ଆସନ୍ତା ମେ’ ୪ ତାରିଖରୁ ଦଶମ ଓ ଦ୍ୱାଦଶ ପରୀକ୍ଷା

0

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାଦଶ ଓ ଦଶମ ଶ୍ରେଣୀର ପରୀକ୍ଷା ଆସନ୍ତା ମେ’ ୪ ତାରିଖରୁ ଅନୁଷ୍ଠିତ ହେବ । ଛାତ୍ରଛାତ୍ରୀମାନେ ଚାହିଁଲେ ପରୀକ୍ଷା କେନ୍ଦ୍ରକୁ ବଦଳାଇପାରିବେ । ଯେଉଁଠି ସେମାନେ ଥିବେ ସେଇଠି ହିଁ ପରୀକ୍ଷା ଦେଇପାରିବେ । କରୋନା ପାଇଁ ବହୁ ଛାତ୍ରଛାତ୍ରୀ ଅଭିଭାବକଙ୍କ ସହ ଅନ୍ୟ ସହରକୁ ସ୍ଥାନାନ୍ତରିତ ହୋଇଛନ୍ତି । ତେଣୁ ଏହାକୁ ଭିତ୍ତି କରି ପରୀକ୍ଷା କେନ୍ଦ୍ର ବଦଳିପାରିବ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

କୋଭିଡ୍‌-୧୯ ପାଠପଢ଼ା ପ୍ରଭିବାତ ହୋଇଛି । ପିଲାମାନେ ନିଜ ପଢୁଥିବା ସ୍କୁଲର ସ୍ଥାନ ଛାଡ଼ି ଅନ୍ୟତ୍ର ରହୁଛନ୍ତି । ସ୍କୁଲ ଦୀର୍ଘ ଦିନ ବନ୍ଦ ରହିଥିବାରୁ ଏଥରକ ବି ପରୀକ୍ଷା ବିଳମ୍ବ ହୋଇଛି । ଚଳିତବର୍ଷ ମେ’ ୪ରୁ ପରୀକ୍ଷା ଆରମ୍ଭ ହେବ । କିନ୍ତୁ ବହୁ ଛାତ୍ରଛାତ୍ରୀ ପୂର୍ବରୁ ଦେଉଥିବା ପରୀକ୍ଷା କେନ୍ଦ୍ରଠୁ ଛାଡ଼ି ଅନ୍ୟ ସହରରେ ରହୁଛନ୍ତି ବୋଲି ସିବିଏସ୍‌ଇ ପ୍ରକାଶ କରିଛି । ତେଣୁ ଛାତ୍ରଛାତ୍ରୀମାନେ ଯେଭଳି କୌଣସି ଅସୁବିଧାର ସମ୍ମୁଖୀନ ହେବେନି ଏହାକୁ ଭିତ୍ତିକରି ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ହୋଇପାରିବ ବୋଲି ସିବିଏସ୍‌ଇ ବିଜ୍ଞପ୍ତି ଜାରି କରିଛି ।

ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, କେନ୍ଦ୍ର ପରିବର୍ତ୍ତନ କରିବା ପାଇଁ ଛାତ୍ରଛାତ୍ରୀମାନେ ସିଧାସଳଖ ଆବେଦନ କରିପାରିବେ ନାହିଁ । ଏଥିପାଇଁ ସେମାନେ ସ୍କୁଲକୁ ଆସନ୍ତା ୨୫ ତାରିଖ ସୁଦ୍ଧା ଆବେଦନ କରିବେ । ଏହାପରେ ସ୍କୁଲ କର୍ତ୍ତୃପକ୍ଷ ଆସନ୍ତା ୩୧ ତାରିଖ ସୁଦ୍ଧା ସ୍କୁଲ ଲଗ୍‌ଇନ୍‌ ଆଇଡ୍‌ ମାଧ୍ୟମରେ ପିଲାଙ୍କ ପାଇଁ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ଲାଗି ଆବେଦନ କରିବେ । ଥରେ ଯାହା ଆବେଦନ ହୋଇଥିବ, ସେହି ହିସାବରେ କେନ୍ଦ୍ର ପରିବର୍ତ୍ତନ ହେବ । ପୁନର୍ବାର ଆବେଦନ ହୋଇପାରିବ ନାହିଁ । ଛାତ୍ରଛାତ୍ରୀ ଚାହିଁଲେ ଉଭୟ ପ୍ରାକ୍ଟିକାଲ୍‌ ଓ ଥିଓରି ପାଇଁ କେନ୍ଦ୍ର ପରିବର୍ତ୍ତନ କରିପାରିବେ । ହେଲେ ଦୁଇଟି ପରୀକ୍ଷା ପାଇଁ ସମାନ କେନ୍ଦ୍ର ହେବ ।

ଅନ୍ୟପକ୍ଷରେ, ସ୍କୁଲରେ ପ୍ରାକ୍ଟିକାଲ୍‌ ପରୀକ୍ଷା ଗୋଟିଏ ଦିନରେ ଦୁଇଟି ସିଫ୍ଟ ପରିବର୍ତ୍ତେ ତିନୋଟି ସିଫ୍ଟ୍‌ରେ କରାଯାଇପାରିବ । ସ୍କୁଲଗୁଡ଼ିକ ପକ୍ଷରୁ ପ୍ରାକ୍ଟିକାଲ୍‌ ସିଫ୍ଟ ବଢ଼ାଇବା ଆବେଦନକୁ ଭିତ୍ତିକରି ସିବିଏସ୍‌ଇ ଏହି ଅନୁମତି ଦେଇଛି । ଏହାଦ୍ୱାରା ପରୀକ୍ଷା ସହଜରେ ଓ ଶୀଘ୍ର ହୋଇପାରିବ । ଫଳରେ ଛାତ୍ରଛାତ୍ରୀମାନେ ଥିଓରି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ ।

Leave A Reply

Your email address will not be published.