ଆଜି ୮୬ତମ ଉତ୍କଳ ଦିବସ

0

ଭୁବନେଶ୍ୱର : ଆଜି ୮୬ତମ ଉତ୍କଳ ଦିବସ ପାଳନ କରୁଛି ଓଡିଶା। ୧୯୩୬ ଅପ୍ରେଲ ୧ରେ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠନ ହୋଇଥିଲା ଓଡିଶା । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ।

୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ଦାବି ହୋଇଥିଲା । ଉତ୍କଳ ଗୌରବ ଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି କରାଯାଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା ।

ତେବେ ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରା ଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ପହିଲାରୁ ପାଳିତ ହେଉଥିବା ଉତ୍କଳ ଦିବସ ଓ ଅନୁରୂପ କାର୍ଯ୍ୟକ୍ରମ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । ଉତ୍କଳ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ବାରଣ କରାଯାଇଛି । ସେହିଭଳି ସରକାରୀ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ପର୍ଯ୍ୟନ୍ତ ଲୋକ ଯୋଗ ଦେଇପାରିବେ । କୋଭିଡ ମାର୍ଗନିର୍ଦ୍ଦେଶିକା ଅନୁଯାୟୀ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତ ଧୋଇବା, ସାନିଟାଇଜର ଆଦି ବ୍ୟବହାରକୁ କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.