ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

0

ଭୁବନେଶ୍ୱର: ଚଳିତବର୍ଷ ଏଯାଏଁ ମୌସୁମୀ ବଡ଼ ଧରଣର ବର୍ଷା ଢାଳିନି । ତଥାପି ରାଜ୍ୟରେ ସ୍ୱାଭାବିକଠାରୁ ୮ ପ୍ରତିଶତ ଅଧିକ ବର୍ଷା ଆଜି ସୁଦ୍ଧା ହୋଇଛି । ହେଲେ ଏବେ ବି ୭ ଜିଲ୍ଲାରେ ନିଅଣ୍ଟିଆ ରହିଛି ବର୍ଷା । ଏବେ ସୁଦ୍ଧା ଯେତିକି ବର୍ଷା ହେବା କଥା, ତା’ଠାରୁ ୨୦%ରୁ ୫୯% ପର୍ଯ୍ୟନ୍ତ କମ୍‌ ରହିଛି ବର୍ଷା ପରିମାଣ ।ଜୁନ୍‌ ପହିଲାରୁ ୨୧ ତାରିଖ ସୁଦ୍ଧା ଓଡ଼ିଶାରେ ୧୩୬.୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷା ପରିମାଣ ହେଉଛି ୧୨୬.୬ ମିମି । ଅର୍ଥାତ୍‌ ୮% ଅଧିକ ବର୍ଷା ହେଲାଣି ଏଯାଏଁ ।

ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ଯାଜପୁର, ଭଦ୍ରକ, କେନ୍ଦୁଝର ଜିଲ୍ଲାରେ ବର୍ଷା ପରିମାଣ କମ୍‌ ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କୋରାପୁଟ ଜିଲ୍ଲାରେ ସ୍ୱାଭାବିକଠାରୁ ୬୦% କିମ୍ବା ତା’ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଏହି ୩ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଛି।
୮ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ହୋଇଛି ବର୍ଷା। କଟକ, ପୁରୀ, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ନୂଆପଡ଼ା, ମାଲକାନଗିରିରେ ସ୍ୱାଭାବିକଠାରୁ ୨୦%ରୁ ୫୯% ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇଛି । ବାକି ୧୨ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ ରହିଛି ।ବର୍ତ୍ତମାନ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ୨୦୩.୪ ମିମି ବର୍ଷା ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୪.୨ ମିମି ବର୍ଷା ହୋଇଛି ।

ପାଣିପାଗ ବିଭାଗ କହିଛି, ମଙ୍ଗଳବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୧୨ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଏଥିପାଇଁ ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ବରଗଡ଼, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ାର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ । ୨୪ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ରହିପାରେ ।

Leave A Reply

Your email address will not be published.