ବାହାଘର ପାଇଁ ଜିଦ୍ ଧରିଲେ ବୋଲି ଭୟଙ୍କର ହୋଇଗଲା ପ୍ରେମିକ

0

ବ୍ରହ୍ମପୁର : ପ୍ରେମ ଶାସ୍ବତ-ଚିରନ୍ତନ । ପ୍ରେମ ବିନା ଜୀବନ ମୂଲ୍ୟହୀନ । ଏହି ଅଢେଇ ଅକ୍ଷର ଶବ୍ଦଟିର ସଂଜ୍ଞା ଅର୍ଥ, ଭାବନା, ଅନୁଭବ ସବୁକିଛି ଅନନ୍ୟ, ଅଦ୍ବିତୀୟ । କିନ୍ତୁ ସତରେ କ’ଣ ପ୍ରେମର ପରିଣତି ଏମିତି ହୁଏ ? ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନାର ପ୍ରତାପପୁର ଗାଁରେ ଏକ ଘଟଣା ଶୁଣିଲେ ପଢିଲେ ଆପଣଙ୍କର ବି ପ୍ରେମ ଉପରୁ ଭରଷା ଉଠିଯିବ । ଦୁଃଖଦ, ବୀଭତ୍ସ, ହୃଦୟ ବିଦାରକ । ଏକ ପ୍ରେମ ସଂପର୍କର ଲୋମଟାଙ୍କୁରା ପରିଣତି । ପ୍ରେମିକାକୁ ସ୍ପିରିଟ୍ ରେ ପୋଡି ମାରିଛି ପ୍ରେମିକ । ବାହାଘର ପାଇଁ ଜିଦ୍ ଧରିଲେ ବୋଲି ଏତେ ଭୟଙ୍କର ହୋଇଗଲା ପ୍ରେମିକ । ମୃତ୍ୟୁ ପୂର୍ବରୁ ହତଭାଗିନୀ ପ୍ରେମିକା କଣ୍ଠର ସେହି ଭୟଙ୍କର କାହାଣୀ ଶୁଣିଲେ ଥରିଉଠେ ଛାତି ।

ପ୍ରେମିକାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ :

କୃଷ୍ଣଚନ୍ଦ୍ର ସାହୁ, ପ୍ରତାପପୁର, ଗୌଡସାହି…

ମୋତେ ସେ ଭର ପାଉଥିଲା…

ମୁଁ କହିଲି ଆମେ ବାହାହେବା…

ସେ କହିଲା ହଁ ଆମେ ବାହାହେବା…

ଆଉ ଥରେ କହିଲା ବାହା ହେବାନି…

ମୁଁ କହିଲି କାହିଁକି ବାହା ହେବାନି…

ସେ କହିଲା ମୋ ମାମୁଁର ଝିଅ ସହ ମୋର ବାହାଘର ଠିକ୍ ହୋଇଛି…

ସ୍ପିରିଟ୍ ପକାଇ ନିଆଁ ଲଗାଇ ଦେଲା…

ଏହା ହେଉଛି ବିଚାରୀ ପ୍ରେମିକାର ମୃତ୍ୟୁକାଳୀନ ଜମାନବନ୍ଦୀ । ପ୍ରେମିକକୁ ସେ ଭଲପାଉଥିଲା । ତା ପ୍ରେମରେ ଆବିଳତା ନଥିଲା । ଗତ ୫ ବର୍ଷ ହେଲା ଉଭୟଙ୍କ ମଧ୍ୟରେ ଥିଲା ପ୍ରେମ ସଂପର୍କ । ତେବେ ଅନେକ ସମୟରେ ସଂପୃକ୍ତ ଯୁବକ ଜଣଙ୍କ ତାଙ୍କ ଝିଅଙ୍କୁ ହଇରାଣ ହରକତ କରୁଥିଲେ ବୋଲି ମୃତ ଯୁବତୀଙ୍କ ବାପା କହିଛନ୍ତି। ଦାବି କରିଛନ୍ତି ତାଙ୍କ ଝିଅକୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଥିବା ଯୁବକକୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଉ ।

ପୋଲିସ ସୂଚନା ଅନୁଯାୟୀ ୨୦୧୫ ମସିହାରୁ ସଂପୃକ୍ତ ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା । ଉଭୟ ବିବାହ କରିବାର ନିଷ୍ପତ୍ତି ବି ନେଇଥିଲେ ।  କିନ୍ତୁ ବିବାହରେ ବାଧକ ସାଜିଥିଲା ଜାତି । ଯୁବତୀ ଜଣଙ୍କ ବ୍ରାହ୍ମଣ ଜାତିର ଏବଂ ଯୁବକ ଜଣଙ୍କ ଖଣ୍ଡାୟତ ଜାତିର ଥିଲେ । ଯୁବକଙ୍କ ରୋଜଗାର ସେତେଟା ଭଲ ନଥିଲା । କିନ୍ତୁ ବିବାହ ପାଇଁ ବାରମ୍ବାର ଯୁବତୀ ଜଣଙ୍କ ବାଧ୍ୟ କରୁଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ବେଳେ ବେଳେ ପାଟିତୁଣ୍ଡ ହେଉଥିଲା । ମଙ୍ଗଳବାର ଦିନ ଯୁବତୀଙ୍କୁ ଯୁବକ ଜଣଙ୍କ ତାଙ୍କ ଗାଁ ନିକଟକୁ ଡାକିଥିଲେ । ସେଠାରେ ଯୁବକ ଜଣଙ୍କ ଯୁବତୀଙ୍କ ଉପରେ ସ୍ପିରିଟ୍ ଢାଳି ପୋଡି ଦେଇଥିଲେ । ଏହି ଘଟଣାରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁଙ୍କୁ ଗିରଫ କରି ପୁରୁଷୋତ୍ତମପୁର ଥାନାରେ ପଚରାଉଚରା କରୁଛି ପୋଲିସ ।

ଅନ୍ୟପଟେ ଯୁବକ ଜଣଙ୍କ ଏ ଘଟଣାକୁ ଖଣ୍ଡନ କରିଛନ୍ତି । ଘଟଣା ସଂପର୍କରେ ସେ କିଛି ଜାଣିନଥିବା କହିଥିବା ବେଳେ ପ୍ରେମ ସଂପର୍କରେ ମତାନ୍ତର ଥିଲା ବୋଲି କହିଛନ୍ତି ।

ଘଟଣା ଜଟିଳ । ମୃତ ଯୁବତୀଙ୍କ ବାପା କହୁଛନ୍ତି ତଥାକଥିତ ପ୍ରେମିକ ତାଙ୍କ ଝିଅକୁ ମାରିଛି । ପ୍ରେମ ସଂପର୍କ ଥିବା ପୋଲିସ ଅନୁସନ୍ଧାନ କହୁଛି । ଅଥଚ ଅଭିଯୁକ୍ତ ମାନୁନାହିଁ ଦୋଷ । ତଦନ୍ତ ଚାଲିଛି । ଚୂଡାନ୍ତ ରିପୋର୍ଟକୁ ଅପେକ୍ଷା । କିନ୍ତୁ ଯାହା ବି ହେଉ ସତ ବାହାରକୁ ଆସିବା ଉଚିତ୍ ଓ ଦୋଷୀ ଦଣ୍ଡ ପାଇବା ନିହାତି ଜରୁରୀ । ନହେଲେ ପ୍ରେମ ବଦନାମ ହେବ ।

Leave A Reply

Your email address will not be published.