ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି

0

ପୁରୀ: ମହାପ୍ରଭୁଙ୍କ ଘୋଷଯାତ୍ରା ଜୁଲାଇ ୧୨ ତାରିଖରେ ଅନୁଷ୍ଠିତ ହେବ । ଏହାର ତିିନି ଦିନ ପୂର୍ବରୁ ଆର୍ଥାତ ଜୁଲାଇ ୯ ତାରିଖରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ରାତ୍ସବ ନୀତି ପାଳନ ହେବ । ତଦନୁଯାୟୀ ଜୁଲାଇ ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ହେବ । ଚଳିତ ବର୍ଷ ବିନା ଭକ୍ତରେ ଏହି ସବୁ ନୀତି ପାଳନ ହେଉଥିବାରୁ ଭକ୍ତମାନେ ପ୍ରଭୁଙ୍କ ନବଯୌବନ ଦର୍ଶନର ସୁଯୋଗ ପାଇବେ ନାହିଁ ।

ମହାପ୍ରଭୁଙ୍କ ସେବାରେ ମଙ୍ଗଳବାର ଉପସ୍ଥିତ ହେବେ ଦଇତାପତି ସେବାୟତ । ପରମ୍ପରା ମୁତାବକ ତ୍ରୟୋଦଶୀ ତିଥିରେ ଦଇତାପତି ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି । ମଙ୍ଗଳବାର ଦ୍ୱାଦଶୀ ସହ ତ୍ରୟୋଦଶୀ ତିଥି ରହିଛି । ଦଇାତାପତି ସେବକ କହିଛନ୍ତି ଜୁନ୍‌ ୨୨ ତାରିଖରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ପୂର୍ବରୁ ଆମେ ପ୍ରଭୁଙ୍କ ସେବାରେ ହାଜର ହେବୁ । ବଡ଼ଦେଉଳ ପ୍ରବେଶ ଦିନ ଠାକୁରଙ୍କ ବାହୁଟକଣ୍ଟ ନୀତି ଆମେ ସନ୍ଧ୍ୟା ଧୂପ ପରେ ଶେଷ କରିବୁ। ତା ପରେ କୋଠସୁଆଁସିଆ ରତ୍ନଦେବିରେ ଚାରମାଳ ବାନ୍ଧିବେ । ଏହା ପରେ ଜୁନ ୨୩ରେ ସେନାପଟା ଲାଗି ନୀତି ସମ୍ପାଦନ କରିବୁ ।

ଉଲ୍ଲେଖନୀ ତ୍ରୟୋଦଶୀ ତିଥି ଠାରୁ ଆରମ୍ଭ କରି ଦେବସ୍ନାନ ପୂର୍ଣ୍ଣିମା, ଅଣସର ବିଜେ, ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ସହ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତି ସେବକ ଠାକୁରଙ୍କ ସେବାରେ ରହିବେ । ସ୍ନାନପୂର୍ଣ୍ଣିମା ରାତିରୁ ମହାପ୍ରଭୁଙ୍କ ଅଣସର ବିଜେ ବେଳେ ଦଇତାପତି ଗୋପନ ନୀତି ଆରମ୍ଭ କରିବେ । ଅଣସର ବିଜେ ବେଳେ ଦଇତାପତି ସେବାୟତ ମହାପ୍ରଭୁଙ୍କର ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଅଣସର ପିଣ୍ଡିରେ ଅନେକ ଗୋପନ ସେବା କରିବେ । ସେହିଭଳି ସ୍ନାନଯାତ୍ରା, ଶ୍ରୀଗୁଣ୍ଡିଚା, ବାହୁଡା ଯାତ୍ରା, ନୀଳାଦ୍ରି ବିଜେ ପର୍ବରେ ପ୍ରଭୁଙ୍କ ପହଣ୍ଡି ଭଳି ଗୁରୁତ୍ୱପୂର୍ଣ୍ଣ ନୀତି ଦଇତାପତିଙ୍କ ଉପରେ ନ୍ୟସ୍ତ ରହିବ ।

Leave A Reply

Your email address will not be published.