ଆଣ୍ଡ୍ରଏଡ୍‌ ୟୁଜରମାନଙ୍କ ପାଇଁ ବଡ଼ ଚେତାବନି: ଗୁଗୁଲ ପ୍ଲେ-ଷ୍ଟୋରରେ ବୁଲୁଛି ୮ ବିପଦପୂର୍ଣ୍ଣ ଆପ୍,

0

ନୂଆଦିଲ୍ଲୀ : ଆଗକୁ ପଛକୁ ଚିନ୍ତା ନ କରି ୟାଡୁ ସ୍ୟାଡୁ ଆପ୍‌ ଇନ୍‌ଷ୍ଟଲ କରିବା ଯେ କେତେ ଭୟଙ୍କର, ତାହା ଅନେକେ ହୃଦୟଙ୍ଗମ କରି ନ ଥିବେ । ଗବେଷକମାନେ ଇତି ମଧ୍ୟରେ ଆଣ୍ଡ୍ରଏଡ୍‌ ୟୁଜରମାନଙ୍କ ପାଇଁ ଏକ ବଡ଼ ଚେତାବନି ଦେଇଛନ୍ତି ।

ଏମାନଙ୍କ କହିବାନୁଯାୟୀ, ଗୁଗୁଲ୍‌ ପ୍ଲେ-ଷ୍ଟୋରରେ ଏଭଳି ୮ଟି ଭୟଙ୍କର ଆପ୍‌ ରହିଛି, ଯେଉଁଗୁଡ଼ିକ ୟୁଜରଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଖାଲି କରିଦେଇପାରନ୍ତି । ଭୁଲବଶତଃ ଯଦି କେହି ଏ ଆପ୍‌ଗୁଡ଼ିକୁ ଇନ୍‌ଷ୍ଟଲ କରନ୍ତି ତା’ହେଲେ ସବୁ ଶେଷ । ଏହି ଆପ୍‌ଗୁଡ଼ିକ ଟୁ-ୱେ ଅଥେଣ୍ଟିଫିକେସନ୍‌କୁ ବି ଏଡ଼ାଇ ପାରିବାରେ ସକ୍ଷମ ।

ଗବେଷକଙ୍କ କହିବାନୁସାରେ, ଯଦି ୟୁଜରଙ୍କ ଫୋନ୍‌ରେ ଏହି ଆପ୍‌ଗୁଡ଼ିକ ଇନ୍‌ଷ୍ଟଲ ରହିଛି, ତା’ହେଲେ ସେଗୁଡ଼ିକୁ ତୁରନ୍ତ ଡିଲିଟ୍‌ କରିଦିଅନ୍ତୁ । ଚେକ୍‌ ପଏଣ୍ଟ ରିସର୍ଚ୍ଚ ଏହାର ରିପୋର୍ଟରେ ଏଭଳି ସୂଚନା ଦେଇଛି । ରିପୋର୍ଟରେ ଏକ ମାଲ୍‌ୱେର୍‌ ଡ୍ରପର ବିଷୟରେ ଉଲ୍ଲେଖ କରାଯାଇଛି । ଏହାକୁ ‘କ୍ଲାଷ୍ଟ-୮୨’ ନାମରେ ନାମିତ କରାଯାଇଛି । ଏହା ଏହି ୮ଟି ଆପ୍‌ ଜରିଆରେ ପ୍ରସାରିତ ହେଉଛି । ଡ୍ରପରକୁ ନେଇ ସବୁଠୁ ଭୟଙ୍କର ବିଷୟ ହେଉଛି ଏହା ମାଧ୍ୟମରେ ମୋବାଇଲ ଫୋନ୍‌ଗୁଡ଼ିକରେ ମାଲ୍‌ୱେର ବିସ୍ତାର କରାଯାଉଛି । ଲୋକଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇପାରେ ଡ୍ରପର ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

