ଏମ୍‌ସକୁ ଅଣ୍ଟୁନି ଭେଣ୍ଟିଲେଟର୍ : ଅସ୍ତ୍ରୋପଚାର ପାଇଁ ବଡ଼ ବାଧକ

0

ଭୁବନେଶ୍ବର : ଏମ୍‌ସ ଭୁବନେଶ୍ବର ପ୍ରତିଷ୍ଠାର ୯ ବର୍ଷ ପରେ ମଧ୍ୟ ଏଠାରେ ଆବଶ୍ୟକ ଭିତ୍ତିଭୂମିର ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଇନାହାନ୍ତି ସରକାର। ଏତେବଡ଼ ଡାକ୍ତରଖାନାରେ ନାହିଁ ଆବଶ୍ୟକ ସଂଖ୍ୟକ ଭେଣ୍ଟିଲେଟର। ଜଟିଳ ରୋଗୀଙ୍କ ଅସ୍ତ୍ରୋପଚାରି ପାଇଁ ଏହା ବଡ଼ ବାଧକ ସାଜିଥିବା ବେଳେ ଏହି କାରଣରୁ ଅନେକ ସମୟରେ ରୋଗୀ ଘରୋଇ ଡାକ୍ତରଖାନାମୁହାଁ ହେଉଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଏମ୍‌ସ, ଭୁବନେଶ୍ବର ପ୍ରତି କାହିଁକି ଦୃଷ୍ଟି ଦେଉ ନାହିଁ ଏବଂ ସ୍ଥାନୀୟ ଜନପ୍ରତିନିଧି କାହିଁକି ଏହାକୁ ପ୍ରସଙ୍ଗ କରୁ ନାହାନ୍ତି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ହଜାରେ ଶଯ୍ୟା ବିଶିଷ୍ଟ ଏମ୍‌ସରେ ରହିଛି ମାତ୍ର ୧୨୫ଆଇସିୟୁକୁ ମାତ୍ର ୭୫ଭେଣ୍ଟିଲେଟର୍‌। କରୋନା ସମୟରେ ଏଠାରେ କରୋନା ରୋଗୀଙ୍କ ଲାଗି ଏହାର ୫୦ପ୍ରତିଶତ ଭେଣ୍ଟିଲେଟର୍‌ ବ୍ୟବହାର ହେଉଥିଲା। ଏଥିଯୋଗୁଁ ଅଣକୋଭିଡ୍‌ ରୋଗୀଙ୍କ ଅବସ୍ଥା ଦୁର୍ବିଷହ ହେବାରେ ଲାଗିଥିଲା। ତେବେ କରୋନା ରୋଗୀ ସଂଖ୍ୟା ହ୍ରାସ ପରେ କିଛି ଦିନ ହେଲା କେବଳ ୧୦ଟି ଭେଣ୍ଟିଲେଟର୍‌କୁ କରୋନା ଡାକ୍ତରଖାନା ପାଇଁ ସଂରକ୍ଷିତ ରଖାଯାଇଛି। ଏହା ସତ୍ତ୍ବେ ଡାକ୍ତରଖାନାର ଭେଣ୍ଟିଲେଟର୍‌ ସଂକଟ ଦୂର ହୋଇପାରୁନାହିଁ। ବର୍ତ୍ତମାନର ଯଦି ସ୍ଥିତି ଏହିଭଳି; ତେବେ କରୋନା ଦ୍ବିତୀୟ ଲହରି ଆସିଲେ କିଭଳି ଏହାର ମୁକାବିଲା ହେବ, ତାହାକୁ ନେଇ ସନ୍ଦେହ ରହିଛି।

ଏମ୍‌ସରେ ଭର୍ତ୍ତି ହୋଇ ଅସ୍ତ୍ରୋପଚାର ଅପେକ୍ଷାରେ ଅଛନ୍ତି ଜଣେ ୧୮ବର୍ଷୀୟ ଯୁବକ। ଏଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା। ମାତ୍ର ଏକ ଜଟିଳ ଅସ୍ତ୍ରୋପଚାର ହେବାକୁ ଯାଉଥିବାରୁ ଭେଣ୍ଟିଲେଟର୍‌ ମିଳିବା ନେଇ ଅନିଶ୍ଚିତତାରେ ଥିଲେ ଡାକ୍ତର ଓ ପରିବାର। ଶେଷ ମୁହୂର୍ତ୍ତରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏମ୍‌ସ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି ଏବଂ ଭେଣ୍ଟିଲେଟର୍‌ ବ୍ୟବସ୍ଥା ହୋଇଯିବା ନେଇ ଆଶ୍ବାସନା ଦେଇଛନ୍ତି। ତେବେ ପ୍ରକୃତ ସ୍ଥିତି ଜଣାପଡ଼ିବା ପରେ ଅସ୍ତ୍ରୋପଚାର ହେବ ବୋଲି କୁହାଯାଇଛି।

