ଘଟଗାଁ : ବରଗଛ ଡାଳରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ଚକ୍ରଧରପୁର ଗାଁର ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ଜଣଙ୍କ ହେଉଛନ୍ତି ଚକ୍ରଧରପୁର ଗାଁର ପ୍ରଦୀପ କୁମାର ମହାରଣାଙ୍କ ସ୍ତ୍ରୀ ସୀମା ମହାରଣା। ସୀମା(୨୨) ଗାଁ ନିକଟରେ ଥିବା ଏକ ବର ଗଛ ଡାଳରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।
ସୂଚନାନୁଯାୟୀ, ପ୍ରଦୀପ ମହାରଣା ଓ ତାଙ୍କ ସ୍ତ୍ରୀ ସୀମା ମହାରଣା ତାଙ୍କର ୨ ବର୍ଷର ଝିଅ ଦେହ ଅସୁସ୍ଥ ଥିବାରୁ ହରିଚନ୍ଦନପୁର ମେଡିକାଲ ଯାଇଥିଲେ। ସେଠାରେ ଡାକ୍ତରଙ୍କୁ ଦେଖାଇ ସୀମା ଘରକୁ ଫେରିବା ସମୟରେ ପ୍ରଦୀପଙ୍କୁ ସାଢୀ କିଣିବା ପାଇଁ ୫ ହଜାର ଟଙ୍କା ମାଗିଥିଲେ। ହେଲେ ପାଖରେ ପଇସା ନଥିବାରୁ ପ୍ରଦୀପ ସଫା ସଫା ମନା କରି ଦେଇଥିଲେ। ଫଳରେ ସୀମା ରାଗିଯାଇ ସାଇକେଲରେ ନଯାଇ ଝିଅକୁ ଧରି ଚାଲିଚାଲି ଆସିଲେ। ଘର ପାଖ ହୋଇଯିବାରୁ ପ୍ରଦୀପ ଆଗରେ ଘରକୁ ଚାଲି ଆସିଲେ। ଏହାର ସୁଯୋଗ ନେଇ ସୀମା ଝିଅକୁ ଗଛ ମୂଳେ ଠିଆ କରାଇ ବେକରେ ଫାଶି ଲଗାଇଥିଲେ। ପରେ ସୀମାଙ୍କ ଆତ୍ମହତ୍ୟା ଖବର ପାଇ ପ୍ରଦୀପ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନେଇ ପୋଲିସକୁ ଖବର ଦେବା ପରେ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।