ଅଗଷ୍ଟରେ ବି ହେବନି ବଡ ବର୍ଷା

0

ଭୁବନେଶ୍ୱର,:  ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଅଗଷ୍ଟ ମାସ ପାଇଁ ଦେଶରେ ମୌସୁମୀ ବର୍ଷାର ଆକଳନ କରିଛି । ଏଥିରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ସ୍ୱାଭାବିକ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । କିନ୍ତୁ ଓଡ଼ିଶାରେ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ହୋଇପାରେ ବୋଲି ଏଥିରୁ ଜଣାପଡ଼ିଛି । ପ୍ରଥମ ୧୫ ଦିନ ବର୍ଷା ସମ୍ପୂର୍ଣ୍ଣ ଉଭାନ୍‌ ହୋଇଯିବ ବୋଲି ପାଣିପାଗ ବିଶେଷଜ୍ଞ ସତର୍କ କରାଇ ଦେଇଛନ୍ତି । ଏହାକୁ ନେଇ ମରୁଡ଼ି ଆଶଙ୍କା ଘନେଇଛି ।

ଆଇଏମ୍‌ଡିର ଏହି ପୂର୍ବାନୁମାନ କହୁଛି, ଅବିଭକ୍ତ କୋରାପୁଟ ଜିଲ୍ଲାର କିଛି ଅଞ୍ଚଳ, ଦେବଗଡ ଓ ମୟୂରଭଞ୍ଜର କିଛି ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ସେହିଭଳି ବାଲେଶ୍ୱର ଓ କେନ୍ଦ୍ରାପଡ଼ାର ସୀମିତ କିଛି ଅଞ୍ଚଳରେ ସ୍ୱାଭାବିକ ବର୍ଷା ହୋଇପାରେ । ଏହି ଦୁଇ ଜିଲ୍ଲାକୁ ଛାଡ଼ି ବାକି ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳ ଓ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ଅଗଷ୍ଟ ମାସରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବ । ରାଜ୍ୟର ବାକି ଅଞ୍ଚଳରେ ବର୍ଷାକୁ ନେଇ ଅନିଶ୍ଚିତତା ରହିଛି ।

ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି, ଆଇଏମ୍‌ଡିର ଆକଳନକୁ ଦେଖିଲେ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ହେବା ଆଶଙ୍କାକୁ ଏଡାଇ ଦେଇ ହେବନି । ପ୍ରଥମତଃ ଅଗଷ୍ଟ ମାସରେ ପୂର୍ବ ମାସ ଭଳି ଭାରତ ମହାସାଗର(ଡାଇପୋଲ୍‌) ନେଗେଟିଭ୍‌ ବା ବିଯୁକ୍ତ ରହିଛି । ପୂର୍ବ ବର୍ଷ ମାନଙ୍କରେ ଯେବେ ଏହା ନେଗେଟିଭ୍‌ ହୋଇଛି ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ କମ୍‌ ବର୍ଷା ହୋଇଛି । ଦ୍ୱିତୀୟରେ, ଲା ନିନା ମୌସୁମୀ ପର୍ଯ୍ୟନ୍ତ ଆସିବନି । ଏଣୁ ବର୍ଷା ସମ୍ଭାବନା କମ୍‌ । ତୃତୀୟରେ ରାଜ୍ୟର ଯେଉଁ ଅଞ୍ଚଳରେ ଏବେ ବର୍ଷାକୁ ନେଇ ଅନିଶ୍ଚିତତା ଦେଖାଦେଇଛି ପୂର୍ବ ବର୍ଷରେ ବି ବର୍ଷାର ଅନିୟମିତତା ଅଧିକ । ଏଣୁ ଅଗଷ୍ଟ ମାସରେ ବର୍ଷା ପରିମାଣ ନିଅଣ୍ଟିଆ ରହିବ ।

ଡ. ପଶୁପାଳକ ଅଗଷ୍ଟ ମାସରେ ନିଅଣ୍ଟିଆ ବର୍ଷା ହେବାର ଆଶଙ୍କା ଥିବାରୁ ଚାଷ କାମ ବାଧାପ୍ରାପ୍ତ ହେବ । ତାଙ୍କ ଆକଳନ ଅନୁସାରେ ଅଗଷ୍ଟ ମାସର ପ୍ରଥମ ୧୫ଦିନ ରାଜ୍ୟରେ ବିଶେଷ ବର୍ଷା ନାହିଁ । ଉପକୂଳ ଜିଲ୍ଲାରେ ସମୁଦାୟ ବର୍ଷା ହାରାହାରି ୬୫ ମିଲିମିଟରରୁ କମ୍‌ ହେବ । ଏଣୁ ଆଗକୁ ଚାଷ କାମ ପ୍ରତି ସଙ୍କଟ ଦେଖା ଦେଇପାରେ ବୋଲି ସେ ସତର୍କ କରିଛନ୍ତି ।

ସୋଆର ଜଳବାୟୁ ଓ ପାଣିପାଗ ବିଭାଗ ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, ଅଗଷ୍ଟର ପ୍ରଥମ ୧୩ଦିନ ଯାଏ ବର୍ଷା ନ ହୋଇପାରେ । କାଁଭାଁ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । କିନ୍ତୁ ବର୍ଷା ପରିମାଣ ସ୍ୱଳ୍ପ ରହିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.