ଏପରିକି ଡ୍ରପର ଗୁଗୁଲ୍‌ ପ୍ଲେ ପ୍ରୋଟେକ୍ଟ ଆଖିରୁ ମଧ୍ୟ ଖସିଯିବାରେ ସକ୍ଷମ ହୋଇଥାଏ । ଏହି ଡ୍ରପର ୟୁଜରଙ୍କ ଫୋନ୍‌ରେ ଏଲିଏନ୍‌ବୋଟ୍‌ ଇନ୍‌ଷ୍ଟଲ କରିଥାଏ, ଯାହାକି ହ୍ୟାକରକୁ ଦୂରରୁ ରହି ବୈଧ ଫାଇନାନ୍‌ସିଆଲ ଆପ୍‌ରେ ମାଲିସିୟସ୍‌ କୋଡ୍‌ ପକାଇବାରେ ସାହାଯ୍ୟ କରିଥାଏ । ‘କ୍ଲାଷ୍ଟ ୮୨’ ଫୋନରେ ଏମ୍‌ଆର୍‌ଏଟିକୁ ବି ଇନ୍‌ଷ୍ଟଲ କରିଥାଏ । ଏହା ଏଭଳି ଏକ ପ୍ରୋଗ୍ରାମ, ଯାହା ମୋବାଇଲ ଡିଭାଇସ୍‌ର ରିମୋଟ୍‌ ଆକ୍ସେସ୍‌ ତୃତୀୟ ପକ୍ଷକୁ ଦେଇଥାଏ । ଖାଲି ସେତିକି ନୁହେଁ । ଏହି ଦୁଇଟି ପ୍ରୋଗ୍ରାମ ଏତେ ମାତ୍ରାରେ ଭୟଙ୍କର ଯେ, ୟୁଜରଙ୍କ ମୋବାଇଲରେ ଥିବା ବ୍ୟାଙ୍କିଙ୍ଗ୍‌ ଆପ୍‌ଗୁଡ଼ିକୁ ସହଜରେ ହାଇଜାକ୍‌ କରିପାରିବେ ଏବଂ ୟୁଜରଙ୍କ ବିତ୍ତୀୟ ବିବରଣୀକୁ ଚୋରି କରିପାରିବେ ।

ଗବେଷକ କହିଛନ୍ତି ଯେ, ଡିଭାଇସ୍‌କୁ ନିୟନ୍ତ୍ରଣକୁ ନେବା ପରେ ହ୍ୟାକର ଫୋନ୍‌ରେ ଅନ୍ୟ ଫଙ୍କସନ୍‌ଗୁଡ଼ିକୁ ବି ନିୟନ୍ତ୍ରଣକୁ ନେଇପାରେ । ମୋଟାମୋଟି ଭାବେ ଫୋନ୍‌ ହ୍ୟାକରର ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଚାଲିଯାଏ । ହ୍ୟାକର କୌଣସି ନୂଆ ଆପ୍‌କୁ ୟୁଜରଙ୍କ ମୋବାଇଲରେ ଇନ୍‌ଷ୍ଟଲ କରିପାରିବ କିମ୍ବା ଟିମ୍‌ ଭ୍ୟୁୟର ଜରିଆରେ ୟୁଜରଙ୍କ ଡିଜାଇସ୍‌କୁ ନିୟନ୍ତ୍ରଣ କରିପାରେ । ଏହି ଆପ୍‌ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ୟୁଜର କେତେକ ଉପାୟ ଆପଣାଇପାରିବେ । ପ୍ରଥମେ ସେଟିଙ୍ଗ୍‌ସକୁ ଯିବେ ଏବଂ ଆପ୍ଲିକେସନ୍‌କୁ ଯାଇ ତଳକୁ ସ୍କ୍ରୋଲ କରି ସନ୍ଦିଗ୍ଧ ଆପ୍‌ଗୁଡ଼ିକୁ ଖୋଜିବେ । ଏହା ପରେ ଆପ୍‌ ଉପରେ ଟ୍ୟାପ୍‌ କରି ଏଗୁଡ଼ିକୁ ଅନ୍‌ଇନ୍‌ଷ୍ଟଲ କରିପାରିବେ । ଏହାବ୍ୟତୀତ ବ୍ୟାଙ୍କିଙ୍ଗ୍‌ ଆପ୍‌ ଏବଂ ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ପାସ୍‌ୱାର୍ଡ ବଦଳାଇବା ମଧ୍ୟ ଭଲ ବିକଳ୍ପ ହେବ ।

Leave A Reply

Your email address will not be published.