ନୂଆଦିଲ୍ଲୀ : ଆଜିଠୁ ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ୍ । ଲର୍ଡସରେ ନାଟକୀୟ ବିଜୟ ହାସଲ ପରେ ଆତ୍ମବିଶ୍ବାସରେ ଥିବା ବିରାଟ କୋହଲିଙ୍କ ଦଳ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ ଖେଳିବ। ଭାରତ ୧-୦ରେ ଆଗୁଆ ଥିବାରୁ ଶୃଙ୍ଖଳାରେ ପ୍ରଧାନ୍ୟ ଜାରି ରଖିବାକୁ ଚାହିଁବ ଟିମ୍ ଇଣ୍ଡିଆ । ଆଉ ଏକ ବିଜୟ ପାଇଲେ ଭାରତ ମଧ୍ୟ ଶୃଙ୍ଖଳାରେ ସୁରକ୍ଷିତ ରହିପାରିବ।
ଅନ୍ୟପକ୍ଷରେ ଆହତ ସମସ୍ୟା ଭିତରେ ଯୁଝୁଥିବା ଘରୋଇ ଜୋ ରୁଟ୍ ଙ୍କ ଦଳ ପ୍ରତ୍ୟାବର୍ତନ କରିବାକୁ ଆଶା ରଖିଛି। ପ୍ରଥମ ଦୁଇ ଟେଷ୍ଟରେ ଭାରତ ସବୁ ଦିଗରୁ ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲା। ଏପରିକି ଭାରତର ଶୀର୍ଷ ମଧ୍ୟକ୍ରମରେ ଚେତେଶ୍ବର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ ଲମ୍ବା ପାଳି ଖେଳିପାରିନଥିଲେ ମଧ୍ୟ ଦଳ ବିଜୟୀ ହୋଇଛି। ୨୦୧୯ ନଭେମ୍ବର ମାସ ପରଠାରୁ ବିରାଟ କୋହଲିଙ୍କ ବ୍ୟାଟରୁ ଅନ୍ତର୍ଜାତୀୟ ଶତକ ମିଳିନାହିଁ। ପ୍ରଥମ ଦୁଇ ଟେଷ୍ଟ୍ ରେ କୋହଲି ଭଲ ବ୍ୟାଟିଂ କରିପାରି ନାହାନ୍ତି । ତୃତୀୟ ଟେଷ୍ଟରେ ତାଙ୍କଠାରୁ ଦଳ ଅଧିକ ଆଶା ରଖିଛି । ପ୍ରାରମ୍ଭିକ ଯୋଡ଼ି ରୋହିତ ଶର୍ମା ଏବଂ କେଏଲ୍ ରାହୁଲଙ୍କ ଜରିଆରେ ଭାରତର ବ୍ୟାଟିଂ ଦୃଢ଼ ରହିଛି। ଲିଡ୍ ସର ହେଡିଙ୍ଗଲେ ପିଚ୍ ମଧ୍ୟ ଦ୍ରୁତ ବୋଲରଙ୍କୁ ସୁହାଇବ। ଏହି କାରଣରୁ ଭାରତ ଏହାର ୪ ଜଣିଆ ପେସ୍ ଆକ୍ରମଣ ଯୋଜନାରେ ଅଟଳ ରହିପାରେ । ଫଳରେ ଯଶପ୍ରୀତ୍ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ମହମ୍ମଦ ସିରାଜ ଖେଳିବା ନିଶ୍ଚିତ।