ଆଜି ଆସାମ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ

0

ନୂଆଦିଲ୍ଲୀ: ଆଜି ଆସାମ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।

ଆସାମର ୧୨ଟି ଜିଲ୍ଲାର ୪୭ଟି ଆସନରେ ଏହି ପର୍ଯ୍ୟାୟରେ ମତଦାନ କରାଯିବ । ୨୩ ମହିଳାଙ୍କ ସମେତ ୨୬୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ୪୦.୩୧ ଲକ୍ଷ ମହିଳାଙ୍କ ସମେତ ମୋଟ ୮୧ ଲକ୍ଷ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ମତଦାନ ଲାଗି ୧୧,୫୩୭ଟି ବୁଥ ପ୍ରତିଷ୍ଠା କରାଯାଇଛି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ (ମାଜୁଲି), ପିସିସି ସଭାପତି ରିପୁନ ବୋରା (ଗୋପୁର), ଏଜିପି ସଭାପତି ଅତୁଲ ବୋରା (ବୋକାଖତ୍‌) ଓ ରାଇଜୋର ଦଳ ସଭାପତି ଅଖିଳ ଗୋଗୋଇ (ଶିବସାଗର) ।

ସେହିଭଳି ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୫ଟି ଜିଲ୍ଲାର ୩୦ ଆସନରେ ମତଦାନ ହେବ । ଏଥିପାଇଁ ୨୧ ମହିଳାଙ୍କ ସମେତ ୧୯୧ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି । ୩୬.୨୮ ଲକ୍ଷ ମହିଳାଙ୍କ ସମେତ ୭୪ ଲକ୍ଷ ଭୋଟର ସେମାନଙ୍କ ଭାଗ୍ୟ ପରୀକ୍ଷା କରିବେ । ମତଦାନ ଲାଗି ୮,୨୦୦ ପୋଲିଂ ବୁଥ ପ୍ରତିଷ୍ଠା କରାଯାଇଛି ।

Leave A Reply

Your email address will not be published.