ନୂଆଦିଲ୍ଲୀ: ସକାଳ ସାଢେ ୧୦ରୁ ଆରମ୍ଭ ହେବାକୁଥିବା ବୈଠକରେ ଗୋଗ୍ରା ଏବଂ ହଟ୍ ସ୍ପ୍ରିଙ୍ଗ୍ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହେବ । ଏହା ବ୍ୟତୀତ ଡେପସଙ୍ଗରେ ବିଚାରାଧୀନ ସମସ୍ୟାର ସମାଧାନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।
ଭାରତ ଏବଂ ଚୀନ୍ ମଧ୍ୟରେ ଏକାଦଶ ରାଉଣ୍ଡ କୋର କମାଣ୍ଡର ସ୍ତରୀୟ ଆଲୋଚନାରେ ଭାରତ ପକ୍ଷରୁ ଲେହ ସ୍ଥିତ ୧୪ ତମ କୋର କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପିଜି କେ ମେନନ୍ ସାମିଲ ହେବେ । ଦଶମ ରାଉଣ୍ଡ ଆଲୋଚନାରେ ମେନନ୍ ମଧ୍ୟ ଉପସ୍ଥିତ ଥିଲେ ଏବଂ ତାଙ୍କର ଲଦାଖ ସହିତ ଜଡିତ ଭଲ ଅଭିଜ୍ଞତା ଅଛି । ଏଠାରେ ସୂଚନା ଥାଉକି ଯେ, ଦୀର୍ଘ ସାମରିକ ଏବଂ କୂଟନୈତିକ କଥାବାର୍ତ୍ତା ପରେ ଫେବୃଆରୀରେ ପେଙ୍ଗୋଙ୍ଗ ହ୍ରଦର ଉତ୍ତର ଏବଂ ଦକ୍ଷିଣ କୂଳରୁ ସୈନ୍ୟ ବାହିନୀ ଏବଂ ଅସ୍ତ୍ରଶସ୍ତ୍ରକୁ ସମ୍ପୂର୍ଣ୍ଣରୂପେ ହଟାଇବା ପାଇଁ ଏକ ଚୁକ୍ତିନାମା ହୋଇଥିଲା, କିନ୍ତୁ ସେଠାରେ ଅନେକ ପାହାଡିଆ ଅଞ୍ଚଳରେ ସ୍ଥିତି ଏବେବି ସମାନ ରହିଛି ।
ସୂଚନା ଥାଉକି ଯେ, ଭାରତ ଏବଂ ଚୀନ୍ ମଧ୍ୟରେ ଏଲଓସି ଉପରେ ବିବାଦ ଗତ ବର୍ଷ ମେ ମାସରେ ଆରମ୍ଭ ହୋଇଥିଲା, ଯେତେବେଳେ ଚୀନ୍ ଲଦାଖର ଆକସାଇ ଚିନ୍ ର ଗାଲଭାନ୍ ଉପତ୍ୟକାରେ ରାସ୍ତା ନିର୍ମାଣକୁ ନେଇ ଆପତ୍ତି ଉଠାଇଥିଲା । ୧ ମେ ରେ ଭାରତୀୟ ସେନା ଏବଂ ଚୀନ୍ ସୈନ୍ୟ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ସାମରିକ ବିବାଦ ଆରମ୍ଭ ହୋଇଥିଲା । ଏହା ପରେ ଚାଇନାର ସୈନିକମାନେ ମଧ୍ୟ ୯ ମଇରେ ସିକ୍କିମର ନାଥୁଲା ଠାରେ ଭାରତୀୟ ସୈନିକମାନଙ୍କ ସହ ମୁହାଁମିହିଁ ହୋଇଥିଲେ , ଯେଉଁଥିରେ ଅନେକ ସୈନିକ ଆହତ ହୋଇଥିଲେ । ଜୁନ୍ ୧୫ରେ, ଲଦାଖର ଗାଲୱାନ୍ ଉପତ୍ୟକାରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ଝଗଡା ହୋଇଥିଲା ଯେଉଁଥିରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ ।