ଆତଙ୍କ ଖେଳାଇଛି ଅଜଣା ଜ୍ବର

0

ଲକ୍ଷ୍ନୌ : ଆତଙ୍କ ଖେଳାଇଛି ଅଜଣା ଜ୍ବର ! ବିଭିନ୍ନ ସ୍ଥାନରେ ଡେଙ୍ଗୁ ସଂହାର ଲୀଳା ଚଳାଇଥିବା ବେଳେ ଅଜଣା ରୋଗ ମଧ୍ୟ ଜୀବନ ନେଉଛି। ଉତ୍ତରପ୍ରଦେଶର ଫିରୋଜାବାଦରେ ମୃତ୍ୟୁର ତାଣ୍ଡବ ଦେଖିବାକୁ ମିଳିଛି। ୧୧ ଦିନରେ ୩୯ ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୩୨ ଜଣ ଶିଶୁ ଅଛନ୍ତି। ଶିଶୁ ପୁତ୍ରଙ୍କ ଶବ ସଂସ୍କାର କରୁଛି ବୁଢ଼ା ବାପ।  ଫିରୋଜାବାଦରେ ଏବେ ସ୍ଥିତି ସଙ୍ଗୀନ ଥିବା ବେଳେ ଅଜାଣ ରୋଗରେ ପ୍ରଭାବିତ ବ୍ୟକ୍ତଙ୍କଠୁ ଖବର ସଂଗ୍ରହ କରିଛି ‘ଦ ପ୍ରିଣ୍ଟ’। ସର୍ବେଶ କୁମାର ନାମକ ଜଣେ ଅର୍ଦ୍ଧବୟସ୍କ ଲୋକ। ଯିଏକି ବାହୁନି ବାହୁନି କାନ୍ଦୁଛନ୍ତି । ୫ ପିଲାରୁ ସେ ନିଜ ହାତରେ ୩ ପିଲାଙ୍କ ଶବ ସଂସ୍କାର କରିସାରିଲେଣି। ଯେଉଁମାନେ ଏହି ଅଜଣା ରୋଗରେ ମୃତ୍ୟୁବରଣ କରିଛନ୍ତି।

୩ ବର୍ଷର ଆକାଶ, ରାମୁର ବୟସ ୭ ଏବଂ ୧୦ ବର୍ଷର ମୋହିନୀକୁ ବାପା ସର୍ବେଶ ବଞ୍ଚାଇ ପାରିଲେ ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ କାନ୍ଦି କାନ୍ଦି କହିଛନ୍ତି। ସର୍ବେଶଙ୍କ କହିବା ଅନୁଯାୟୀ, ରାମୁ ରୋଗରେ ପଡ଼ିବା ପରେ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଇବାକୁ ଦିଆଗଲା ନାହିଁ। ସେଠାକର ଡାକ୍ତର ଏବଂ କର୍ମଚାରୀ ତାକୁ ଆଗ୍ରା ନେଇଯିବାକୁ କହିଥିଲେ। କିନ୍ତୁ ବାଟରେ ରାମୁର ଜୀବନ ଚାଲିଯାଇଥିଲା। ଫେରି ରାମୁର ଶବ ସଂସ୍କାର ବେଳେକୁ ମୋ ଝିଅ ମୋହିନୀ ଏବଂ ପରେ ପରେ ପୁଅ ଆକାଶ ବି ଚାଲିଗଲା ବୋଲି କୋହ ଭରା କଣ୍ଠରେ କହିଛନ୍ତି ସର୍ବେଶ ।

ସବୁଠୁ ବଡ଼ କଥା ହେଉ ଏଯାଏ ଅଜଣା ରୋଗ ସମ୍ପର୍କରେ ଜାଣିବାରେ ଫେଲ୍‌ ମାରିଛି ଜିଲ୍ଲା ପ୍ରଶାସନ।  ୨୦ ଅଗଷ୍ଟରୁ ଫିରୋଜାବାଦରେ ଆରମ୍ଭ ହୋଇଥିବା ରୋଗରେ ୭ ଜଣ ବୟସ୍କ ମଧ୍ୟ ଜୀବନ ହରାଇଲେଣି। ଏନେଇ ଜିଲ୍ଲାପାଳ ଚନ୍ଦ୍ର ବିଜୟ ସିଂହ ସୂଚନା ଦେଇଛନ୍ତି। ଏହି ରୋଗ ଏବେ କେବଳ ଫିରୋଜାବାଦରେ ଅଟକି ନାହିଁ ବରଂ ମଥୁରା, ଆଗ୍ରା, ମେନପୁର, ଇଠା ଏବଂ କାସଗଞ୍ଜରେ ପହଞ୍ଚିଗଲାଣି। କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ରାଜ୍ୟ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ।

ତେବେ ଅଜଣା ଜ୍ବର ପିଲାମାନଙ୍କୁ ଅଧିକ ଆକ୍ରାନ୍ତ କରୁଥିବା ବେଳେ ନୂଆ ନୂଆ ଲକ୍ଷଣ ଦେଖାଯାଉଥିବା ନେଇ ସୂଚନା ମିଳିଛି। ଏହାକୁ ଡେଙ୍ଗୁ ଭଳି ଏକ ରୋଗ କୁହାଯାଉଛି ସତ କିନ୍ତୁ ସଠିକ୍‌ ତଥ୍ୟ ମିଳିପାରି ନାହିଁ। ମୁଣ୍ଡବିନ୍ଧା, ଦେହ ହାତ ବିନ୍ଧା, ହଠାତ ଶରୀରରୁ ପ୍ଲେଟଲେଟ୍‌ କମିଯିବା, ପେଟବିନ୍ଧା ଆଦି ଲକ୍ଷଣ ଦେଖାଯାଉଛି। କିନ୍ତୁ ଜଣେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଦି ପ୍ରିଣ୍ଟକୁ କହିଛନ୍ତି, ଅଧିକାଂଶ ସାମ୍ପଲ ଡେଙ୍ଗୁ ପଜିଟିଭ୍‌ ମିଳିଛି।  କିଛି ସାମ୍ପଲରେ କୌଣସି ସ୍ପଷ୍ଟ ତଥ୍ୟ ମିଳିପାରୁ ନାହିଁ ।

ଅନେକ ଶିଶୁଙ୍କ ଶରୀରରେ ଭିନ୍ନ ଲକ୍ଷଣ, ଜ୍ବର ବ୍ୟତୀତ ଯକୃତରେ ଜ୍ବଳନ, ପେଟର ପାଣି ଜମିବା ଆଦି ଲକ୍ଷଣ ଦେଖାଯାଉଛି ବୋଲି ଡିଏମ ଚନ୍ଦନ ସିଂହ କହିଛନ୍ତି। ଏନେଇ ଲକ୍ଷ୍ନୌ ଡାକ୍ତରୀ ଦଳ ଫିରୋଜାବାଦରେ ପହଞ୍ଚିଛନ୍ତି। ସାମ୍ପଲକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି। ଖୁବଶୀଘ୍ର ଅଜଣା ରୋଗ ଉପରେ ନିୟନ୍ତ୍ରଣ ଆସିପାରିବ ବୋଲି ଜିଲ୍ଲାପାଳ ଆଶ୍ବସନା ଦେଇଛନ୍ତି।

Leave A Reply

Your email address will not be published.