ଆଜିଠୁ ଅନ୍‌ଲାଇନ୍‌ରେ ମିଳିବ ପ୍ରାକ୍ଟିକାଲ୍‌ ପାଇଁ ଆଡମିଟ୍‌ କାର୍ଡ, ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ଫଳ ପ୍ରକାଶ କରିବାକୁ ସିଏଚ୍‌ଏସ୍‌ଇ ତତ୍ପର

0

ଭୁବନେଶ୍ୱର: ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ବା ଦ୍ୱାଦଶ ଫଳ ପ୍ରକାଶ କର । ଗୁରୁବାର ସୁପ୍ରିମକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ହଠାତ ଏଭଳି ନିର୍ଦ୍ଦେଶ ପାଇ ଏ ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ବୈଠକ କରାଯାଇଛି। କିଭଳି ସମୟ ଅନୁସାରେ ଫଳ ପ୍ରକାଶ କରିହେବ, ସେନେଇ ବ୍ୟାପକ ଆଲୋଚନା କରାଯାଇଥିବା ପରିଷଦର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ସେହିପରି, ଜୁଲାଇ ୭ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ପ୍ରାକ୍ଟିକାଲ୍‌ ରେକର୍ଡ ଦାଖଲ କରିବା ପାଇଁ ସମୟ ଦିଆଯାଇଥିବାବେଳେ ଛାତ୍ରଛାତ୍ରୀଙ୍କ ଆଡମିଟ୍‌କାର୍ଡ ଗତ ୨୧ରୁ ଜୁନିୟର୍‌ କଲେଜଗୁଡିକୁ ପଠାଯାଇଛି । ଯେଉଁମାନେ କଲେଜ ଆସିପାରିବେ ନାହିଁ, ସେମାନେ ଶୁକ୍ରବାରଠୁ ଅନଲାଇନ୍‌ରେ ସାମ୍‌ସ ୱେବସାଇଟ୍‌ରୁ ଆଡମିଟ କାର୍ଡ ଡାଉନଲୋଡ୍‌ କରିପାରିବେ ।

ଉଲ୍ଲେଖଯୋଗ୍ୟ, ଜୁଲାଇ ୩୧ ତାରିଖ ମଧ୍ୟରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ଦ୍ୱାଦଶ ଫଳ ପ୍ରକାଶ ଲାଗି ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରିବା ସହିତ ମୂଲ୍ୟାୟନ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟକୁ ଅବଗତ କରିଛି । ଅନୁରୂପ ଭାବେ ଆଇସିଏସଇ ବୋର୍ଡ ମଧ୍ୟ ଜୁଲାଇ ୨୦ ସୁଦ୍ଧା ଦ୍ୱାଦଶ ଫଳ ପ୍ରକାଶ କରିବ ବୋଲି ସୂଚନା ଦେଇଛି । ସିବିଏସ୍‌ଇ ଓ ଆଇସିଏସ୍‌ଇ ସହିତ ସମସ୍ତ ରାଜ୍ୟ ବୋର୍ଡଗୁଡିକ ମଧ୍ୟ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବା ଓ ଆସନ୍ତା ୧୦ ଦିନ ମଧ୍ୟରେ ମୂଲ୍ୟାୟନର ପ୍ରକ୍ରିୟା ନିର୍ଦ୍ଧାରଣ କରିବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି । ଯାହା ସିଏଚଏସଇ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଦୀର୍ଘ ଦିନ ହେବ କଲେଜଗୁଡିକ ବନ୍ଦ ରହିଥିବାରୁ ଛାତ୍ରଛାତ୍ରୀମାନେ ନିଜ ନିଜର ଗାଁକୁ ପଳାଇଛନ୍ତି ।

ଲକ୍‌ଡାଉନ୍‌ ଓ ସଟଡାଉନ୍‌ ଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ କଲେଜ ଆସି ପ୍ରାକ୍ଟିକାଲ୍‌ ରିପୋର୍ଟ ଦେବାକୁ ପଡ଼ିବ । କିଛି ଛାତ୍ରଛାତ୍ରୀ ନ ଆସିପାରିଲେ ମଧ୍ୟ ଅନଲାଇନ୍‌ରେ ଆଡମିଟ୍‌ କାର୍ଡ ଡାଉନଲୋଡ୍‌ କରି ନିଜର ପ୍ରାକ୍ଟିକାଲ୍‌ ରିପୋର୍ଟ ପୋଷ୍ଟାଲ୍‌ରେ ପଠାଇପାରିବେ । ଛାତ୍ରଛାତ୍ରୀ ନିଜେ ନ ଆସିପାରିଲେ ଅଭିଭାବକଙ୍କ ଦ୍ୱାରା ମଧ୍ୟ ପଠାଇପାରିବେ । ପ୍ରାକ୍ଟିକାଲ୍‌ ରିପୋର୍ଟ ମିଳିବା ପରେ ଆରମ୍ଭ ହେବ ଥିଓରିର ସବଜେକ୍ଟ ମ୍ୟାପିଂ ଅନୁସାରେ ମାର୍କ ପ୍ରଦାନ । ଥିଓରି ଓ ପ୍ରାକ୍ଟିକାଲ୍‌ ମାର୍କ ଆସିବା ପରେ ହେବ ଟାବୁଲେସନ୍‌ । ଆଉ ଶେଷରେ ଏହି ସମସ୍ତ ମାର୍କକୁ ନେଇ ରାଜ୍ୟ ବାହାରେ ହାର୍ଡ କପି ପ୍ରିଣ୍ଟ୍‌ କରିବା ସହିତ ଫଳ ପ୍ରକାଶ ଭଳି ବହୁ ଆହ୍ୱାନ ରହିଛି ପରିଷଦ ଆଗରେ ।

Leave A Reply

Your email address will not be published.