ବିଧାୟକ ନହେଲେ ଚାଲିଯିବ ମମତାଙ୍କ ମୁଖ୍ୟମନ୍ତ୍ରୀ ପଦ

0

କୋଲକାତା : ଆଉ କେବଳ ୭୧ ଦିନ। ଏହି ଦିନ ଗୁଡିକ ମମତାଙ୍କ ପାଇଁ ଅତି ଗୁରୁତ୍ଵପୂର୍ଣ୍ଣ। ଯେତିକି ଦିନ ସରି ଆସୁଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବଢିବାରେ ଲାଗିଛି। ଯଦି ଆଗାମୀ ୭୧ ଦିନରେ ସେ ବିଧାୟକ ନହୁଅନ୍ତି ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିବ। ଏହି କାରଣରୁ ତୃଣମୂଳ କଂଗ୍ରେସ ଗୁରୁବାର ପୁଣି ଥରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଯାଇ ରାଜ୍ୟରେ ଶୀଘ୍ର ଉପ ନିର୍ବାଚନ କରାଇବାକୁ ଦାବି କରିଛି। ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ମମତାଙ୍କୁ ନଭେମ୍ଵର ୫ ସୁଦ୍ଧା ବିଧାନସଭା ସଦସ୍ୟ ହେବାକୁ ପଡିବ।

ଟିଏମସି ନେତା ସୌଗାତ ରାୟଙ୍କ ନେତୃତ୍ଵାଧୀନ ଟିଏମସିର ପ୍ରତିନିଧି ମଣ୍ଡଳ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଯାଇ ରାଜ୍ୟରେ ଶୀଘ୍ର ଉପ ନିର୍ବାଚନ କରାଇବାକୁ ଦାବି କରିଛନ୍ତି। ଟିଏମସି ଏହା ପୂର୍ବରୁ ମଧ୍ୟ ଦୁଇ ଥର ଦାବି କରି ସାରିଛି। ଏପରିକି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୋଦ୍ ଆଉ ବିଳମ୍ବ ନକରି ରାଜ୍ୟରେ ଉପ ନିର୍ବାଚନ କରାଇବାକୁ ଦାବି କରି ସାରିଛନ୍ତି।

ସୂଚନାଯୋଗ୍ୟ, ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ ରାଜ୍ୟରେ ତୃତୀୟ ଥର ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବାରେ ସଫଳ ହୋଇଛି। ହେଲେ ନିଜେ ସେ ବିଜେପି ନେତା ତଥା ନିଜର ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କଠୁ ନନ୍ଦିଗ୍ରାମ ଆସନରୁ ପରାଜିତ ହୋଇଛନ୍ତି। ନିୟମ ଅନୁଯାୟୀ, ବିଧାନସଭାର ସଦସ୍ୟ କିମ୍ବା ବିଧାନ ପରିଷଦର ସଦସ୍ୟ ନହୋଇଥିଲେ ବି କୌଣସି ବି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ କରାଯାଇ ପାରିବ। କିନ୍ତୁ ଛଅ ମାସ ଭିତରେ ଉକ୍ତ ବ୍ୟକ୍ତିଙ୍କୁ ବିଧାନସଭାର ସଦସ୍ୟ କିମ୍ବା ବିଧାନ ପରିଷଦର ସଦସ୍ୟ ହେବା ଜରୁରୀ।

ନଭେମ୍ବର ୧୫ରେ ପରବର୍ତ୍ତୀ ଶୁଣାଣି

ନନ୍ଦିଗ୍ରାମରେ ଶୁଭେନ୍ଦୁ ଅଧିକାରୀଙ୍କଠୁ ପ୍ରାୟ ଦୁଇ ହଜାର ଭୋଟ୍‌ରେ ହାରିବା ପରେ ମମତା ବାନାର୍ଜୀ ଏହି ପରିଣାମକୁ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। କୋର୍ଟରେ ଏହାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୫ରେ ହେବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି। ଏହାର ଅର୍ଥ ନନ୍ଦିଗ୍ରାମ ଉପରେ କୋର୍ଟର ନିଷ୍ପତ୍ତି ପୂର୍ବରୁ ମମତା ବାନାର୍ଜୀଙ୍କୁ କୌଣସି ଆସନରୁ ଉପ ନିର୍ବାଚନ ଜିତିବାକୁ ପଡିବ। ନଚେତ୍ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଚାଲିଯିବ।

ଏହି ଆସନ ଉପରେ ହେବ ଉପ ନିର୍ବାଚନ

ପଶ୍ଚିମବଙ୍ଗରେ ଭବାନିପୁର, ଦିନହାଟା, ସୁତି, ଶାନ୍ତିପୁର, ସମସେରଗଞ୍ଜ, ଖାରଦାହ ଓ ଜାଙ୍ଗିପୁର  ବିଧାନସଭା ଆସନରେ ଉପ ନିର୍ବାଚନ ହେବ। ଏହି ସବୁ ଆସନ ନେତାଙ୍କ ମୃତ୍ୟୁ କିମ୍ବା ଇସ୍ତଫା ପରେ ଖାଲି ପଡିଛି।

Leave A Reply

Your email address will not be published.