ଆଜିଠୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ

0

ଭୁବନେଶ୍ୱର : ଘରୋଇକରଣକୁ ବିରୋଧ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ସୋମବାର ଠାରୁ ଦୁଇ ଦିନିଆ ଧର୍ମଘଟରେ ସାମିଲ ହେଉଛନ୍ତି । ଦେଶବ୍ୟାପୀ ଏମାନେ ବିକ୍ଷୋଭ ପ୍ରଦର୍ଶନ କରିବେ । ବ୍ୟାଙ୍କ ଶାଖାରେ ଟଙ୍କା ଉଠାଇବା ଏବଂ ଜମା କରିବା, ଚେକ୍ କ୍ଲିୟରାନ୍ସ ଏବଂ ଋଣ କ୍ଲିୟରାନ୍ସ ଭଳି ସେବା ଉପରେ ଏହି ଧର୍ମଘଟ ପ୍ରଭାବ ପକାଇବ। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ (UFBU) ବ୍ୟାନରରେ ନଅଟି ୟୁନିଅନ୍ ଏହି ଧର୍ମଘଟ ଡାକରା ଦେଇଛନ୍ତି। ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA)ର ସାଧାରଣ ସମ୍ପାଦକ ସିଏଚ୍ ଭେଙ୍କଟଚଲମ ୧୦ ଲକ୍ଷ ବ୍ୟାଙ୍କର୍ ଏହି ଧର୍ମଘଟରେ ଯୋଗଦେଇଥିବା ଦାବି କରିଛନ୍ତି।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ କାନାରା ବ୍ୟାଙ୍କ ସମେତ ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ସୂଚନା ଦେଇଛନ୍ତି ଯେ ସୋମବାର ଏବଂ ମଙ୍ଗଳବାର ଦିନ ଏହି ଧର୍ମଘଟ ସେମାନଙ୍କ କାର୍ଯ୍ୟାଳୟ ଏବଂ ଶାଖାଗୁଡ଼ିକର କାର୍ଯ୍ୟ ଉପରେ ପ୍ରଭାବ ପକାଇପାରେ। ତେବେ ପ୍ରସ୍ତାବିତ ଧର୍ମଘଟ ଦିନ ବ୍ୟାଙ୍କ ଏବଂ ଶାଖାଗୁଡ଼ିକରେ ଉନ୍ନତ କାର୍ଯ୍ୟ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ବ୍ୟାଙ୍କ ଗୁଡିକ କହିଛନ୍ତି।

ଅପର ପକ୍ଷରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟରେ ଘୋଷଣା କରିଥିଲେ ଯେ ସରକାର ଚଳିତ ବର୍ଷ ଦୁଇଟି ସରକାରୀ କ୍ଷେତ୍ର ବ୍ୟାଙ୍କ ଏବଂ ଗୋଟିଏ ବୀମା କମ୍ପାନୀକୁ ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାର ଏହା ପୂର୍ବରୁ ଆଇଡିବିଆଇ ବ୍ୟାଙ୍କରେ ଥିବା ଅଧିକାଂଶ ଅଂଶକୁ ଲାଇଫ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆକୁ ବିକ୍ରି କରିଥିଲେ। ଗତ ଚାରିବର୍ଷ ମଧ୍ୟରେ ୧୪ଟି ସରକାରୀ କ୍ଷେତ୍ର ବ୍ୟାଙ୍କ ମିଶ୍ରିତ ହୋଇଛି।

ଏହି ଧର୍ମଘଟରେ ୟୁନାଇଟେଡ୍ ଫ୍ରଣ୍ଟ ଏବଂ ବ୍ୟାଙ୍କ ୟୁନିଅନ୍ସ (ୟୁଏଫବିୟୁ) ରେ ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେଶନ (AIBOC) ନ୍ୟାସନାଲ କନଫେଡେରେସନ୍ ଅଫ୍ ବ୍ୟାଙ୍କ ଏମ୍ପ୍ଲଇଜ୍ (ଏନସିବିଏ), ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ୍ (AIBOA) ଏବଂ ବ୍ୟାଙ୍କ ଏମ୍ପ୍ଲଇଜ୍ କନଫେଡେରେସନ୍ ଅଫ୍ ଇଣ୍ଡିଆ (BEFI) ଅନ୍ତର୍ଭୁକ୍ତ ରହିଛନ୍ତି।

ଧର୍ମଘଟ ସମୟରେ ଏଟିଏମ୍ ଗୁଡିକ ସଂଚାଳିତ ରହିବ। ତେବେ ଗତ ଶନିବାର ଓ ରବିବାର ମଧ୍ୟ ବ୍ୟାଙ୍କ ବନ୍ଦ ଥିବାରୁ ବ୍ୟାଙ୍କିଂ ସେବା ଉପରେ ଅଧିକ ପ୍ରଭାବ ପଡିବ।

Leave A Reply

Your email address will not be published.