ତେବେ ବାସ୍ତବ ସ୍ଥିତି ‌ହେଉଛି, ଏମ୍‌ସରେ ଭେଣ୍ଟିଲେଟର୍‌ ଅଭାବରୁ ପ୍ରତିଦିନ ଶହେରୁ ଅଧିକ ରୋଗୀ ଫେରି ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟ କିଛି ବିକଳ୍ପ ନ ପାଇ ଘରୋଇ ଡାକ୍ତରଖାନା ଯାଇ ଖର୍ଚାନ୍ତ ହେଉଛନ୍ତି। ଫଳରେ ସୁଲଭ ମୂଲ୍ୟରେ ଭଲ ଚିକିତ୍ସାର ଯେଉଁ ଆଶା ନେଇ ରାଜ୍ୟ ତଥା ରାଜ୍ୟ ବାହାରୁ ରୋଗୀ ଏମ୍‌ସକୁ ଆସିଥାଆନ୍ତି; ସେମାନଙ୍କ ଉଦ୍ଦେଶ୍ୟ ପୂରଣ ହୋଇ ପାରୁନାହିଁ। ଏମ୍‌ସକୁ ପ୍ରତିଦିନ ଆସୁଥିବା ସମୁଦାୟ ୩ ହଜାର ରୋଗୀଙ୍କ ମଧ୍ୟରେ ୨୫୦ରୁ ୩୦୦ ରୋଗୀଙ୍କୁ ଅସ୍ତ୍ରୋପଚାରର ଆବଶ୍ୟକତା ଥାଏ। ଏଥିମଧ୍ୟରେ ଅଧିକାଂଶ ଗୁରୁତର ସ୍ଥିତିରେ ଆସିଥାଆନ୍ତି। ମାତ୍ର ସେଥିରୁ ୪୫ରୁ ୫୦ ରୋଗୀଙ୍କ ଅସ୍ତ୍ରୋପଚାର ହୋଇ ପାରୁଥିବା ବେଳେ ଅନ୍ୟମାନଙ୍କୁ ଦୀର୍ଘ ଦିନ ଅପେକ୍ଷା କରିବାକୁ କୁହାଯାଏ। ଓଟି, ଆଇସିୟୁ ଉପଲବ୍ଧ ଥାଇ ମଧ୍ୟ କେବଳ ଭେଣ୍ଟିଲେଟର ସଙ୍କଟ ଯୋଗୁଁ ରୋଗୀ ଭର୍ତ୍ତି ହେଲା ପରେ ମଧ୍ୟ ଅସ୍ତ୍ରୋପଚାର ବିଳମ୍ବିତ ହେବାର ଅନେକ ନଜିର ରହିଛି। ଏମ୍‌ସର ସର୍ଜରି, କର୍କଟ ରୋଗ ବିଭାଗ, ଅସ୍ଥିଶଲ୍ୟ, ନ୍ୟୁରୋସର୍ଜରି, ହୃଦରୋଗ ବିଭାଗ, ଟ୍ରମା ଆଣ୍ଡ ଏମାରଜେନ୍ସିକୁ ଆସୁଥିବା ରୋଗୀଙ୍କୁ ସର୍ବାଧିକ ଭେଣ୍ଟିଲେଟର୍‌ର ଆବଶ୍ୟକତା ରହୁଛି। ଗୁରୁତର ସ୍ଥିତିରେ ଥିବା ଯୁବରୋଗୀଙ୍କୁ ସର୍ବାଧିକ ୭ରୁ୮ ଦିନ ଧରି ଭେଣ୍ଟିଲେଟରର ଆବଶ୍ୟକତା ପଡ଼େ। କିନ୍ତୁ ରୋଗୀଙ୍କ ବୟସ ଅଧିକ ଥିଲେ ଭେଣ୍ଟିଲେଟରରେ ରଖାଯିବାର ଅବଧି ଏକ ମାସ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରେ। ଏଭଳି ସ୍ଥିତିରେ ନୂତନ ରୋଗୀଙ୍କୁ ଆଇସିୟୁରେ ରଖାଗଲେ ମଧ୍ୟ ଭେଣ୍ଟିଲେଟର ମିଳିପାରେ ନାହିଁ।

ବିଡ଼ମ୍ବନା ହେଲା, କରୋନା ମୁକାବିଲା ପାଇଁ ଦେଶର ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଆଇସିୟୁ, ଭେଣ୍ଟିଲେଟର ରହିଛି। କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ପରେ ଅନେକ ସ୍ଥାନରେ ଏସବୁର ଉପଯୋଗ ନ ହୋଇ ପଡ଼ିରହିଛି। ମାତ୍ର ଏମ୍‌ସ ଭଳି ହସ୍ପିଟାଲରେ ଯେଉଁଠି ଭେଣ୍ଟିଲେଟର୍‌ର ଆବଶ୍ୟକତା ଅଧିକ, ସେଠି ମିଳି ପାରୁନାହିଁ। ଏଥିପ୍ରତି ଦୃଷ୍ଟି ଦିଆଗଲେ ଅନେକ ମୂଲ୍ୟବାନ ଜୀବନ ବଞ୍ଚି ଯାଆନ୍ତା।

Leave A Reply

Your email address will not be published.