ଆଜି ବିଶ୍ୱ ହୋମିଓପାଥି ଦିବସ

0

ଭୁବନେଶ୍ୱର : ଛୋଟ ବେଳେ ଜ୍ୱର ଥଣ୍ଡା ହେଲେ ସମସ୍ତେ ହୋମିଓପାଥି ମିଠା ଗୋଲି ଖାଇଥିବେ ନିଶ୍ଚୟ । ଖାସ୍ କରି ପିଲାମାନଙ୍କୁ ଏହା ବେଶ୍ ପସନ୍ଦ । ଅନ୍ୟ କୌଣସି କଡା ମେଡିସିନ୍ ଖାଇବା ବଦଳରେ ଏହି ମିଠା ମିଠା ଗୋଲି ଖାଇବା ପାଇଁ ପିଲାମାନେ ଜିଦ୍ କରନ୍ତି । ଆୟୁର୍ବେଦ ପରି ହୋମିଓପାଥି ମଧ୍ୟ ଏକ ଚିକିତ୍ସା ପଦ୍ଧତି । ଏହାର ପାର୍ଶ୍ୱ ପ୍ରତିକ୍ରିୟା ବହୁତ କମ୍ ବା ନାହିଁ କହିଲେ ଚଳେ । ଆଲର୍ଜି, ମାଇଗ୍ରେନ୍ ଆଦି ରୋଗକୁ ସମୁଳେ ନାଶ କରିଥାଏ ହୋମିଓପାଥି । ଆଜି ବିଶ୍ୱ ହୋମିଓପାଥି ଦିବସ ଅବସରରେ ଆସନ୍ତୁ ଜାଣିବା ହୋମିଓପାଥି ଚିକିତ୍ସାର କାହାଣୀ ଓ ଇତିହାସ ସମ୍ପର୍କରେ…

ପ୍ରତିବର୍ଷ ଏପ୍ରିଲ ମାସ ୧୦ ତାରିଖକୁ ବିଶ୍ୱ ହୋମିଓପାଥି ଦିବସ ରୂପେ ପାଳନ କରାଯାଏ । ହୋମିଓପାଥି ଚିକିତ୍ସାର ଜନ୍ମ ୧୭୯୬ ମସିହାରେ ଜର୍ମାନୀରେ ହୋଇଥିଲା । ଡ. କ୍ରିଷ୍ଟିଆନ୍ ଫ୍ରେଡରିଚ୍ ସାମୁଏଲ ହାନେମନଙ୍କୁ ମନେ ପକାଇ ଏହି ଦିବସ ପାଳନ କରାଯାଏ । ହୋମିଓପାଥି ତିଆରି ଏବଂ ବ୍ୟବହାର କରିବାରେ ଜର୍ମାନୀ ସାରା ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି।

ଡ. କ୍ରିଷ୍ଟିଆନ୍ ଫ୍ରେଡରିଚ୍ ସାମୁଏଲ ହାନେମନ ଜର୍ମାନୀରେ ୧୭୫୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ହୋମିଓପାଥିର ପ୍ରତିଷ୍ଠାତା ବୋଲି କୁହାଯାଏ । ୧୮୦୭ ମସିହାରେ ପ୍ରଥମ ଥର ପାଇଁ ‘ହୋମିଓପାଥି’ ଶବ୍ଦଟି ଛପା ହୋଇଥିବା ନଜର ଆସିଥିଲା । ଏହାର ୨୦୦ ବର୍ଷ ପରେ ବିଶ୍ୱ ହୋମିଓପାଥି ସଚେତନତା ସଂସ୍ଥା ବିଶ୍ୱ ହୋମିଓପାଥି ସଚେତନତା ସପ୍ତାହ ଏପ୍ରିଲ ୧୦ରୁ ଏପ୍ରିଲ ୧୬ ପର୍ଯ୍ୟନ୍ତ ପାଳନ ପରାମର୍ଶ ଦେଇଥିଲା । ଶେଷରେ ବିଶ୍ୱ ହୋମିଓପାଥି ଦିବସ ବୈଜ୍ଞାନିକ ସାମୁଏଲ ହାନେମନଙ୍କ ଜନ୍ମ ତାରିଖ ଏପ୍ରିଲ ୧୦ ରେ ପାଳନ କରାଯିବା ନେଇ ନିଷ୍ପତ୍ତି ନିଆଗଲା ।

କାହିଁକି ପାଳନ କରାଯାଏ
ହୋମିଓପାଥି ସମ୍ପର୍କରେ ସଚେତନତା ବଢାଇବା ଏବଂ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିବସ ପାଳନ କରାଯାଏ । ଭବିଷ୍ୟତରେ ଏହାକୁ ଆଗକୁ ବଢାଇବା ପାଇଁ ସାମ୍ନାକୁ ଆସୁଥିବା ଚାଲେଞ୍ଜକୁ ବୁଝିବା ଏବଂ ଏହାର ସମାଧାନ ବାହାର କରିବା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାମ । ଏହି ଚିକିତ୍ସା ପଦ୍ଧତିରେ କୌଣସି ଡ୍ରଗ୍ସ ଓ ସର୍ଜରୀରେ ବିଶ୍ୱାସ କରାଯାଏନି । ଏହା ସେହି ବିଶ୍ୱାସ ଉପରେ ତିଷ୍ଠି ରହିଛି ଯେ ପ୍ରତି ମଣିଷର ଭିନ୍ନ ଭିନ୍ନ ରୋଗ ହୋଇପାରେ ଏବଂ ସେମାନଙ୍କୁ ଅଲଗା ଅଲଗା ଉପାୟରେ ଚିକିତ୍ସା କରାଯାଇହେବ । ଏହାକୁ ବୈଜ୍ଞାନିକ ଡ. ସାମୁଏଲ ହାନେମନ ଆବିଷ୍କାର କରିଥିଲେ । ସେ ଏହାକୁ ନିଜ ଉପରେ ପରୀକ୍ଷା କରିଥିଲେ । ସେ ସିନଚୋନା ଡ୍ରଗ୍(ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହାର ହେଉଥିବା ଡ୍ରଗ୍) ଉପରେ ଅଧ୍ୟୟନ କରିଥିଲେ । ସେ ଏହାର ପ୍ରତିକ୍ରିୟା ଉପରେ ମଧ୍ୟ ନଜର ରଖିଥିଲେ । ଅନ୍ୟପଟେ ସେ ଅନ୍ୟ ଜଣେ ମ୍ୟାଲେରିଆ ରୋଗର ଲକ୍ଷଣ ଦେଖାଯାଉଥିବା ଅନ୍ୟ ଜଣେ ସୁସ୍ଥ ମଣିଷକୁ ହୋମିଓପାଥି ଦେଇଥିଲେ । ଶେଷରେ ସେ ଜାଣିବାକୁ ପାଇଲେ ଯେ ଏହାର କୌଣସି ବି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ । ଏହା ପରେ ହାନେମନ ନିଜ ଟ୍ରାନ୍ସଲେଟର ଭାବେ ଥିବା ଚାକିରୀ ଛାଡିଦେଲେ ଏବଂ ଏହା ଉପରେ ଆଗକୁ ନିଜ ଗବେଷଣା ଜାରି ରଖିଥିଲେ । ସେ ଅନେକ ଭାଷା ଯଥା ଇଂରାଜୀ, ଫ୍ରେଞ୍ଚ, ଇଟାଲିଆନ, ଗ୍ରୀକ୍ ଏବଂ ମେଡିକାଲର ଲାଟିନ୍ ଭାଷା ଆଦି ଶିଖିଥିଲେ ।

Leave A Reply

Your email address will not be published.