ଭୁବନେଶ୍ଵର: ଆସନ୍ତାକାଲି ହୋଲି ପାଇଁ ପ୍ରଥମାର୍ଦ୍ଧରେ ବନ୍ଦ ରହିବ ମୋ ବସ୍ ସେବା। ଏହାପରେ ଅପରାହ୍ଣ ୩ଟାରୁ ପୁଣି ଥରେ ବସ୍ ସେବା ଆରମ୍ଭ ହେବ। ହୋଲି ପାଇଁ ମାଷ୍ଟରକ୍ୟାଣ୍ଟିନରେ ଥିବା ପାସ୍ କାଉଣ୍ଟର ମଧ୍ୟ ବନ୍ଦ ରହିବ। ଏନେଇ ସିଆରୟୁଟି ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।
ଅନ୍ୟପଟେ ହୋଲି ପାଇଁ କମିଶନରେଟ ପୋଲିସ ପକ୍ଷରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ମୁତୟନ କରାଯିବ। ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ତେବେ ହୋଲି ସମୟରେ ସମସ୍ତ ଥାନା ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହ ୧୨ ଜଣ ଡିସିପି ଓ ୧୫ ଜଣ ଏସିପିଙ୍କୁ ସୁରକ୍ଷା ତଦାରଖ କରିବାକୁ ଦାୟିତ୍ଵ ଦିଆଯାଇଛି। ଏତଦ୍ ବ୍ୟତୀତ ସହରରେ ଅପ୍ରିତୀକର ସ୍ଥିତି ଏଡାଇବାକୁ ଷ୍ଟାଇକିଂ ଫୋର୍ସକୁ ସଜାଗ ରହିବାକୁ କୁହାଯାଇଛି।
ତେବେ ଆସନ୍ତାକାଲି ସାମୂହିକ ହୋଲି ପାଳନ ଉପରେ କଟକଣା ଲଗାଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଆଶଙ୍କା କରି ସମସ୍ତେ ଘରେ ରହି ହୋଲି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି।