ଭୁବନେଶ୍ବର :ପିଚୁ-କଂକ୍ରିଟ୍‌ରେ ହଜିଗଲା ସବୁଜିମା

0

ଭୁବନେଶ୍ବର : ଇଏ ନମ୍ବରୱାନ ସ୍ମାର୍ଟ ସିଟି । ଏଠି ମାଡ଼ି ଚାଲିଛି ବିକାଶ । ମୁଖ୍ୟ ରାସ୍ତାରୁ ଗଳିକନ୍ଦି ଯାଏଁ, ସବୁ କଂକ୍ରିଟମୟ । କେଉଁଠି ବି ମାଟି ରହିବନି, ପକ୍କା କରାଯିବ । ଏମିତିକା ବିକାଶ ରାଜଧାନୀଆ ଘାସକୁ ଚରିଗଲାଣି । ପାର୍କ ଆଉ ବଡ଼ବଡ଼ିଆଙ୍କ କୃତ୍ରିମ ଘାସ ଗାଲିଚାକୁ ଛାଡ଼ିଦେଲେ, ଭୁବନେଶ୍ୱରରେ ଆଉ ଘାସ ଦିଶୁନି ।

ପୁରୁଣା ଦିନର ଭୁବନେଶ୍ୱର ଆଉ ନାହିଁ । ସବୁଜ ସୁନ୍ଦର ଭୁବନେଶ୍ୱର ଏବେ ବିଶ୍ୱର ସବୁଠୁ ଉତ୍ତପ୍ତ ସହର । ଏଥର ମାର୍ଚ୍ଚରେ ତାପମାତ୍ରା ୪୪ ଡିଗ୍ରୀ ଡେଇଁଲା । ଖରା, ବର୍ଷା, ଶୀତ… ସବୁବେଳେ ଅସ୍ୱାଭାବିକ ଗରମ । ତାତି ବଢ଼ିବାର ପ୍ରମୁଖ କାରଣ-ଦ୍ରୁତ ସହରୀକରଣ । ଏଥିରେ ବଳି ପଡ଼ୁଛି ସବୁଜିମା । ଏହା ଭିତରେ ହଜିଗଲାଣି ଘାସ ।ପାଣିପାଗ ବିଶେଷଜ୍ଞଙ୍କ କହିବାନୁଯାୟୀ ଭୁବନେଶ୍ୱର ବାୟୁମଣ୍ଡଳରେ ସବୁବେଳେ ଧୂଳିକଣା ଭରି ରହୁଛି । ସୂର୍ଯ୍ୟ କିରଣ କଂକ୍ରିଟ ଓ ପିଚୁରେ ପଡ଼ି ପୁଣି ଉପରକୁ ଉଠୁଛି । ବାୟୁମଣ୍ଡଳରେ ଧୂଳିକଣା ଏହି ତାତିକୁ ଜାବୁଡ଼ି ଧରୁଛି । ଉପର ବାୟୁମଣ୍ଡଳ ଥଣ୍ଡା ହେଉନି । ଏହା ହିଁ ତାତି ବୃଦ୍ଧିର ପ୍ରମୁଖ କାରଣ ।

ଏକ ଅଧ୍ୟୟନରୁ ଜଣାଯାଇଛି, ଓଡ଼ିଶାରେ ପ୍ରାୟ ୩୦୦ ପ୍ରଜାତିର ଘାସ ରହିଛି । ଭୁବନେଶ୍ୱରରେ ପାଖାପାଖି ୧୨୦ ପ୍ରଜାତିର ଘାସ ଥିଲା । ଗତ ଦୁଇ ଦଶନ୍ଧି ଭିତରେ ରାଜଧାନୀରୁ ପ୍ରାୟ ୩୦ ପ୍ରଜାତିର ଘାସ ଗାଏବ ହୋଇଗଲାଣି । ଗତ ୨୦/୨୫ ବର୍ଷ ଭିତରେ ଭୁବନେଶ୍ୱର ରାସ୍ତାଘାଟ ବଦଳିଯାଇଛି । ସବୁଠି କଂକ୍ରିଟ୍‌ ଓ ପିଚୁ । ରାସ୍ତାର ମେଡିଆନ୍‌ (ଡିଭାଇଡର) ଓ ଦୁଇ ପାଶ୍ୱର୍କୁ ବି କଂକ୍ରିଟ୍‌ ମାଡ଼ିଗଲାଣି । ଦୁଇ ପାଶ୍ୱର୍ ଖାଲି ସ୍ଥାନକୁ ପାଦ ଚଲା ରାସ୍ତା ପାଇଁ କଂକ୍ରିଟ୍‌ କରାଯାଉଛି । ନଚେତ୍‌ ଟାଇଲ ବିଛା ଯାଉଛି । ଦୁବ କଅଁଳିବାକୁ ବି ଜାଗା ଛଡ଼ାଯାଉନି । ଖାଲି ମୁଖ୍ୟ ରାସ୍ତା ନୁହେଁ, କଲୋନି ଓ ବସ୍ତିର ଗଳିକନ୍ଦି ରାସ୍ତାରେ ବି କଂକ୍ରିଟ୍‌ ମାଡ଼ିଗଲାଣି ।

