ବଢ଼ିଲା କାଳବୈଶାଖୀ ସମ୍ଭାବନା:୨ଦିନ ୪୦ ଟପିବ ପାରଦ

0

ଭୁବନେଶ୍ୱର : ଉପକୂଳ ଓଡ଼ିଶାରେ ଗରମ କମ୍‌ ରହିଛି । ସାମୁଦ୍ରିକ ପବନ ପ୍ରବାହରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ତାତି ପ୍ରକୋପ ବଢ଼ିବନି । ତେଣୁ ବଡ଼ ଧରଣର ଆଶ୍ୱସ୍ତି ମିଳିବ ଗ୍ରୀଷ୍ମ କୋପରୁ । ଯଦିଓ ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ଜିଲ୍ଲାରେ ଆହୁରି ଦୁଇଦିନ ତାତି ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିପାରେ । ପାରଦ ଆଉ ଅଧିକ ବଢ଼ିବା ସମ୍ଭାବନା ନାହିଁ ।

ବୁଧବାର ଆଭ୍ୟନ୍ତରୀଣ ଓଡ଼ିଶାର ୯ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିଲା । ସୋନପୁର ୪୨ ଡିଗ୍ରୀ ସେଲସିୟସ୍‌ରେ ସିଝିଥିବାବେଳେ ବୌଦ୍ଧ ୪୦.୮, ମାଲକାନଗିରି ୪୦.୫, ଟିଟିଲାଗଡ଼ ୪୧.୫, ବଲାଙ୍ଗିର ୪୧.୩, ଭବାନୀପାଟଣା ୪୦.୨, ତାଳଚେର ୪୦.୩, ସୁନ୍ଦରଗଡ଼ ୪୦, ଝାରସୁଗୁଡ଼ା ୪୦ ଡିଗ୍ରୀ ସେଲସିୟସ୍‌ ରହିଥିଲା । ଉପକୂଳ ଓଡ଼ିଶାର ତାପମାତ୍ରା ଅପେକ୍ଷାକୃତ କମ୍‌ ରହିଛି । ଭୁବନେଶ୍ୱରରେ ୩୬.୪ ଡିଗ୍ରୀ ଥିବାବେଳେ କଟକ ୩୫.୨, ଚାନ୍ଦବାଲି ୩୫.୨ ଡିଗ୍ରୀ ରହିଥିଲା ।

କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରା ବଢ଼ିବ ନାହିଁ । ଅପରପକ୍ଷରେ ବର୍ଷା କିମ୍ବା ମେଘୁଆ ପାଗ ଯୋଗୁ କେତେକ ସ୍ଥାନରେ ସାମୟିକ ଭାବେ ତାପମାତ୍ରା କମିପାରେ ।

ବୁଧବାର ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ଉପକୂଳ ଅଞ୍ଚଳରେ ବହୁଥିଲା । ଆଜିଠାରୁ କ୍ରମଶଃ ସାମୁଦ୍ରିକ ପବନ ଉତ୍ତର ଆନ୍ଧ୍ର ଉପକୂଳ ସହିତ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଅଞ୍ଚଳ, ଗଜପତି, ରାୟଗଡ଼ା ଏବଂ ଆଭ୍ୟନ୍ତରୀଣ ଗଞ୍ଜାମରେ ପ୍ରବାହିତ ହେବ । ରାଜ୍ୟର ବାକି ଅଞ୍ଚଳରେ ମଧ୍ୟ ପଶ୍ଚିମା ଗରମ ପବନ ସିଧା ବହିବ ନାହିଁ ।

ଆକଳନ କରାଯାଉଛି, ଭୁବନେଶ୍ୱର ସମେତ ସମସ୍ତ ଉପକୂଳ ଅଞ୍ଚଳରେ ୧୨ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ । ୧୩ ଓ ୧୪ରେ ମେଘୁଆ ପାଗ ସହ କେତେକ ସ୍ଥାନରେ ବର୍ଷାର ସମ୍ଭାବନା ଅଛି । ଏହି ଦୁଇ ଦିନରେ ସର୍ବୋଚ୍ଚ ତାପମାତ୍ରା ସାମୟିକ ଭାବେ କମିପାରେ । ୧୦ ତାରିଖରୁ ଉତ୍ତର ଉପକୂଳ ଏବଂ ୧୧-୧୨ ତାରିଖରେ ଉଭୟ ଉତ୍ତର ଏବଂ ଦକ୍ଷିଣ ଉପକୂଳରେ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ସମ୍ଭାବନା ଅଛି ।

ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ୧୦ ଓ ୧୧ରେ ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ବର୍ଷା ହେଲେ ବି ଏହି ଦୁଇଦିନ ତାପମାତ୍ରା କମିଲେ ମଧ୍ୟ ୪୦ ଡିଗ୍ରୀ ପାଖାପାଖି ରହିବ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଆସନ୍ତା ୧୧ ଓ ୧୨ରେ ହାଲୁକା ବର୍ଷା ହେବ । ବାକି ସ୍ଥାନରେ ତାତି ଅପରିବର୍ତ୍ତିତ ରହିପାରେ। ଉପକୂଳ ସଂଲଗ୍ନ ଜିଲ୍ଲାରେ ୧୧ ଓ ୧୨ରେ ଗୋଟିଏ ଦୁଇଟି ସ୍ଥାନରେ ଓ ୧୩-୧୪ରେ କେତେକ ଜାଗାରେ କାଳବୈଶାଖୀ ସମ୍ଭାବନା ଅଛି। ରାତି ତାପମାତ୍ରାରେ ମଧ୍ୟ ବିଶେଷ ପରିବର୍ତ୍ତନ ହେବନି ସପ୍ତାହେ ପର୍ଯ୍ୟନ୍ତ ।

ପାଣିପାଗ ବିଭାଗ କହିଛି, ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ପ୍ରାୟତଃ ତାପମାତ୍ରା ଅପରିବର୍ତ୍ତିତ ରହିପାରେ । ଆସନ୍ତା ଦୁଇ ଦିନ ବଲାଙ୍ଗିର, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ, ସୋନପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁରରେ ତାତି ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବା ଆଶଙ୍କା ଅଛି ।

ଅନ୍ୟପକ୍ଷରେ ଆସନ୍ତା ୨-୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀଜନିତ ବର୍ଷା ଓ ପବନ ହୋଇପାରେ । ୮ ତାରିଖ (ଗୁରୁବାର) ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନଗିରିରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ଏଥିମଧ୍ୟରୁ କେତେକ ସ୍ଥାନରେ ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବା ଆଶଙ୍କା ଅଛି ।

Leave A Reply

Your email address will not be published.