ଭାରତରେ ଚାଲିବ ହାଇଡ୍ରୋଜେନ୍‌ ଫ୍ୟୁଲ ଆଧାରିତ ଟ୍ରେନ

0

ନୂଆଦିଲ୍ଲୀ  :  ଭାରତୀୟ ରେଳବାଇ ଏବେ ହାଇଡ୍ରୋଜନ ଇନ୍ଧନ ସେଲ ମାଧ୍ୟମରେ ଟ୍ରେନ ଚଳାଇବାକୁ ଯୋଜନା କରୁଛନ୍ତି। ଏହି ଯୋଜନା ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଥିବା ବେଳେ ପ୍ରଥମ ହାଇଡ୍ରୋଜନ ଫ୍ୟୁଲ ଟ୍ରେନ ହରିୟାଣାର ସୋନିପତ-ଜିନ୍ଦ ସେକ୍ସନରେ ଚଳାଇବା ଲାଗି ପ୍ରସ୍ତୁତି କରୁଛନ୍ତି। ଉତ୍ତର ରେଳବାଇଙ୍କ ୮୯ କିଲୋମିଟର ଦୀର୍ଘ ସୋନିପତ-ଜିନ୍ଦ ସେକ୍ସନରେ ଟ୍ରେନ ଚଳାଚଳ ଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରେଳବାଇଙ୍କ ପକ୍ଷରୁ ଜିରୋ କାର୍ବନ ଇମିସନ ମିସନରେ ଏହି ଯୋଜନାକୁ ଶୀଘ୍ରାତିଶୀଘ୍ର ସଫଳ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି। ନର୍ଦ୍ଦନ ରେଲୱେଙ୍କ ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଦୀପକ କୁମାରଙ୍କ ଅନୁସାରେ ଭାରତୀୟ ରେଳ ନିଜକୁ ସବୁଜ ପରିବହନ ପ୍ରଣାଳୀରେ ରୂପାନ୍ତରିତ କରିବା ଲାଗି ଏହି ପଦକ୍ଷେପ ନେଇଥିବା କହିଛନ୍ତି। ଭାରତୀୟ ରେଳଙ୍କ ବୈକଳ୍ପିକ ଇନ୍ଧନ ପ୍ରଭାଗ ଏଥିଲାଗି ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ୟାରିସ୍‌ ପରିବେଶ ବୁଝାମଣା ୨୦୧୫ ଅନୁସାରେ ଗ୍ରୀନ ହାଉସ୍ ଗ୍ୟାସ କମ୍‌ କରିବା ଉଦ୍ଦେଶ୍ୟରେ ଏହି ଫ୍ୟୁଲ ସେଲ ଆଧାରିତ ଟ୍ରେନର ପରିକଳ୍ପନା କରାଯାଇଥିବା ବେଳେ ୨୦୩୦ ସୁଦ୍ଧା ଲକ୍ଷ ହାସଲ କରାଯିବ। ସୋନିପତ-ଜିନ୍ଦ ସେକ୍ସନରେ ୨ ଟି ଡିଏମୟୁ ରାକ୍‌ ହାଇବ୍ରିଡ ଟ୍ରାକ୍ସନ ସିଷ୍ଟମରେ ଚଳାଇବାକୁ ନିଷ୍ପତ୍ତି ହୋଇଛି। ଏଥିଲାଗି ବଜେଟ୍‌ରେ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଡିଜେଲ ଚାଳିତ ଡିଏମୟୁକୁ ହାଇଡ୍ରୋଜନ ସେଲ ଟେକ୍ନୋଲଜିରେ ପରିବର୍ତିତ କଲେ ଇନ୍ଧନ ବାବଦରେ ବାର୍ଷିକ ୨.୩ କୋଟି ଟଙ୍କା ସଞ୍ଚୟ ହୋଇପାରିବ। ଏହା ସହ ୧୧.୧୨ କିଲୋଟନ କାର୍ବନ ଫୁଟପ୍ରିଣ୍ଟ (ଏନଓ୨) ୦.୭୨ କିଲୋଟନ ପାର୍ଟିକୁଲେଟ ମେଟର ଉତ୍ସର୍ଜନ ମଧ୍ୟ ଅଟକିବ।

Leave A Reply

Your email address will not be published.