ନୂଆଦିଲ୍ଲୀ : ଏକତରଫା ପ୍ରେମର କରୁଣ ପରିଣତି। ୧୬ ବର୍ଷୀୟା ନାବାଳିକାଙ୍କୁ କୁରାଢ଼ୀରେ ହାଣି ହତ୍ୟା। ମୃତକ ନାବାଳିକା ଏକାଦଶ ଶ୍ରେଣୀରେ ପଢ଼ୁଥିଲେ। ସେ ତାଇକୋଣ୍ଡୁ ଖେଳାଳି ହୋଇଥିବା ବେଳେ ବହୁ ମେଡାଲ୍ ପାଇଥିଲେ। ତାଙ୍କୁ ଅଭିଯୁକ୍ତ ଗୋଡ଼ାଇ ଗୋଡ଼ାଇ କୁରାଢ଼ୀରେ ହାଣିଥିବା ଜଣାପଡ଼ିଛି। ସେ ଜଣେ ଭଲ ତାଇକୋଣ୍ଡୁ ପ୍ଲେୟର ହୋଇଥିବା ବେଳେ ତାଙ୍କୁ ଅଭିଯୁକ୍ତ କୁରାଢ଼ୀରେ ପଛ ପଟୁ ଆକ୍ରମଣ କରିନଥିଲେ ସେ ନିଜକୁ ରକ୍ଷା କରିପାରିଥାନ୍ତା ବୋଲି ମୃତକଙ୍କ ବାପା କହିଛନ୍ତି । ସେପଟେ ନାବାଳିକାଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିବାର ଦୃଶ୍ୟ ତାଙ୍କ ମା ଦେଖିଥିଲେ କିନ୍ତୁ ସେ ତାଙ୍କ ଝିଅ ବୋଲି ଜାଣିପାରିନଥିଲେ ।
ଦିଲ୍ଲୀର ମୋତିବାଗ ଅଞ୍ଚଳରେ ଜଣେ ଏକତରଫା ପ୍ରେମିକ ୧୬ ବର୍ଷୀୟା ଝିଅକୁ ସୋମବାର ଦ୍ବିପ୍ରହରରେ କୁରାଢ଼ୀରେ ଆକ୍ରମଣ କରିଥିଲା। ନାବାଳିକା ଦୌଡ଼ି ଖସିଯିବାକୁ ବସିଥିବା ବେଳେ ଅଭିଯୁକ୍ତ ତାଙ୍କ ପଛପଟୁ କୁରାଢ଼ୀରେ ଦୁଇ ଥର ଚୋଟ ପକାଇଥିଲେ। ଏହା ପରେ ଗୁରୁତର ବାଳିକାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଜନଙ୍କ ଅଭିଯୋଗ କ୍ରମେ ଶାସ୍ତ୍ରୀ ମାର୍ଗ ଅଞ୍ଚଳରେ ରହୁଥିବା ୨୦ ବର୍ଷୀୟ ପ୍ରଦୀପ ଓରଫ ପ୍ରବୀଣ ସୋମବାର ନାବାଳିକାଙ୍କ ଘରେ ପହଞ୍ଚି ତାଙ୍କ ଉପରେ ଆକ୍ରମଣ କରିଥିଲା।
ଅଭିଯୁକ୍ତ ତାଙ୍କୁ ଏକତରଫା ପ୍ରେମ କରିବା ସହ ବନ୍ଧୁତା ସ୍ଥାପନ କରିବାକୁ ବାଧ୍ୟ କରୁଥିଲା। କିନ୍ତୁ ଝିଅଟି ଏହାକୁ ପ୍ରତିବାଦ କରିଥିଲା। ଏପରିକି ରାସ୍ତାରେ ଅଟକାଇ ଝିଅଟିକୁ ହଇରାଣ ହରକତ କରୁଥିଲା ପ୍ରବୀଣ। ଆକ୍ରମଣ କରିବା ପରେ ପ୍ରବୀଣ ପଲବଲ୍ରେ ଥିବା ଭଉଣୀ ଘରେ ଲୁଚିଥିଲା। ସେଠାରୁ ସାଉଥ କ୍ୟାମ୍ପସ୍ ପୋଲିସ ତାକୁ ଗିରଫ କରିଛି। ପଚରା ଉଚରା ପରେ ଅଭିଯୁକ୍ତ କହିଛି, ଝିଅକୁ ହଇରାଣ କରିବା ପରେ ତାଙ୍କ ବାପା ତାକୁ ଚାପୁଡ଼ା ମାରିଥିଲେ।
ଏହାର ପ୍ରତିଶୋଧ ନେବାକୁ ନାବାଳିକାଙ୍କୁ କୁରାଢ଼ୀରେ ଆକ୍ରମଣ କରିଥିଲା ବୋଲି ଅଭିଯୁକ୍ତ କହିଛି। ସେପଟେ ଝିଅର ପିଛା କରୁଥିବାରୁ ପ୍ରବୀଣକୁ ଚାପୁଡ଼ା ମାରିଥିଲେ ବୋଲି ମୃତକଙ୍କ ବାପା କହିଛନ୍ତି। ସମୟ ପୂର୍ବରୁ ଯଦି ପ୍ରବୀଣ ସମ୍ପର୍କରେ ଥାନାରେ ଅଭିଯୋଗ କରାଯାଇଥାନ୍ତା ଆଜି ତାଙ୍କ ଝିଅ ବଞ୍ଚିଯାଇଥାନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି