ଆଜିଠୁ ନବରଙ୍ଗପୁରରେ ନାଇଟ୍‌ କର୍ଫ୍ୟୁ

0

ଭୁବନେଶ୍ୱର  : କରୋନା ଲେଉଟାଣି କୋପ ଭୟଙ୍କର ହେଲାଣି । ମାଡ଼ି ମାଡ଼ି ଚାଲିଛି । ପଜିଟିଭ୍‌ ସଂଖ୍ୟା ଡରାଉଥିବା ବେଳେ ବିଟ୍ରେନ୍‌ ଷ୍ଟ୍ରେନ୍‌ ଓଡ଼ିଶା ଆସି ସାରିଛି । ଏବେ ନୁହେଁ, ଡିସେମ୍ବର ମାସରୁ ଚିହ୍ନଟ ହେଲେଣି । ୩ ରୋଗୀ ଚିକିତ୍ସିତ ହୋଇ ସୁସ୍ଥ ମଧ୍ୟ ହୋଇ ସାରିଲେଣି । ମାଲକାନଗିରି ପରେ ଆଜିଠୁ ନବରଙ୍ଗପୁରରେ ନାଇଟ୍‌ କର୍ଫ୍ୟୁ ଲାଗିଛି ।

ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୯୦୦ ଉପରେ ରହିଛି । କଟକରେ ୧୫୫, ଖୋର୍ଦ୍ଧାରେ ୧୧୬, ସୁନ୍ଦରଗଡ଼ରେ ୧୧୬, ନୂଆପଡ଼ାରେ ୫୬, ମୟୂରଭଞ୍ଜରେ ୭୮ ରୋଗୀ ଏବେ ରହିଛନ୍ତି । କଟକ ଓ ଖୋର୍ଦ୍ଧା ପରେ ନୂଆପଡ଼ା ଚିନ୍ତା ବଢାଇଛି । ଜିଲ୍ଲାର ସିନାପାଲି ବ୍ଲକ୍‌ର ଗୋଟିଏ ଗାଁର ୨୯ ଜଣ ଚିହ୍ନଟ ହୋଇଛନ୍ତି । ଦିନକରେ ବୁଧବାରରେ କଟକରୁ ୨୩, ଖୋର୍ଦ୍ଧାରୁ ୨୩, ନୂଆପଡ଼ାରୁ ୨୭ ଆଉ ସୁନ୍ଦରଗଡ଼ରୁ ୨୨ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ ମାଲକାନଗିରି ଓ ନୟାଗଡ଼ ଦୁଇଟି କରୋନା ମୁକ୍ତ ଜିଲ୍ଲା ହୋଇ ରହିଛି ।

ସବୁପରେ କିନ୍ତୁ ନମୁନା ପରୀକ୍ଷା ସଂଖ୍ୟା ବଢିପାରୁନି । ବୁଧବାର ମଧ୍ୟ ମାତ୍ର ୨୫,୮୨୯ ନମୁନା ପରୀକ୍ଷା ହୋଇଥିଲା । ଆର୍‌ଟିପିସିଆର୍‌ ଟେଷ୍ଟିଂ ବଢାଇବାକୁ କୁହାଯାଉଥିଲେ ମଧ୍ୟ ଏବେ ବି ଭରସା ହେଉଛି ଆଣ୍ଟିଜେନ୍‌ ଟେଷ୍ଟ ।

