ବ୍ୟାଙ୍କ ଡୁବିଲେ କି ବନ୍ଦ ହେଲେ ୯୦ ଦିନରେ ମିଳିବ ୫ ଲକ୍ଷ ଟଙ୍କା

0

ନୂଆଦିଲ୍ଲୀ : ଜମାକାରୀଙ୍କ ପାଇଁ ବଡ ଆଶ୍ଵସ୍ତି। ବ୍ୟାଙ୍କ ଡୁବିଲେ ଏବେ ଜମାକାରୀଙ୍କୁ ୯୦ ଦିନ ଭିତରେ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା। ଏହାର ପରିଧିରେ ସେହି ବ୍ୟାଙ୍କର ଗ୍ରାହକ ମଧ୍ୟ ସାମିଲ, ଯେଉଁ ବ୍ୟାଙ୍କ ଉପରେ ଆରବିଆଇ ପକ୍ଷରୁ କୌଣସି କଟକଣା କି ମୋରାଟରିୟମ ଲାଗୁ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଡିପୋଜିଟ୍ ଇନସ୍ୟୁରାନ୍ସ ଆଣ୍ଡ କ୍ରେଡିଟ୍ ଗ୍ୟାରେଣ୍ଟି କର୍ପୋରେସନ(ଡିଆଇସିଜିସି) ଆକ୍ଟରେ ସଂଶୋଧନକୁ ମଞ୍ଜୁରୀ ଦିଆଯାଇଛି। ଉଲ୍ଲେଖନୀୟ, କୌଣସି ବ୍ୟାଙ୍କ ଦେବାଳିଆ ହେଲେ କିମ୍ବା ଏହାର ଲାଇସେନ୍ସ ରଦ୍ଦ ହେଲେ ଉକ୍ତ ବ୍ୟାଙ୍କର ଜମାକାରୀଙ୍କ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ସୁରକ୍ଷିତ ରହିବ। ପୂର୍ବେ ଏହାର ସୀମା ୧ ଲକ୍ଷ ଟଙ୍କା ଥିଲା।

ବୈଠକ ପରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି ଯେ, ଏବେ କୌଣସି ବ୍ୟାଙ୍କ ଦେବାଳିଆ ହେଲେ କିମ୍ବା ଏହାର ଲାଇସେନ୍ସ ରଦ୍ଦ ହେଲେ କିମ୍ବା ଆରବିଆଇ ଦ୍ଵାରା କୌଣସି କଟକଣା ଲାଗୁ ହୋଇଥିଲେ ଉକ୍ତ ବ୍ୟାଙ୍କର ଜମାକାରୀଙ୍କୁ ୯୦ ଦିନ ଭିତରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ମିଳିବାର ପୂରା ପ୍ରକ୍ରିୟା ପୂରା ହେବ। ଅର୍ଥ ମନ୍ତ୍ରୀ କହିଛନ୍ତି, ସଙ୍କଟଗ୍ରସ୍ତ ବ୍ୟାଙ୍କ ମାମଲାରେ ପ୍ରଥମେ ୪୫ ଦିନ ଭିତରେ ସମସ୍ତ ଖାତାର ସୂଚନା ସଂଗ୍ରହ କରାଯିବ ଏବଂ ଏହାକୁ ଡିଆଇସିଜିସିକୁ ପ୍ରଦାନ କରାଯିବ। ଡିଆଇସିଜିସି ସେହି ସବୁ ଖାତାଗୁଡିକୁ ଯାଞ୍ଚ କରିବ ଏବଂ ପୁଣି ଆଗାମୀ ୪୫ ଦିନ ଭିତରେ ଜମାକାରୀଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଦେବା ପ୍ରକ୍ରିୟା ପୂରା କରାଯିବ।

ସୀତାରମଣ କହିଛନ୍ତି, ପ୍ରତିଟି ବ୍ୟାଙ୍କରେ ବାସ୍ତବରେ ଜମା ରାଶିର ୧୦୦ ଟଙ୍କା ପାଇଁ ୧୦ ପଇସାର ପ୍ରିମିୟମ ରହୁଥିଲା। ଏହାକୁ ବଢାଯାଇ ଏବେ ୧୨ ପଇସା କରାଯାଇଛି। ଏହା କୌଣସି ବି ସମୟରେ ପ୍ରତି ୧୦୦ ଟଙ୍କାରେ ୧୫ ପଇସାରୁ ଅଧିକ ହେବା ଉଚିତ୍ ନୁହେଁ। ଡିଆଇସିଜିସି ବିଲ୍ ୨୦୨୧ ଆଧାରରେ ସମସ୍ତ ଜମା ଉପରେ ୯୮.୩୦ ପ୍ରତିଶତ କଭର ଦିଆଯିବ।

Leave A Reply

Your email address will not be published.