ବାହୁଡ଼ା ଯାତ୍ରା ମାର୍ଗଦର୍ଶିକା ଜାରି କରିଛି ପ୍ରଶାସନ, ସୋମବାର ରାତି ୮ଟାରୁ ବୁଧବାର ରାତି ୮ଟା ପର୍ଯ୍ୟନ୍ତ ସହରରେ ଲାଗିବ କର୍ଫ୍ୟୁ

0

ପୁରୀ: ବାହୁଡ଼ା ଯାତ୍ରା ମାର୍ଗଦର୍ଶିକା ଜାରି କରିଛି ପ୍ରଶାସନ । ରଥଯାତ୍ରା ମାର୍ଗଦର୍ଶିକାକୁ ଖିଲାପ କରାଯାଇଥିବାର ଅନେକ ଘଟଣା ପ୍ରଶାସନର ଦୃଷ୍ଟିକୁ ଆସିଛ । ବାହୁଡ଼ା ଯାତ୍ରା ବେଳେ କେମିତି କଟକଣାକୁ କଡାକଡ଼ି ଭାବେ ପାଳନ କରାଯିବ ସେ ନେଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଶନିବାର ତିନି ରଥକୁ ଦକ୍ଷିଣ ମୋଡ଼ କରାଯାଇଛି । ପୁଲିସ, ସେବାୟତ ମିଶି ତିନି ରଥକୁ ଦକ୍ଷିଣ ମୋଡରେ ନାକଚଣା ଦ୍ୱାର ସମ୍ମୁଖରେ ପହଞ୍ଚାଇଛନ୍ତି ।

ସେହିଭଳି ବାହୁଡାଯାତ୍ରା ସମନ୍ୱୟ କମିଟି ବୈଠକରେ ଶନିବାର ସନ୍ଧ୍ୟାରେ ଜିଲ୍ଲାପାଳ ସାମର୍ଥ ବର୍ମା ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ଅନୁଧାନ କରିଛନ୍ତି ।
ପ୍ରଶାସନ ପକ୍ଷରୁ ଜାରି ବାହୁଡା ଯାତ୍ରା ମାର୍ଗଦର୍ଶିକାରେ ସୂଚନା ରହିଛି ବହୁଡା ଯାତ୍ରା ପାଇଁ ସମ୍ପୂର୍ଣ୍ଣ ପୁରୀ ସହରରେ କର୍ଫ୍ୟୁ ଜାରି ହେବ । ରବିବାର ଠାରୁ ବଡ଼ଦାଣ୍ଡରେ ସମସ୍ତ ହୋଟେଲ, ଲଜ, ଧର୍ମଶାଳା ବନ୍ଦ କରି ଦିଆଯିବ । ସୋମବାର ରାତି ୮ଟାରୁ ବୁଧବାର ରାତି ଆଠଟା ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ ବଳବତ୍ତର ରହିବ ।ବଡ଼ଦାଣ୍ଡସ୍ଥିତ ଆବାସିକ ଘର, ଲଜ୍‌, ହୋଟେଲ, ଧର୍ମଶାଳାର ପୁନଃ ସର୍ଭେ ହେଉଛି । ଆବାସିକ ଘରଗୁଡିକରେ କେତେ ଲୋକ ରହିଛନ୍ତି ପୌରସଂସ୍ଥ ପକ୍ଷରୁ ଏହାର ସର୍ଭେ ହେଉଛି । ସହରରେ କର୍ଫ୍ୟୁ ରହିଥିବା ବେଳେ ଆବାସିକ ବାସଭବନରେ ସମ୍ପର୍କୀୟଙ୍କ ପ୍ରବେଶ ଉପରେ କଟକଣା ରହିବ । ଯୁକ୍ତିଯୁକ୍ତ କାରଣ ନଥିଲେ ସମ୍ପର୍କୀୟଙ୍କୁ ରହିବାକୁ ଅନୁମତି ମିଳିବ ନାହିଁ । ସର୍ଭେରେ ମିଳିଥିବା ପରିବାର ସଦସ୍ୟ ସଂଖ୍ୟାରୁ ଅଧିକ ସଂଖ୍ୟାରେ ଲୋକ କର୍ଫ୍ୟୁ ବେଳେ ରହିଥିବାର ପ୍ରମାଣ ମିଳିଲେ ପୁଲିସ କାର୍ଯ୍ୟାନୁଷ୍ଠାନ କରାଯିବ । ବାହାର ଜିଲ୍ଲାର ଲୋକଙ୍କ ପ୍ରବେଶ ରୋକିବାକୁ କର୍ଫ୍ୟୁ ବେଳେ ଜିଲ୍ଲାର ୮ଟି ପ୍ରବେଶ ପଥକୁ ସିଲ୍‌ କରାଯିବ । ଏହା ବ୍ୟତୀତ ପୁରୀ ସହରର ତିନି ପ୍ରବେଶ ପଥ ବାଟଗାଁ, ମଙ୍ଗଳାଘାଟ ଓ ଗ୍ରୀଡ୍‌ ଷ୍ଟେସନ ଛକକୁ ବି ସିଲ କରାଯିବ । ଏହି ସବୁ ସ୍ଥାନର ପୁଲିସ ନାକା ଲାଗିବ।