ଡିସେମ୍ବରରୁ ଆସିଲାଣି ବ୍ରିଟେନ ଷ୍ଟ୍ରେନ୍‌, ଲୁଚାଇଥିଲେ

ଦିନରେ ସଂକ୍ରମିତଙ୍କ ସଂଖ୍ୟା ଡରାଇଥିବା ବେଳେ ସନ୍ଧ୍ୟାରେ ବ୍ରିଟେନ୍‌ ଷ୍ଟ୍ରେନ୍‌ କଥା ଭୟ ବଢାଇଛି । ଆଜି ନୁହେଁ, ୪ ମାସ ହେଲାଣି ଓଡ଼ିଶାକୁ ବ୍ରିଟେନ୍‌ ଷ୍ଟ୍ରେନ୍‌ ଆସି ସାରିଛି ।୩ ଜଣଙ୍କ ଦେହରେ ଚିହ୍ନଟ ହୋଇଥିଲା ଏହି ଭୂତାଣୁ । ଚିହ୍ନଟ ସମସ୍ତେ ରାଜଧାନୀର ବାସିନ୍ଦା । ସମସ୍ତେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରି ଯାଇଛନ୍ତି । ରାଜ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇ ସାରିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ସାରାଦେଶରେ ୭୩୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆମ ରାଜ୍ୟରୁ ୩ ଜଣ ରହିଛନ୍ତି । ତେବେ ଦେଶରେ ୩୪ ଜଣ ଦକ୍ଷିଣ ଆଫ୍ରିକା ଓ ଗୋଟିଏ ବ୍ରାଜିଲ୍‌ ଷ୍ଟ୍ରେନ୍‌ ମଧ୍ୟ ଚିହ୍ନଟ ହୋଇଛି । ତେବେ ଜିଲ୍ଲାର ସ୍ଥିତିକୁ ଦେଖି ଜିଲ୍ଲାପାଳ ନାଇଟ୍‌ କର୍ଫ୍ୟୁ ନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ନବରଙ୍ଗପୁରରୁ ନୂଆ ସଂକ୍ରମଣ ଚିହ୍ନଟ ହୋଇନି । ସକ୍ରିୟ ରହିଛନ୍ତି ମାତ୍ର ୧୧ ଜଣ ।  ତଥାପି ଛତିଶଗଡ଼ ପଟୁ ଭୟ ଥିବାରୁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ନେଇଛି । ନାଇଟ୍‌ କର୍ଫ୍ୟୁ ଲଗାଇବା ସହ ଗହଳି ରୋକିବାକୁ ପଦକ୍ଷେପ ନିଆଯାଇଛି । ରାତି ୮ ରୁ ୬ ଯାଏ କର୍ଫ୍ୟୁ ଲାଗିବ । ଘରୋଇ ଓ ସର୍ବସାଧାରଣ ସ୍ଥଳରେ ୫ ରୁ ଅଧିକ ଲୋକ ଏକାଠି ହେବା ଉପରେ ରୋକ୍‌ ଲଗାଯାଇଛି । ସଭାସମିତି, ସେମିନାର, କର୍ମଶାଳାକୁ ବାତିଲ୍‌ କରାଯାଇଛି । ରାଜନୈତିକ ଦଳ ଏଣିକି ସଭାସମିତି କିମ୍ବା ଆନ୍ଦୋଳନ କରିପାରିବେନି । ବିବାହ ଉତ୍ସବରେ ସର୍ବାଧିକ ୨୦୦ ଜଣ ଓ ଶେଷକୃତ୍ୟରେ ମାତ୍ର ୫୦ ଜଣଙ୍କୁ ଅନୁମତି ଦିଆଯାଇଛି । ଛତିଶଗଡ଼ ପଟୁ ବିପଦ ଥିବାରୁ ମାଲକାନଗିରି କରୋନା ଶୂନ୍ୟ ଥିବା ସତ୍ତେ୍ୱ ପଦକ୍ଷେପ ନେଇ ଆଗୁଆ ନାଇଟ୍‌ କର୍ଫ୍ୟୁ ଆଉ କଟକଣା ଲାଗୁ କରିଛି । ୨୯ ଚିହ୍ନଟ ହୋଇଥିବା ନୂଆପଡ଼ା ଜିଲ୍ଲାର ଗାଁ ହେଉଛି ଛତିଶଗଡ଼ ସୀମାରେ । ଛତିଶଗଡ଼ ସୀମାକୁ ଲାଗିଥିବା କଳାହାଣ୍ଡି ଓ ଝାରସୁଗୁଡ଼ାକୁ ମଧ୍ୟ ବିପଦ ରହିଛି ।

Leave A Reply

Your email address will not be published.