ସ୍ବାସ୍ଥ୍ୟ ହେଉଛି ଶାରୀରିକ, ମାନସିକ ଓ ସାମାଜିକସ୍ତରରେ ସୁସ୍ଥତା। ଏହା କେବଳ ରୋଗ କିମ୍ବା ବିକଳାଙ୍ଗର ଅନୁପସ୍ଥିତି ନୁହେଁ। ମାନସିକ ସ୍ବାସ୍ଥ୍ୟର ଗୁରୁତ୍ବ ଶାରୀରିକ ସ୍ବାସ୍ଥ୍ୟ ଅପେକ୍ଷା ଅଧିକ। ଅନେକ ରୋଗ ଉଭୟ ଶାରୀରିକ ଓ ମାନସିକ କାରଣରୁ ହୋଇଥାଏ। ଏତଦ୍ବ୍ୟତୀତ ଏବେ ସମାଜରେ ସାମାଜିକ ରୋଗମାନ ଦ୍ରୁତଗତିରେ ବୃଦ୍ଧି ପାଉଛି। ମଦ୍ୟପାନ, ନିଶା ସେବନ, ହତ୍ୟା, ବଳତ୍କାର, ଦୁର୍ଘଟଣା ଭଳି ଅନେକ ସାମାଜିକ ରୋଗ ସମାଜକୁ ପଙ୍ଗୁ ଓ କଳୁଷିତ କରି ପକାଇଲାଣି। ଏହାସହ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ହେଉଛି ଅନେକ ରୋଗ ଓ ଦୁର୍ଦ୍ଦଶାର ମୂଳ କାରଣ। ‘ଶରୀର ଆଦ୍ୟମ ଖଳୁ ଧର୍ମ ସାଧନମ’ ଅର୍ଥାତ ଶରୀର ଠିକ ନ ରହିଲେ, ଅନ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବା ସମ୍ଭବ ନୁହେଁ।
ସୁନ୍ଦର ଓ ସୁସ୍ଥ ବିଶ୍ବର ପରିକଳ୍ପନା ହୋଇପାରିବ, ଯଦି ଆମେ ମୌଳିକ ସ୍ବାସ୍ଥ୍ୟ ସୁବିଧାଗୁଡ଼ିକ ଜନସାଧାରଣଙ୍କ ପାଖରେ ପହଞ୍ଚାଇ ପାରିବା। ସେଥିରୁ କେତେକ ଗୁରୁତ୍ବପୂର୍ଣ୍ଣ କଥା ହେଲା, ନିରାପଦ ପାନୀୟ ଜଳ, ରହିବା ପାଇଁ ସ୍ବାସ୍ଥ୍ୟାନୁକୁଳ ବାସଗୃହ, ପୁଷ୍ଟିଯୁକ୍ତ ଖାଦ୍ୟ, ପ୍ରାଣଘାତକ ରୋଗମାନଙ୍କର ଟିକା ଦ୍ୱାରା ପ୍ରତିଷେଧକ, ମୁକ୍ତ ବାୟୁ, ଦୁର୍ଘଟଣା ରହିତ ଯାତାୟାତ, ଉତ୍ତମ ଗମନାଗମନ ବ୍ୟବସ୍ଥା, ଉତ୍ତମ ଶିଶୁ ଓ ମାତୃ ସ୍ୱାସ୍ଥ୍ୟ ସେବା, ଉପଯୁକ୍ତ ପରିବାର କଲ୍ୟାଣ ପରାମର୍ଶ ଓ ବିଧାନ, ଶିଶୁମାନଙ୍କର ସମୟଭିତ୍ତିକ ଟିକାକରଣ ଓ ସ୍ବାସ୍ଥ୍ୟ ଯାଞ୍ଚ, ଶତପ୍ରତିଶତ ଆନୁଷ୍ଠାନିକ ପ୍ରସବ ସୁବିଧା, ବିଶ୍ରାମ ଓ ବ୍ୟାୟାମ, ତମାଖୁ ତଥା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ନିଶାଦ୍ରବ୍ୟ ଇତ୍ୟାଦିର ନିୟନ୍ତ୍ରଣ, ଶକ୍ତିର କାର୍ଯ୍ୟଦକ୍ଷତା ବୃଦ୍ଧି ଓ ରୋଜଗାର କରିବା ପନ୍ଥାର ବ୍ୟବସ୍ଥା ଓ ଆହୁରି ଏହିପରି ଅନେକ ସ୍ୱାସ୍ଥ୍ୟ ଜଡ଼ିତ କଥା ରହିଛି। ଯାହା ପ୍ରତ୍ୟେକ ମଣିଷର ଜୀବନ ପରିସରରେ ଆସିବା ଉଚିତ। ଏହାସହ ଗୁରୁତ୍ବ ଓ ଦୀର୍ଘ ଦିନ ରୋଗ ପାଇଁ ବୀମା ଓ ମାଗଣା ସ୍ୱାସ୍ଥ୍ୟ ବ୍ୟବସ୍ଥା ଏହି ସାର୍ବଜନୀନ ସ୍ୱାସ୍ଥ୍ୟବୀମା ଜରୁରୀ।
