ଭୁବନେଶ୍ୱର: ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ଅଫ୍ଲାଇନ୍ରେ ପରୀକ୍ଷା ଆସନ୍ତା ୩୦ରୁ ଅଗଷ୍ଟ ୫ ଯାଏ ହେବ । ଜିଲ୍ଲା ଓ ବ୍ଲକ୍ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯିବ । କୋଭିଡ୍ ଗାଇଡ୍ଲାଇନ୍ରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ବିନା ମାସ୍କରେ କୌଣସି ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ ନାହିଁ । ପରୀକ୍ଷା ସରିବା ପରେ ୧୦ରୁ ୧୫ ଦିନ ଭିତରେ ଖାତା ମୂଲ୍ୟାୟନ କରାଯିବ । ଅଗଷ୍ଟ ୨୨ ତାରିଖ ସୁଦ୍ଧା ଫଳ ବାହାରିବ । ଆଜି ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା ସମ୍ପର୍କରେ ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ।
ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷା ଦେବାକୁ ୧୫,୧୧୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି । ଜିଲ୍ଲା ଓ ବ୍ଲକ୍ ମୁଖ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ। ଆବଶ୍ୟକସ୍ଥଳେ ଉପାନ୍ତ ତଥା ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ପରୀକ୍ଷା କେନ୍ଦ୍ର କରିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି। ପରୀକ୍ଷା ପରିଚାଳନା ଦାୟିତ୍ୱର ଥିବା ସମସ୍ତଙ୍କର କୋଭିଡ୍ ପରୀକ୍ଷା କରାଯିବ । ପ୍ରତି ପରୀକ୍ଷା କେନ୍ଦ୍ରରେ ଗୋଟିଏ ଲେଖାଏଁ ସଂଗରୋଧ କେନ୍ଦ୍ର ରହିବ । ପରୀକ୍ଷା କେନ୍ଦ୍ରରେ କୋଭିଡ୍ ନିୟମ ପାଳନ ଉପରେ ନଜର ରଖିବାକୁ ବ୍ଲକ୍ ଓ ଜି୍ଲ୍ଲାସ୍ତରରେ କୋଭିଡ୍ ସ୍କ୍ୱାଡ ଗଠନ କରାଯିବ । ଏହାର ନେତୃତ୍ୱ ନେବେ ଜିଲ୍ଲାପାଳ ।
ପରୀକ୍ଷା ସରିବା ପରେ ୧୦ରୁ ୧୫ ଦିନ ଭିତରେ ଖାତା ମୂଲ୍ୟାୟନ କରାଯିବ । ଅଗଷ୍ଟ ୨୨ ସୁଦ୍ଧା ଫଳ ପ୍ରକାଶ ପାଇବ । ମୂଲ୍ୟାୟନ କେନ୍ଦ୍ରକୁ ସାନିଟାଇଜ କରାଯିବ । କେନ୍ଦ୍ରରେ ଥିବା ସମସ୍ତ କର୍ମଚାରୀଙ୍କ ଥର୍ମାଲ୍ ସ୍କ୍ରିନିଂ, ହ୍ୟାଣ୍ଡ ସାନିଟାଇଜ୍ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ ।