ନୂଆଦିଲ୍ଲୀ : ଦେଶରେ କରୋନା ଟିକାକରଣ ଦୃତ ଗତିରେ ଜାରି ରହିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ ଦେଶରେ ବର୍ତ୍ତମାନ ସୁଦ୍ଧା ଟିକାକରଣ ୫୦ କୋଟି ପାର କରିଛି । କେବଳ ଶୁକ୍ରବାର ମୋଟ ୪୩.୨୯ କୋଟି ଡୋଜ୍ ଭ୍ୟାକସିନ୍ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୦ କୋଟି ୩ ଲକ୍ଷ ୪୮ ହଜାର ୮୬୬ ଡୋଜ୍ ଟିକା ଦିଆସରିଲାଣି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି ।
ଟ୍ବିଟ୍ କରି ମୋଦି କହିଛନ୍ତି ଯେ, ‘କରୋନା ମହାମାରୀ ବିରୁଦ୍ଧରେ ଲଢେଇରେ ଦେଶ ଆଜି ନୂଆ ରେକର୍ଡ କରିଛି । ଦେଶରେ ଟିକାକରଣ ୫୦ କୋଟି ପାର କରିଛି । ତେଣୁ ଏହାକୁ ଆଗକୁ ବଢାଇବା ସହିତ ଦେଶର ସମସ୍ତ ନାଗରିକଙ୍କୁ ଟିକା ତଥା ମାଗଣା ଟିକା କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ଲାଭ ମିଳୁ ।’ ଗୃହମନ୍ତ୍ରୀ ଅମିତ ଶାହା ଟ୍ବିଟ୍ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଶ୍ବର ସବୁଠାରୁ ବଡ କୋଭିଡ୍ ଟିକାକରଣ ଅଭିଯାନ ଆଜି ୫୦ କୋଟି ପାର କରିଛି । ଏତେ ବଡ ଦେଶରେ ଏତେ କମ ସମୟ ମଧ୍ୟରେ ଟିକାକରଣ ଏତେ ମାତ୍ରାରେ ବ୍ୟାପକ ହୋଇପାରିଛି । ଦେଶବାସୀଙ୍କ ସୁରକ୍ଷା ପ୍ରତି ପ୍ରଧାନମନ୍ତ୍ରୀଙ୍କ ସମ୍ବେଦନଶୀଳତା ଯୋଗୁଁ ଏହା ସମ୍ଭବପର ହୋଇପାରିଛି । ସେହିଭଳି ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ ଟ୍ବିଟ୍ କରି କହିଛନ୍ତି, ‘ ଦେଶରେ ପ୍ରଥମ ୧୦ କୋଟି ଟିକାକରଣକୁ ୮୫ ଦିନ ସମୟ ଲାଗିଥିଲା । ୨୦ କୋଟି ଲକ୍ଷ ହାସଲ ହୋଇଥିଲା ୪୫ ଦିନରେ । ସେହିଭଳି ୨୯ ଦିନରେ ୩୦ କୋଟି , ୨୪ ଦିନରେ ୪୦ କୋଟି ଏବଂ ମାତ୍ର ୨୦ ଦିନରେ ଟିକାକରଣ ୫୦ କୋଟି ପାର କରିଛି ।’ ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ମଧ୍ୟ ପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶରେ ୧୮-୪୪ ବର୍ଷ ବର୍ଗଙ୍କ ଟିକାକରଣ ୧ କୋଟି ପାର କରିଛି । ସେହିଭଳି ଅନ୍ୟରାଜ୍ୟମାନଙ୍କରେ ମଧ୍ୟ ଟିକାକରଣ ଦୃତ ଗତିରେ ଜାରି ରହିଛି ।
ଏଭଳି ସ୍ଥିତିରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ଆସନ୍ତା ଅକ୍ଟୋବର ମାସରେ ‘କୋଭୋଭାକ୍ସ’ ଟିକା ଲଞ୍ଚ କରିବାକୁ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ(ଏସ୍ଆଇଆଇ)ର ମୁଖ୍ୟ ଆଦର ପୁନାୱାଲା ଘୋଷଣା କରିଛନ୍ତି । ଦେଶରେ କୋଭୋଭାକ୍ସର ଜରୁରିକାଳୀନ ବ୍ୟବହାର ପାଇଁ ସେରମ୍ ଇନ୍ଷ୍ଟିଚ୍ୟୁଟ୍ ଆବେଦନ କରିସାରିଛି ।
୧୨ ବର୍ଷ ବୟସରୁ ଊଦ୍ଧ୍ୱର୍ଙ୍କ ପାଇଁ ଅକ୍ଟୋବରରେ କୋଭୋଭାକ୍ସ ଟିକା ଲଞ୍ଚ ହେବ । ୧୨ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ୨୦୨୨ ପ୍ରାରମ୍ଭରୁ କୋଭୋଭାକ୍ସ ଟିକା ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହାର ଟିକାର ମୂଲ୍ୟ ନିର୍ଦ୍ଧାରିତ ହୋଇନାହିଁ ବୋଲି ପୁନାୱାଲା କହିଛନ୍ତି । ଏହି ଅବସରରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଅନ୍ୟପକ୍ଷରେ ପୁନାୱାଲା ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଦିଲ୍ଲୀରେ ସାକ୍ଷାତ କରି କୋଭିସିଲ୍ଡ ଟିକାର ଉତ୍ପାଦନ ବୃଦ୍ଧି କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଆଲୋଚନା କରିଛନ୍ତି । ୧୨ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ୨୦୨୨ ପ୍ରାରମ୍ଭରୁ କୋଭୋଭାକ୍ସ ଟିକା ଲଞ୍ଚ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ସୁଦ୍ଧା ଏହାର ଟିକାର ମୂଲ୍ୟ ନିର୍ଦ୍ଧାରିତ ହୋଇନାହିଁ ବୋଲି ପୁନାୱାଲା କହିଛନ୍ତି । ଏହି ଅବସରରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।