ଭଗବାନ କେଉଁ ଲକ୍ଷ୍ୟ ନେଇ ‘ମାନବ’କୁ ସୃଷ୍ଟି କରିଛନ୍ତି, ତାହା ଆମେ ଜାଣି ନ ଥାଇପାରୁ। ମାତ୍ର ମାନବ ତାହାର ଜୀବନକୁ ଉତ୍ତମ ରୂପେ ବଞ୍ଚିବାର ଆବଶ୍ୟକତା ରହିଛି। ପ୍ରାଥମିକ ସ୍ତରରେ ସ୍ୱାସ୍ଥ୍ୟ ଅଭ୍ୟାସଗୁଡ଼ିକର ପାଳନ ଯଥା ଉତ୍ତମ ଖାଦ୍ୟ, ଜଳ, ବ୍ୟାୟାମ, ଠିକ୍ରେ ଶୋଇବା, ଠିକ୍ରେ ଉଠିବା, ପରିଷ୍କାର ପରିଚ୍ଛନ୍ନ ରହିବା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ। ନିର୍ଦ୍ଦିଷ୍ଟ ରୋଗ ପାଇଁ ନିର୍ଦ୍ଦିଷ୍ଟ ଟିକା ଓ ଖାଦ୍ୟ ପଦାର୍ଥ ନେବା ବା କମ୍ କରିବା ଜରୁରୀ। ଥାଇରଏଡ୍ ପାଇଁ ଆୟୋଡିନ୍, ଉଚ୍ଚ ରକ୍ତଚାପ ପାଇଁ କମ୍ ଲୁଣ, ଡାଇବେଟିସ୍ ପାଇଁ କମ୍ ଚିନି ଇତ୍ୟାଦି। ଦ୍ୱିତୀୟ ସ୍ତରରେ ରୋଗ ହେଲେ ସଂଗେସଂଗେ ରୋଗ ନିରୂପଣ ଓ ସଅଳ ଚିକିତ୍ସା(Early diagnosis and treatment) ଦରକାର। ଏଥିପାଇଁ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରାମର୍ଶ ନେବା ଉଚିତ। ତୃତୀୟସ୍ତର ହେଉଛି ବିକଳାଙ୍ଗତା କମ କରିବା ଓ ଥରେ ହେଲେ ସେଥିପାଇଁ ଜୀବନ ଧାରଣ ବ୍ୟବସ୍ଥା କରିବା (Disability limitations and rehabilitation)।
ବର୍ତ୍ତମାନ କୋଭିଡ୍-୧୯ ପରିପ୍ରେକ୍ଷୀରେ କେତେ ଲୋକ ସ୍ୱୟଂ ଜୀବନଯାପନ କରିବାରେ ସକ୍ଷମ ଓ ଅନ୍ୟମାନଙ୍କ ଅପେକ୍ଷା ସ୍ୱାସ୍ଥ୍ୟ ସେବାର ଲାଭ ଉଠାଉଛନ୍ତି। ମାତ୍ର ଅନ୍ୟ ଦିଗରେ କେତେକ ବ୍ୟକ୍ତିବେଶେଷ ସ୍ୱଳ୍ପ ରୋଜଗାର, ବାସଗୃହ ହୀନ, କମ ଶିକ୍ଷା, କର୍ମସଂସ୍ଥାନର ଅଭାବ, ଲିଙ୍ଗଗତ ବୈଷମ୍ୟତା, ଉପଯୁକ୍ତ ବାତାବରଣର ଅଭାବ, ନିରାପଦ ପାଣି, ପବନ, ଖାଦ୍ୟ ନିରାପତ୍ତା, ଜୀବନ ନିରାପତ୍ତା ଓ ସ୍ୱାସ୍ଥ୍ୟସେବାର ଅଭାବ ଯୋଗୁଁ ଅଧିକ ରୋଗାକ୍ରାନ୍ତ ହେଉଛନ୍ତି। ତେଣୁ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟପ୍ରଦ ଜୀବନଯାପନ ଓ କର୍ମସଂସ୍ଥାନ ଓ ବ୍ୟବସ୍ଥା ଏକ ଗୁରୁତ୍ବପୂର୍ଣ୍ଣ କଥା। ଏହା ନିମନ୍ତେ ସବୁସ୍ତରରେ ପ୍ରୟାସ ହେବା ଜରୁରୀ। ଏହାଦ୍ୱାରା ଏକ ସୁସ୍ଥ ଓ ସୁନ୍ଦର ବିଶ୍ୱ ସମ୍ଭବ ହୋଇପାରିବ।
ଡା. ରାମଚନ୍ଦ୍ର ରାଉତ,
ବରିଷ୍ଠ ଚିକିତ୍ସକ