ଓଡ଼ିଶା ପରିବେଶ ସମିତିର ସମ୍ପାଦକ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ୩୦ ବର୍ଷ ତଳେ ରାଜଧାନୀର ସବୁ ରାସ୍ତାଘାଟ ସରୁଆ ଥିଲା । ରାସ୍ତାକଡ଼ରେ ବହୁ ସଂଖ୍ୟାରେ ଗଛ ଓ ଘାସ ଦେଖିବାକୁ ମିଳୁଥିଲା । ରାସ୍ତା ପ୍ରଶସ୍ତିକରଣରେ ଏସବୁ ବଳି ପଡ଼ିଯାଇଛି । ଦୁବ ଘାସଟିଏ ବି ମିଳିବା ଏବେ କଷ୍ଟକର । ଆମେରିକା, ୟୁରୋପରେ ରାସ୍ତା ଯେଉଁଠି ସରୁଛି, ତା’ ପାଶ୍ୱର୍ରେ ଘାସ ରହୁଛି । ଅଥଚ, ଆମର ଏଠି ରାସ୍ତା ପାଶ୍ୱର୍କୁ କଂକ୍ରିଟ୍‌ କରାଯାଉଛି ନହେଲେ ନିର୍ମାଣ ବର୍ଜ୍ୟ ଗଦାଇ ଦିଆଯାଉଛି । ଘାସଟିଏ ବଞ୍ଚିବାକୁ ସୁଯୋଗ ଦିଆଯାଉନି । ଡ. ପାଣିଗ୍ରାହୀ କହିଛନ୍ତି, ପରିବେଶ ସନ୍ତୁଳନରେ ଘାସର ବଡ଼ ଭୂମିକା ରହିଛି । ଏହା ବର୍ଷା ପାଣିକୁ ସଂରକ୍ଷିତ ରଖି ମାଟି ତଳକୁ ଛାଡ଼ିଥାଏ । ମାଟିକୁ ବି ସଂରକ୍ଷିତ କରେ । ଘାସରେ କୀଟପତଙ୍ଗ ବି ବଞ୍ଚି ରହନ୍ତି । ଘାସ ଯୋଗୁ ମାଟିରେ ଜଳୀୟ ଅଂଶ ସଞ୍ଚିତ ହୁଏ । ଏଥିଯୋଗୁ ତାପମାତ୍ରା ବିଶେଷ ବଢ଼ିନଥାଏ । ସବୁଜ ଆସ୍ତରଣ ବିନା ମାଟି ସଂରକ୍ଷିତ ରହିପାରେନି । ବର୍ତ୍ତମାନ ଭୁବନେଶ୍ୱର ମାଟିରେ ଘାସ ରହୁନଥିବାରୁ ଧୂଳି ଆସ୍ତରଣ ବଢ଼ିବା ସହ ବାୟୁ ପ୍ରଦୂଷଣ ବଢ଼ୁଛି । ଘାସକୁ ବଞ୍ଚାଇ ରଖିବାକୁ ହେଲେ ପାଦ ଚଲା ରାସ୍ତାର ଗୋଟିଏ ଲେନରେ ଘାସ ରଖାଯାଉ ।

