ଆଲସ୍କା ୧୪।୮: ଆମେରିକା ଆଲସ୍କାରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ମପା ଯାଇଛି। ସ୍ଥାନୀୟ ସମୟ ସକାଳ ପ୍ରାୟ ୫ଟା ୨୭ ମିନିଟ୍ରେ କମ୍ପନ ଅନୁଭୂତ ହୋଇଥିଲା। ଆମେରିକା ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲଜି ଭୂମିକମ୍ପର ଉତ୍ପତି ସ୍ଥଳ ହୋମରରୁ ୬୦୫ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଥିଲା ବୋଲି ଅନୁମାନ କରିଛନ୍ତି।
ତେବେ ଆଲସ୍କାରେ ଏହା ପ୍ରଥମ ବଡ଼ ଧରଣର ଭୂମିକମ୍ପ ନୁହେଁ। ଏହା ପୂର୍ବରୁ ଗତ ୨୮ ଜୁଲାଇରେ ଏଠାରେ ୮.୨ ତୀବ୍ରତାର କମ୍ପନ ଅନୁଭୂତ ହୋଇଥିଲା। ଏହା ବାସ୍ତବିକ ଭୀଷଣ ଭୂମିକମ୍ପ ଥିଲା। ଲୋକେ ଏଥିରେ ଆତଙ୍କିତ ହୋଇପଡିଥିଲେ। ଏହି ଭୂମିକମ୍ପ ପରେ ପରେ ସୁନାମୀ ଚେତାବନୀ ମଧ୍ୟ ଜାରି ହୋଇଥିଲା। ତେବେ କିଛି ସମୟ ପରେ ସୁନାମୀ ସତର୍କତା ପ୍ରତ୍ୟାହାର କରି ନିଆଯାଇଥିଲା।
ତେବେ ଶନିବାର ପ୍ରତ୍ୟୁଷରେ ହୋଇଥିବା କମ୍ପନ ୨୮ ଜୁଲାଇ ଭଳି ଏତେ ଭୀଷଣ ନଥିଲେ ହେଁ ଗୋଟିଏ ପକ୍ଷରେ ଲାଗଲାଗ ୨ ଥର କମ୍ପନ ଏବେ ଚିନ୍ତାର ବିଷୟ ପାଲଟିଛି।ଭୂମିକମ୍ପ କ୍ଷୟକ୍ଷତି ନେଇ ଏପର୍ଯ୍ୟନ୍ତ ଅଭିଯୋଗ ମିଳି ନାହିଁ। ତେବେ କମ୍ପନର ତୀବ୍ରତା ଓ ଅନୁଭୂତ ସମୟ ଦୃଷ୍ଟିରୁ ଏହା ବିଶେଷ କ୍ଷୟକ୍ଷତି କରି ନଥିବ ବୋଲି ଅନୁମାନ କାରଯାଉଛି।