ବଡ଼ଦାଣ୍ଡକୁ ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯିବ । ବଡ଼ଦାଣ୍ଡର ଆବାସିକ ଘର, ଲଜ, ହୋଟେଲ, ଧର୍ମଶାଳା ଆଦିର ଛାତ ଉପରୁ ରଥଟଣା ବେଳେ ରଥାରୂଢ଼ ମହାପ୍ରଭୁଙ୍କୁ କେହି ଦର୍ଶନ କରିବେ ନାହିଁ । କର୍ଫ୍ୟୁ କଟକଣା ବଳବତ୍ତର ଥିବା ବେଳେ ବଡ଼ଦାଣ୍ଡର ସମସ୍ତ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । କିନ୍ତୁ ହୋମ ଡେଲିଭରି ବ୍ୟବସ୍ଥାରେ ଖାଦ୍ୟ ତଥା ଅତ୍ୟାବଶକ ସାମଗ୍ରୀ ଯୋଗାଣ ହୋଇ ପାରିବ । ବଡ଼ଦାଣ୍ଡ ବ୍ୟତୀତ ସହରର ସାହିବସ୍ତି ତଥା ଅନ୍ୟ ଇଲାକାରେ ଔଷଧ ଦୋକାନ କର୍ଫ୍ୟୁ ବେଳେ କିନ୍ତୁ ଖୋଲା ରହିବ । କର୍ଫ୍ୟୁ ବେଳେ ବଡ଼ଦାଣ୍ଡକୁ ଜରୁରି ସେବା ବ୍ୟତିତ ଅନ୍ୟ ସମସ୍ତ ଯାନବାହନ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ।

ପୁରୀ ସହର ବ୍ୟତୀତ ଜିଲ୍ଲା ଅନ୍ୟ ଇଲାକାଗୁଡିକରେ କୋଭିଡ୍‌ କଟକଣା ବଳବତ୍ତର ରହିବ । ପ୍ରଶାସନ ଦ୍ୱାରା ଜାରି ହୋଇଥିବା କଟକଣାକୁ ଉଲ୍ଲଂଘନ କଲେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୫୧ରୁ ୬୦ ବ୍ୟତୀତ ଆଇପିସି(ଭାରତୀୟ ଦଣ୍ଡ ବିଧି ଆଇନ)ର ୧୮୮ ଦଫାଏବଂ କୋଭିଡ୍‌ ରୋଗ ନିୟନ୍ତ୍ରଣ କଟକଣା ୨୦୨୦ ଅନୁସାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମାର୍ଗଦର୍ଶିକାର ଚେତାବନୀ ଦିଆଯାଇଛି ।

ଲୋକ ସେବକଙ୍କ ଦ୍ୱାରା ଜାରି ଆଦେଶ ଅମାନ୍ୟ କରିବା ଲୋକ ବିରୋଧରେ ଆଇପିସିର ୧୮୮ ଦଫାରେ ମାମଲା ହେବ । ଅମାନ୍ୟକାରୀଙ୍କୁ ଅଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯିବ । ଯାହାର ମିଆଦ ଏକ ମାସ ପର୍ଯ୍ୟନ୍ତ ପରିବର୍ଦ୍ଧିତ ହୋଇପାରେ, କିମ୍ବା ଜରିମାନା ଦଣ୍ଡ ଯାହା ୨ଶହ ପର୍ଯ୍ୟନ୍ତ ହୋଇପାରେ, କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ । ଏହି ଆଦେଶ ଅମାନ୍ୟ ଫଳରେ ନିରାପତ୍ତା ବିପନ୍ନ ହେଲେ କାରାଦଣ୍ଡ ମିଆଦ ୬ ମାସ ପର୍ଯ୍ୟନ୍ତ, ଜରିମାନା ୧ହଜାର ଟଙ୍କା ପର୍ଯ୍ୟନ୍ତ ଯାିପାରେ, କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ କରାଯିବ ।

Leave A Reply

Your email address will not be published.