ତରନତାରନ : ପାକିସ୍ତାନ ପୁଣି ଦେଖାଇଲା ତାର ଅସଲ ରୂପ। ଏଲଓସି ଏବଂ କାଶ୍ମୀର ଉପତ୍ୟକାରେ ଭାରତୀୟ ଯବାନଙ୍କ ଜୋରଦାର ଅଭିଯାନ ଏବଂ ପାଟ୍ରୋଲିଂ ପରେ ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ଜୋରଦାର ଝଟକା ଲାଗିଛି। ଏବେ ପାକିସ୍ତାନ ଡ୍ରୋନ ଜରିଆରେ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ ଚଳାଇଛି। ଏହି କ୍ରମରେ ଭାରତୀୟ ସୀମାକୁ ପଶିଛି ପାକିସ୍ତାନୀ ଡ୍ରୋନ। ଭାରତର ତରନତାରନର ଖାଲଡା ସୀମା ଭିତରକୁ ଡ୍ରୋନ ପୁରାଇବାକୁ ଚେଷ୍ଟା କରିଛି ପଡୋଶୀ ଆତଙ୍କୀ ଦେଶ। ହେଲେ ଏହାର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ଯବାନ।
ତରନତାରନର ଖାଲଡା ସୀମାରେ ଡ୍ରୋନର ଶବ୍ଦ ବିଏସଏଫ ଯବାନଙ୍କ କାନରେ ପଡିବାରୁ ଯବାନ ଶବ୍ଦ ଆସୁଥିବା ଦିଗକୁ ଫାଙ୍କା ଗୁଳିଚାଳନା କରିଥିଲେ। ଭାରତୀୟ ଯବାନଙ୍କ ଏହି ଜବାବ ପରେ ପାକିସ୍ତାନ ଇଙ୍ଗିତରେ ଉଡୁଥିବା ଡ୍ରୋନ ଗୁଡିକ ପଛକୁ ହଟିଛନ୍ତି। ଏହି ଘଟଣା ପରେ ସୀମାରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ଏଥିରେ ଯବାନ ମାନଙ୍କ ସହ ପଞ୍ଜାବ ପୋଲିସର ଏକ ଟିମ ମଧ୍ୟ ସାମିଲ।
ସୂଚନା ଅନୁଯାୟୀ ରାତି ପ୍ରାୟ ୩-୪ଟା ବେଳେ ସେନାର ଯବାନ ପେଟ୍ରୋଲିଂ କରୁଥିବା ସମୟରେ ରାଜୋକେ ଗାଁ ନିକଟରେ ୨ଟି ଡ୍ରୋନର ଶବ୍ଦ ଶୁଣିବାକୁ ମିଳିଥିଲା। ରାତି ହୋଇଥିବାରୁ ଡ୍ରୋନର ଗତିପଥ ଅନୁମାନ କରିବା କଷ୍ଟକର ଥିଲା। ତେଣୁ ଶବ୍ଦ ଶୁଭୁଥିବା ଦିଗକୁ ଯବାନ ଫାଙ୍କା ଗୁଳିଚାଳନା କରିଥିଲେ। ପାଖାପାଖି ୫୦ରାଉଣ୍ଡ ଗୁଳିଚାଳନା ପରେ ଡ୍ରୋନଗୁଡିକ ପାକିସ୍ତାନ ସୀମାକୁ ଫେରି ଯାଇଥିବା ଜଣା ପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଧିକାରୀ ଏ ସମ୍ପର୍କରେ ଆନୁଷ୍ଠାନିକ ସୂଚନା ଦେଇନଥିବା ବେଳେ ସୀମାରେ ବିଏସଏଫ ଯବାନ ଓ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି।