ଆଜିି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ

0

ଭୁବନେଶ୍ୱର: ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ସୋମବାର ରାଜ୍ୟ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କ ସମେତ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଏବଂ ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସହ ସମସ୍ତ ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଯୋଗଦେବେ । କରୋନା ସଂକ୍ରମଣ ଏବଂ ଏହାଜନିତ କଟକଣା କାରଣରୁ ଏହି ବୈଠକ ଭିଡିଓ କନଫରେନ୍‌ସ (ଭର୍ଚୁଆଲ) ଜରିଆରେ ଅନଷ୍ଠିତ ହେବ । ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଂଚଳରେ ରହି ଭିଡିଓ କନଫରେନ୍‌ସ (ଭର୍ଚୁଆଲ) ଜରିଆରେ ଯୋଡି ହେବେ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ରବିବାର ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଛି । ବିଶେଷଭାବେ ରାଜ୍ୟରେ କ୍ରମଶଃ ବୃଦ୍ଧି ପାଉଥିବା ଉତ୍କଟ ଆଇନଶୃଙ୍ଖଳା ପରିସ୍ଥିତି, ଧାନମଣ୍ଡି ଓ କୃଷକ ସମସ୍ୟା, ମହିଳା ଏବଂ ଶିଶୁ ନିର୍ଯାତନା ବୃଦ୍ଧି ପାଇବା, ଡିଏମ୍‌ଏଫ୍‌ ଓ କାମ୍ପା ଫଣ୍ଡ ଦୁର୍ନୀତି, ମହାମାରୀ କୋଭିଡ କୁପରିଚାଳନା ଓ ଦୁର୍ନୀତି, ବାଲି ଦୁର୍ନୀତି, ସୀମା ବିବାଦ, ତ୍ରୁଟିପୂର୍ଣ୍ଣ ଶିକ୍ଷା ନୀତି, ପାନୀୟ ଜଳ ସମସ୍ୟା, ଗୋସୁରକ୍ଷା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଏହି ପଦାଧିକାରୀ ବୈଠକରେ ଚିନ୍ତା ପ୍ରକଟ କରାଯିବା ସହ ବିସ୍ତୃତ ଆଲୋଚନା କରାଯାଇଥିଲା । ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପରିପ୍ରେକ୍ଷୀରେ ଗତକାଲି ପଦାଧିକାରୀ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି ।

ରବିବାର ପଦାଧିକାରୀ ବୈଠକରେ ଯୋଗଦେଇ ଉପସ୍ଥିତ ସମସ୍ତ ପଦାଧିକାରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ମତାମତ ପ୍ରଦାନ କରିଥିଲେ । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲ୍‌ ସିଂ ତୋମାର ପ୍ରମୁଖ ଭିଡିଓ କନଫରେନ୍‌ସିଂ ଜରିଆରେ ଯୋଡି ହୋଇଥିଲେ ।

Leave A Reply

Your email address will not be published.