ବାପାଙ୍କୁ ପୋଡି ମାରିବାକୁ ଉଦ୍ୟମ

0

ଝାରସୁଗୁଡା : ବାପାଙ୍କୁ ପୋଡି ଜୀବନର ମାରିବାକୁ ଉଦ୍ୟମ କରି ଦୁଇ ଝିଅ ସମେତ ଜ୍ବାଇଁ ଓ ଅନ୍ୟ ଜଣେ ଗିରଫ ହୋଇ ଜେଲ ହାଜତକୁ ଗଲେ । ପାରିବାରିକ କଳହର ସାଂଘାତିକ ପରିଣାମ ଦେଖିବାକୁ ମିଳିଛି ଝାରସୁଗୁଡା ସହରରେ ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ସହରର ଲେକ୍ଚର କଲୋନୀରେ ରହୁଥିବା କୈଳାଶ ମେହେର ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପୁଅ, ବୋହୂ, ପତ୍ନୀ ଛାଡି ଅନ୍ୟତ୍ର ରହୁଥିବା ବେଳେ ସେ ଘରେ ଏକୁଟିଆ ରହନ୍ତି । ତାଙ୍କ ସଂପତ୍ତିରୁ ଭାଗ ସହ ପ୍ରତ୍ୟେକ ଦିନ ଟଙ୍କା ଆଦାୟ କରିବାକୁ ଯୋଜନା କରି ବିଫଳ ହେବା ପରେ ଦୁଇ ଝିଅ ପଞ୍ଚମୀ ଓ ଯଶୋଦା ଗତ ଗୁରୁବାର ଦିନ ଅନ୍ୟ ଦୁଇ ଜଣଙ୍କ ସହିତ ବାପାଙ୍କୁ ଆକ୍ରମଣ କରିଥିଲେ । ବାପା କୈଳାଶ ମେହେର ଝିଅ ଜ୍ବାଇଁଙ୍କ ଆତର୍କିତ ଆକ୍ରମଣ ଯୋଗୁଁ ଘର ଭିତରକୁ ପଶି କବାଟ ବନ୍ଦ କରିଦେବାରୁ କବାଟକୁ ଭାଙ୍ଗି ଘରେ ପଶିବାକୁ ଉଦ୍ୟମ କରିଥିଲେ ଝିଅ ଜ୍ବାଇଁ ।

କିନ୍ତୁ ତାହା ସଫଳ ନହେବାରୁ ଘର ବାହାରେ ପଡିଥିବା ଏକ ସିଢି ଲଗାଇ ଘରର ଆଜବେଷ୍ଟସକୁ ଭାଙ୍ଗି କିଛି କପଡାକୁ ପେଟ୍ରୋଲରେ ଭିଜାଇ ନିଆଁ ଲଗାଇ ଘର ଭିତରକୁ ଫିଙ୍ଗିଦେଇ ଫେରାର ହୋଇଯାଇଥିଲେ । ଘର ଭିତରେ ଆସବାବପତ୍ର ସହ ଏକ ବାଇକ୍ ଜଳୁଥିବା ଦେଖି ଘର ଭିତରେ ଆସନ୍ନ ମୃତ୍ୟୁରୁ ରକ୍ଷା ପାଇବାକୁ କିଛି ଲୁଗାକୁ ସାହାରା କରି ଘର ଭିତରୁ ଛାତ ଡେଇଁ ପଳାଇ ଆସି ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ପରେ ଖବରପାଇ ଝାରସୁଗୁଡା ଟାଉନ ଥାନା ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରି ମାମଲାର ତଦନ୍ତ କରିଥିଲେ । ତଦନ୍ତ ପରେ କୈଳାଶଙ୍କ ଦୁଇ ଝିଅ ପଞ୍ଚମୀ ଓ ଯଶୋଦା ସମେତ ଜ୍ବାଇଁ ତ୍ରିଲୋଚନ ମେହେର ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୪ ଜଣଙ୍କ ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Leave A Reply

Your email address will not be published.