ଚାନ୍ଦବାଲି : ଚାନ୍ଦବାଲି ବ୍ଲକର ଘଟପୁର ପଞ୍ଚାୟତ ହେଙ୍ଗୁପତି ମହାଳିକ ସାହିରେ ଭୟାବହ ଅଗ୍ନିକାଣ୍ଡ । ଶନିବାର ରାତିରେ ଝଡତୋଫାନ ଦ୍ବାରା କୌଣସି କାରଣରୁ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ରୁ ଉର୍ଦ୍ଧ୍ୱ ବଖରା ପୋଡ଼ି ଯାଇଛି।
ସୂଚନାନୁସାରେ, ରାତିରେ ଘଟପୁର ମହାଳିକ ସାହିରେ ନିଆଁ ଲାଗି ଯାଇଥିଲା। ଧୀରେ ଧୀରେ ନିଆଁ ବ୍ୟାପିବାରେ ଲାଗିଥିଲା। ନିଆଁ ଲିଭାଇବାକୁ ଗ୍ରାମବାସୀମାନେ ଉଦ୍ୟମ କରିଥିଲେ ମଧ୍ୟ ନିଆଁକୁ ଆୟତ କରି ପାରିନଥିଲେ। ଫଳରେ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାପତ୍ର ଓ ଧାନ ଚାଉଳ ସମ୍ପୂର୍ଣ୍ଣ ଭାବେ ଜଳିପୋଡି ପାଉଁଶ ହୋଇଯାଇଥିଲା। ଏହାସହ ଗୁହାଳ ଘରେ ଥିବା ୬ରୁ ଉର୍ଦ୍ଧ୍ୱ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବା ପରିବାର ଲୋକ କହିଛନ୍ତି।
ବିଶେଷ କରି ଘରକୁ ଲାଗିକରି ପାଳ ଗଦା ଥିବାରୁ ସେଗୁଡିକରେ ନିଆଁ ଲାଗିଥିବାରୁ ଏହା ନିୟନ୍ତ୍ରଣ ବାହାରକୁ ପଳାଇଥିଲା। ଗଦି, ତିହିଡି ,ଚାନ୍ଦବାଲି ଦମକଳ କେନ୍ଦ୍ରକୁ ନିଆଁ ବାବଦରେ ସୂଚନା ଦିଆଯାଇଥିଲା । ବହୁ ଦୂରରେ ଦମକଳ କେନ୍ଦ୍ର ହୋଇଥବାରୁ ଠିକ୍ ସମୟରେ ଅଗ୍ନିଶମ ଗାଡି ପହଁଚି ପାରି ନଥିଲା। ତେବେ ଅଗ୍ନି କାଣ୍ଡର କାରଣ ଜଣା ପଡ଼ିନାହିଁ ।