ଭୁବନେଶ୍ବର-କଟକ-ପୁରୀ ଓ ଗଞ୍ଜାମରେ କଟକଣା,ପଣା ସଂକ୍ରାନ୍ତିରେ ମନ୍ଦିର ମନା

0

ଭୁବନେଶ୍ବର: ମନ୍ଦିର, ମସଜିଦ୍‌ରେ ପ୍ରାର୍ଥନା ଉପରେ ଲାଗିଛି କଟକଣା। କେଉଁଠି ୧୪୪ ଲାଗିଛି ତ ଆଉ କେଉଁଠି ସୀମିତ ଲୋକଙ୍କୁ ନେଇ ପ୍ରାର୍ଥନା କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। କରୋନା ବଢୁଥିବାରୁ ସଂକ୍ରମଣର ସମ୍ଭାବନା ସବୁଠୁ ବେଶି ରହିଛି। ମଙ୍ଗଳବାର ୧୭୮୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨ ଜଣଙ୍କ ଜୀବନ ମଧ୍ୟ ଯାଇଛି। ସଂଖ୍ୟା ବଢିନି ସତ ହେଲେ ଟେଷ୍ଟିଂ କମିଛି। ଗଞ୍ଜାମ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ ଏପ୍ରିଲ୍‌ ୧୪ ତାରିଖରୁ ୨୧ ତାରିଖ (୭ ଦିନ)ଯାଏ ବନ୍ଦ ରହିବ।

ଏହି ସମୟ ମଧ୍ୟରେ ଧାର୍ମିକ ଅନୁଷ୍ଠାନରେ ସାନିଟାଇଜ୍‌ କରାଯିବା ସହ ସେବାୟତମାନେ ମନ୍ଦିରରେ ରୀତିନୀତି ଜାରି ରଖିବେ। ଲୋକ ଗହଳି ହେଉଥିବା ପାର୍କ, ସମୁଦ୍ର କୂଳ ୭ ଦିନ ବନ୍ଦ ରହିବ। ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ହେବନି। ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦର କମଳେଶ୍ୱର ମନ୍ଦିର, ପୁରୀ ଶିରୁଳି ମହାବୀର ମନ୍ଦିରରେ ୧୪୪ ଧାରା ଲାଗିଛି । ୪ ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ ଲାଗିଛି ଅଙ୍କୁଶ । ସିଦ୍ଧମହାବୀର ମନ୍ଦିରରେ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗିଛି। ବିଏମ୍‌ସି(ଭୁବନେଶ୍ୱର ମହାନଗର ନିଗମ) ଅଞ୍ଚଳରେ ଏକାଠି ହୋଇ ପର୍ବ ପାଳନ ଉପରେ ରୋକ ଲାଗିଛି। ବିନାଭକ୍ତରେ କେବଳ ସେବାୟତମାନେ ମନ୍ଦିରକୁ ଯାଇ ରୀତିନୀତି ପାଳିବେ । ସେବାୟତମାନେ ମୁହଁରେ ଠିକଣା ଢଙ୍ଗରେ ମାସ୍କ ପିନ୍ଧିବେ । ମନ୍ଦିର ହେଉ କି ସର୍ବସାଧାରଣ ସ୍ଥାନରେ ପଣା କିମ୍ବା ଥଣ୍ଡାପାନୀୟ ବିତରଣ ଉପରେ ରୋକ ଲଗାଯାଇଛି।

ମୁସଲମାନ ଧର୍ମାବଲମ୍ବୀଙ୍କ ରମ୍‌ଜାନ ମାସ ଆଜିଠୁ ଆରମ୍ଭ ହୋଇଛି। ମସଜିଦ୍‌ରେ ସମୂହ ନମାଜ ପାଠ କରିବାକୁ ଅନୁମତି ମିଳିଛି ସତ। ହେଲେ ସର୍ବାଧିକ ୧୦୦ ଜଣ ସମୂହ ନମାଜ ପାଠ କରିପାରିବେ। କିମ୍ବା କ୍ଷମତାର ଅଧା (୫୦%) ଲୋକ ନମାଜ ପାଠ କରିପାରିବେ। ଉଭୟ ଭୁବନେଶ୍ୱର ଓ କଟକ ସହର ପାଇଁ ଲାଗିଛି ଏହି କଟକଣା। ମସଜିଦ୍‌କୁ ଆସୁଥିବା ଲୋକ ମାସ୍କ ପିନ୍ଧିବା ଓ ୨ ମିଟରର ଦୂରତା ରକ୍ଷା କରିବାର ଦାୟିତ୍ୱ ମସଜିଦ୍‌ ପରିଚାଳନା କର୍ତ୍ତୃପକ୍ଷ ନେବେ। ହାତ ଧୁଆଠୁ ଆରମ୍ଭ କରି ମସଜିଦ୍‌ ସାନିଟାଇଜ ନିୟମିତ ଭାବେ କରାଯିବ। ଥର୍ମାଲ ସ୍କ୍ରିନିଂ କରି ଲୋକଙ୍କୁ ପ୍ରାର୍ଥନା ଅନୁମତି ଦିଆଯିବ । ତେବେ ୬୫ ବର୍ଷରୁ ଅଧିକ ବୟସ୍କ ଓ ୧୦ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଅନୁମତି ଦିଆଯାଇନି।

ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି। କଳାହାଣ୍ଡି, ନୂଆପଡ଼ା, ବରଗଡ଼ ଓ ସମ୍ବଲପୁର ୟେଲୋ ଜୋନ୍‌ରେ ରହିଛି। ଛତିଶଗଡ଼ ଆଡୁ ବିପଦ ଭୟଙ୍କର ହୋଇଛି। ନୂଆପଡ଼ା ଜିଲ୍ଲାରେ ଆଜି କରୋନା ବିସ୍ଫୋରଣ ହୋଇଛି। ୧୭୮୪ ଜଣ ନୂଆ ରୋଗୀ ରାଜ୍ୟରୁ ଚିହ୍ନଟ ହୋଇଥିବା ବେଳେ ଖାଲି ନୂଆପଡ଼ାରୁ ବାହାରିଛନ୍ତି ୩୦୩ ଜଣ । ଜିଲ୍ଲାରେ ୮୦୦ ସକ୍ରିୟ ରୋଗୀ ରହିଛନ୍ତି। ସୁନ୍ଦରଗଡ଼ରୁ ୨୪୧ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ୧,୯୩୨ ସକ୍ରିୟ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ୨୦୧ ଜଣ ଚିହ୍ନଟ ହୋଇଛନ୍ତି। ୨୮ ହଜାରକୁ କମିଛି ଟେଷ୍ଟିଂ। ତେବେ ପଜିଟିଭ୍‌ ସଂଖ୍ୟା ବଢିଛି। ପଜିଟିଭ୍‌ ହାର ୬.୩୬%କୁ ବଢିଛି।

Leave A Reply

Your email address will not be published.