‌ରୁ ଜଳଯୋଗାଣ ବନ୍ଦ ରହିଛି । ଏନେଇ କେନାଲ ଶୁଖିଲା ପଡ଼ିଛି ।

ଅଭିଯୋଗ ଅନୁଯାୟୀ, ୨୫ ପ୍ରତିଶତ ଚାଷ ଜମିକୁ ଜଳସେଚନ ସୁବିଧା ରହିଥିବାବେଳେ ବାକି ୭୫ ପ୍ରତିଶତ ବର୍ଷା ଉପରେ ନିର୍ଭର । ବ୍ଲକ୍‌ରେ ଏ ପର୍ଯ୍ୟନ୍ତ ଚାଷ କାର୍ଯ୍ୟ ଶତପ୍ରତିଶତ ଶେଷ ହୋଇ ପାରିନାହିଁ । ଗତବର୍ଷ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ବ୍ଲକ୍‌ରେ କୃଷି କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚଥିଲା । ଚଳିତ ବର୍ଷ ଏ ପର୍ଯ୍ୟନ୍ତ ବ୍ଲକ୍‌ରେ ୪୩୯ ମିଲିମିଟର ବର୍ଷା ହୋଇଥିବା ଜଳସେଚନ ବିଭାଗ ତରଫରୁ ସୂଚନା ମିଳିଛି ।

ସମଗ୍ର ବ୍ଲକ୍‌ରେ ୧୨୬୦୦ ହେକ୍ଟର ଚାଷ ଜମି ରହିଥିବା ବେଳେ ସେଥିମଧ୍ୟରୁ ୬୬୦୦ ହେକ୍ଟର ଧାନ ଜମିରେ ଖରିଫ ଋତୁରେ ଧାନ ଫସଲ ଅମଳ ହେଉଥିବା ବେଳେ ଅବଶିଷ୍ଟ ୬୦୦୦ ହେକ୍ଟରରେ ରବି ଫସଲ ହେଉଥିବା ବେଳେ ଅନ୍ୟାନ୍ୟ ଫସଲ ଆଦାୟ ହୋଇଥାଏ । ଗଞ୍ଜାମରେ ଋଷିକୁଲ୍ୟାର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ଚାଷ ଓ ପାନୀୟ ଜଳ ପାଇଁ ଏହା ଜୀବନ ଧାରା ସଦୃଶ୍ୟ ପାଲଟିଛି ।

ସାନଖେମୁଣ୍ଡି-ଦିଗପହଣ୍ଡି ମଧ୍ୟବର୍ତ୍ତି କୋଟିନଡ଼ା ଠାରେ ଋଷିକୁଲ୍ୟା କେନାଲର ହିଡ଼ ୧୦୦ମିଟର ପର୍ଯ୍ୟନ୍ତ ଭାଙ୍ଗି ଯାଇଥିବାରୁ କେନାଲରେ ଜଳ ପ୍ରବାହିତ ବନ୍ଦ ରହିଛି । ଅଞ୍ଚଳର ୨୫ ପ୍ରତିଶତ ଜମି ଋଷିକୁଲ୍ୟା ନଦୀ ଓ କେନାଲ ଉଭୟ ପାଶ୍ୱର୍ର ଅବବାହିକାରେ ରହିଥିବା ଯୋଗୁଁ ଚାଷ କାର୍ଯ୍ୟ ସଂପୂର୍ଣ୍ଣ ବନ୍ଦ ରହିଛି । ତଳିଘରା ଫାଟି ଶୁଖିଲା ପଡ଼ିଥିବା ବେଳେ ତଳି ନଷ୍ଟ ହେବାକୁ ବସିଲାଣି । ବିଭାଗୀୟ ଅଧିକାରୀ ଏଥିପ୍ରତି ଧ୍ୟାନ ଦେଇ ଉପଯୁକ୍ତ ପଦକ୍ଷେପ ନେଇ କ୍ଷତିପୂରଣ ଦେବା ପାଇଁ ଚାଷୀ ସମାଜ ପକ୍ଷରୁ ଦାବି ହେଉଛି ।

Leave A Reply

Your email address will not be published.