ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସହରରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ।ମୃତ ମହିଳା ଜଣକ ହେଉଛନ୍ତି ଲିଜା ଡାକୁଆ । ସେ ଗତ ଚାରି ବର୍ଷ ହେଲା ଟିଟିଲାଗଡ ହାଟପଦା ପଡାର ଟାଙ୍ଗରପଡାରେ ଭଡାରେ ରହୁଥିଲେ ।
ସୂଚନାନୁସାରେ, ଲିଜା ଭୁବନେଶ୍ୱର ବାସିନ୍ଦା ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁରରେ ବାହା ହୋଇଥିଲେ। ଏବଂ ଗତ ଚାରି ବର୍ଷ ଧରି ଟିଟିଲାଗଡରେ ସେ ନିଜ ସ୍ଵାମୀଙ୍କ ସହ ଭଡ଼ା ରହି ଆସୁଥିଲେ। ହେଲେ ସ୍ବାମୀ ବାହାରେ କାମ କରୁଥିବା ଯୋଗୁଁ ପ୍ରାୟ ମାସକୁ ଥରେ ନିଜ ସ୍ତ୍ରୀଙ୍କ ପାଖକୁ ଆସୁଥିଲେ। ଶୁକ୍ରବାର ସବୁକିଛି ଠିକଠାକ୍ ଥିବା ବେଳେ ଶନିବାର ସକାଳେ ଘରର କବାଟ ଖୋଲା ଥିବାରୁ ଘର ମାଲିକ ସନ୍ଦେହ ପ୍ରକାଶ କରିଥିଲେ । ସଙ୍ଗେ ସଙ୍ଗେ ସେ ତାଙ୍କ ସ୍ତ୍ରୀଙ୍କୁ ଘର କବାଟ ଖୋଲା କାହିଁକି ଅଛି, ଲିଜା କେଉଁଠି ଅଛି ବୋଲି କହିଥିଲେ।
ଘର ମାଲିକ ଏବଂ ତାଙ୍କ ସ୍ତ୍ରୀ ଲିଜା ରହୁଥିବା ଘରକୁ ଯାଇ ସେ ଶୋଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ତାଙ୍କୁ ଉଠେଇବାରୁ ସେ ନ ଉଠିବାରୁ ମୃତ୍ୟବରଣ କରିଥିବା ସନ୍ଦେହ କରି ସାହି ପଡ଼ିଶା ଓ ପୋଲିସକୁ ଖବର ଦେଇଥିଲେ। ଘର ମାଲିକ ଏହାକୁ ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକାଶ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।