ବଢ଼ି ଚାଲିଛି ସାଇବର ଠକଙ୍କ ଉତ୍ପାତ, ଦିନକୁ ୧୦ଜଣ ସାଇବର୍‌ ଠକଙ୍କ ଶିକାର

0

ଭୁବନେଶ୍ବର: ବଢ଼ି ଚାଲିଛି ସାଇବର ଠକଙ୍କ ଉତ୍ପାତ। ଯେମିତି ରାଜଧାନୀ ଭୁବନେଶ୍ବରକୁ ନିଜ କବ୍‌ଜାକୁ ନେଇ ସାରିଲେଣି। ଗତ ୪ ମାସ ଭିତରେ କମିସନରେଟ୍‌ ପୁଲିସର ସାଇବର ହେଲ୍ପ-ଡେସ୍କକୁ ସାଇବର ଠକେଇ ସଂକ୍ରାନ୍ତରେ ପ୍ରାୟ ୧୨ଶହ ଫୋନ୍ କଲ୍ ଆସିଲାଣି। ଏହାକୁ ହିସାବକୁ ନେଲେ ଦିନକୁ ପ୍ରାୟ ୧୦ ଜଣ ଠକାମିର ଶିକାର ହେଉଥିବା ଜଣାପଡ଼ିଛି। ଏହା କେବଳ ହେଲ୍ପ-ଡେସ୍କକୁ ଆସୁଥିବା ଫୋନ୍ କଲରୁ ଜଣାପଡ଼ିଛି। ଯାହାର ସଂଖ୍ୟା ଉଦ୍‌ବେଗଜନକ ରହିଛି।

କମିସନରେଟ୍‌ ପୁଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏପ୍ରିଲରେ ହେଲ୍ପ-ଡେସ୍କକୁ ୪୭୬ ଫୋନ୍ କଲ ଆସିଛି। କେବଳ ଭୁବନେଶ୍ବରରୁ ୨୨୦ କଲ୍ ଆସିଥିବା ବେଳେ ଅନ୍ୟ ସ୍ଥାନରୁ ୨୫୬ଟି ଆସିଛି। ୟୁପିଆଇ (ଅନଲାଇନ୍) ପେମେଣ୍ଟ ଜରିଆରେ ସର୍ବାଧିକ ଠକେଇ ହୋଇଥିବା ଜଣାପଡ଼ିଛି। ଏ ବାବଦରେ ମୋଟ ୧୫୬ କଲ୍ ଆସିଥିବା ବେଳେ କେବଳ ଭୁବନେଶ୍ବରରୁ ୬୮ କଲ୍ ଆସିଛି। ସେହିପରି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଠକେଇ ବାବଦରେ ମୋଟ ୮୦ ଫୋନ୍ ଓ କେବଳ ଭୁବନେଶ୍ବରରୁ ୫୫ଟି ଫୋନ୍ କଲ୍ ଆସିଛି। ଅନ୍ୟାନ୍ୟ ଠକେଇ ବାବଦରେ ମୋଟ ୨୪୦ କଲ ଭିତରୁ କେବଳ ଭୁବନେଶ୍ବରରୁ ୯୭ଟି ଆସିଛି। ମୋଟ ଠକେଇ ଅର୍ଥର ପରିମାଣ ୧କୋଟି ୧୯ ଲକ୍ଷ ୬୩ ହଜାର ୨୯୭ ଟଙ୍କା ହୋଇଥିବା ବେଳେ ଭୁବନେଶ୍ବରରୁ ୭୪ ଲକ୍ଷ ୫ ହଜାର ୧୧୪ ଟଙ୍କା ଠକେଇ ହୋଇଥିବା ସୂଚନା ଦିଆଯାଇଛି। ଏପ୍ରିଲ ମାସରେ ରାଜଧାନୀର ବିଭିନ୍ନ ଥାନାରେ ୧୧ଟି ମାମଲା ରୁଜୁ କରାଯାଇଛି। ଠକେଇ ହୋଇଥିବା ମୋଟ ଅର୍ଥରୁ ୫ଲକ୍ଷ ୩୬ ହଜାର ୧୪୦ ଟଙ୍କା ଫେରାଇ ଆଣିବାରେ ପୁଲିସ ସମର୍ଥ ହୋଇଛି। ଠକ କଲ୍ କରୁଥିବା ୫୨ଟି ଫୋନ୍ ନମ୍ବରକୁ ବ୍ଲକ୍ କରାଯାଇଥିବା କୁହାଯାଇଛି।

ଲକଡାଉନ୍‌ରେ ସତର୍କ ରୁହନ୍ତୁ: ବିଶେଷଜ୍ଞ
ଲକଡାଉନ୍, ସଟ୍‌ଡାଉନ୍‌ରେ ଲୋକ ବହୁଳ ଭାବେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି। ହୋମ୍ ଡେଲିଭରି, କୋରିଅର ସର୍ଭିସ, କୌଣସି ଅନଲାଇନ୍ ସର୍ଚ୍ଚ ବେଳେ ଅଧିକରୁ ଅଧିକ ଠକାମିର ଶିକାର ହୋଇଥିବା ପୂର୍ବବର୍ଷ ନଜରକୁ ଆସିଛି। ଏବର୍ଷ ଲକଡାଉନ୍ ଆରମ୍ଭ ହୋଇଥିବାରୁ ଲୋକ ଅଧିକ ସାଇବର ଠକଙ୍କ ଶିକାର ହୋଇପାରନ୍ତି। ତେଣୁ ଲୋକଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ ବୋଲି କହିଛନ୍ତି ସାଇବର ବିଶେଷଜ୍ଞ ଆକାଶ ମିଶ୍ର। ସେ କହିଛନ୍ତି, ଆର୍ଥିକ ବର୍ଷ ଶେଷ ହେବା ପରେ ଆକାଉଣ୍ଟ, କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ନବୀକରଣ ନାଁରେ ଲୋକଙ୍କୁ ଠକଙ୍କ କଲ୍ ଆସିଥାଏ। ଏଭଳି କଲକୁ ବିଶ୍ବାସ ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.