ଆଶ୍ଚର୍ଯ୍ୟ କଥା ହେଲା, ଗୋଟିଏ ପଟେ ଭୁବନେଶ୍ୱରରେ ଦୁବ କଅଁଳିବା ପାଇଁ ଖାଲି ମାଟି ଛଡ଼ାଯାଉନି, ଅନ୍ୟପଟେ ଜନପଥ ଭଳି ରାସ୍ତାକୁ ସବୁଜ ସୁନ୍ଦର କରିବା ପାଇଁ କଂକ୍ରିଟ୍‌ ଉପରେ ମାଟି ଗଦାଇ ଲ୍ୟାଣ୍ଡ ସ୍କେପିଂ କରାଯାଉଛି । କଳିଙ୍ଗ ଷ୍ଟାଡିୟମ ସାମ୍ନା, ରାଜଭବନ ଛକ, ଏୟାରପୋର୍ଟ ଗୋଲେଇ ଛକରେ ସହରକୁ ସୁନ୍ଦର ଦେଖାଇବା ପାଇଁ କିଛି ପରିମାଣରେ ଘାସ ଲଗାଯାଇଛି ।
ଜୈବ ବିବିଧତା ବୋର୍ଡର ବୈଜ୍ଞାନିକ ଡକ୍ଟର ପ୍ରସାଦ ଦାଶଙ୍କ କହିବାନୁଯାୟୀ ଘାସ ମାଟିକୁ ଜାବୁଡ଼ି ଧରେ । ଘାସରେ ବିଭିନ୍ନ କୀଟପତଙ୍ଗ ରହୁଥିବାରୁ ମାଟି ହାଲୁକା ହୁଏ । ବର୍ଷା ସମୟରେ ଘାସ ପାଇଁ ମାଟି ଅଧିକ ସମୟ ବତୁରି ରହେ, ଯାହାକି ମାଟିକୁ ଥଣ୍ଡା ରଖେ । ମାଟି ଉପରେ ଘାସ ଥିଲେ, ଧୂଳି ଉଡ଼ିବା କମିଥାଏ । ତାତି ପ୍ରକୋପ ଅପେକ୍ଷାକୃତ କମ୍‌ ରହେ । ନୂଆ ଗଛ ସୃଷ୍ଟି ପାଇଁ ଘାସ ଉତ୍ତମ ବାତାବରଣ ତିଆରି କରେ । ଖାଲି ମାଟିରେ ମଞ୍ଜି ପଡ଼ିଲେ ପବନରେ ଉଡ଼ି ରାସ୍ତାକୁ ପଳାଇପାରେ । ହେଲେ ଘାସରେ ପଡ଼ିଲେ ମଞ୍ଜି ରହିଯାଏ ।

ଘାସରେ ଆର୍ଦ୍ରତା ରହୁଥିବାରୁ ମଞ୍ଜିରୁ ସହଜରେ ଗଛ ହୁଏ । ଗୋଟିଏ ପଟେ କଂକ୍ରିଟ୍‌ ବଢ଼ୁଥିବାବେଳେ ଅନ୍ୟପଟେ ଜଳାଶୟ, ସନ୍ତସନ୍ତିଆ ମାଟି ଉଭାନ ହୋଇଗଲାଣି । ଏଥିଯୋଗୁ ଘାସ କମିବା ସହ ତାତି ବି ବଢ଼ୁଛି । ପରିବେଶବିତ୍‌ ଡକ୍ଟର ବିଜୟ ମିଶ୍ର କହିଛନ୍ତି, ବର୍ତ୍ତମାନ ଯେତିକି ଘାସ ଅଛି, ତାହା ରୁଗ୍‌ଣ ଅବସ୍ଥାରେ । ସବୁଜ ଘାସ ଦେଖିବାକୁ ହେଲେ ପାର୍କ ଯିବାକୁ ପଡୁଛି । ଘାସ ରହିଲେ ବାତାବରଣ ଶୀତଳ ରହିବ । ଖାଲି ସେତିକି ନୁହେଁ, ଘାସ ଶୂନ୍ୟ ରାଜଧାନୀରେ ଗୋରୁଗାଈ ବି କଷ୍ଟରେ ବଞ୍ଚୁଛନ୍ତିି । ଖାଦ୍ୟ ପାଇଁ ସେମାନେ ଘାସ ପାଉନାହାନ୍ତି । ବୁଲିବୁଲି ପଲିିଥିନ, କାଗଜ, ପ୍ଲାଷ୍ଟିକ ଗିଳି ପକାଉଛନ୍ତି । ବର୍ତ୍ତମାନ ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ସ୍ତର ବିପଦଜନକ ହେଲାଣି । ରାତିରେ ବି ଏୟାର କ୍ୱାଲିଟି ଇନ୍‌ଡେକ୍ସ ୧୫୦ ଉପରେ ରହୁଛି, ଯାହାକି ସ୍ୱାସ୍ଥ୍ୟ ପ୍ରତି ବିପଦଜନକ । ସମୟ ଆସିଛି, କଂକ୍ରିଟ୍‌ ହଟାଇ ଘାସ ମଞ୍ଜି ବୁଣିବାକୁ ପଡ଼ିବ । ନଚେତ୍‌ ଭୁବନେଶ୍ୱର ଉତ୍ତପ୍ତ ପିଣ୍ଡ ପାଲଟିଯିବ ।

Leave A Reply

Your email address will not be published.