ବିଦ୍ୟୁତ ସଂସ୍ପର୍ଶରେ ଲାଗି ଅସ୍ଥାୟୀ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ

0

ନୀଳଗିରି,: ବିଦ୍ୟୁତ ସଂସ୍ପର୍ଶରେ ଲାଗି ଅସ୍ଥାୟୀ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ। କ୍ଷତିପୂରଣ ଦାବିରେ ଶବ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ। ନୀଳଗିରି ଥାନା ଜାମୁଡିହା ପଞ୍ଚାୟତ ବଡ଼ବିଲ ଗ୍ରାମରେ ଏଭଳି ଘଟଣା ଘଟିଛି।

ସୂଚନାନୁଯାୟୀ, ନୀଳଗିରି ଥାନା ଜାମୁଡିହା ପଞ୍ଚାୟତ ବଡ଼ବିଲ ଗ୍ରାମରେ ଏକ ଫାର୍ମ ହାଉସରେ ବିଦ୍ୟୁତ୍ କାମ କରିବାକୁ ଭାଗିରଥୀ ମାଝୀ ନାମକ ଜଣେ ଅସ୍ଥାୟୀ ବିଦ୍ୟୁତ୍ କର୍ମଚାରୀ ଶଙ୍କର ମଲ୍ଲିକଙ୍କ ସହ ଯାଇଥିଲେ। ସେଠାରେ ବିଦ୍ୟୁତ୍ କାଟ କରି ଭାଗିରଥୀ ସଜାଡ଼ୁଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଭାଗିରଥୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ସେଠାରେ ଟଳି ପଡିଥିଲେ। ତାଙ୍କୁ ତୁରନ୍ତ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ମୃତକ ଭାଗିରଥୀ ହେଉଛନ୍ତି ପୂର୍ବତନ ବିଦ୍ୟୁତ କର୍ମଚାରୀ କାଲୁ ମାଝୀଙ୍କ ପୁଅ। ରେମୁଣା ଥାନା ଅଧିନ ଅଯୋଧ୍ୟା ନଗରପାଟଣାରେ ସେ ରୁହନ୍ତି। ସେ ସଜନାଗଡ଼ ବିଦ୍ୟୁତ ଷ୍ଟ୍ରକଚରରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି ଲାଇନମ୍ୟାନ୍ ଜଣକ ନିଜେ କାମ ନକରି ଭାଗିରଥୀଙ୍କୁ କଣ ପାଇଁ କାମରେ ଲଗାଇଥିଲେ ? ଆଜି ଭାଗିରଥୀଙ୍କର ଜୀବନ ଗଲାପରେ ତାଙ୍କ ପରିବାରକୁ ସରକାରୀ କ୍ଷତିପୂରଣ ମିଳିବା ମଧ୍ୟ କଷ୍ଟକର ବ୍ୟାପାର ହେବ। ତେବେ ଘଟଣାସ୍ଥଳରେ ବହୁ ସମୟ ଧରି ବିଭଗୀୟ ଅଧିକାରୀ ନପହଞ୍ଚିବାରୁ ପରିବାର ଓ ଗ୍ରାମବାସୀମାନେ ହସ୍ପିଟାଲ ଆଗରେ ଶବ ରଖି ଧାରଣା ଦେଇଛନ୍ତି। ଘଟଣାର ତଦନ୍ତ କରିବା ସହ କ୍ଷତିପୂରଣ ଦାବିରେ ଏହି ଧାରଣା ଦିଆଯାଇଛି। ଘଟଣାସ୍ଥଳରେ ନୀଳଗିରି ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପହଞ୍ଚି ପରିବାରଙ୍କ ଦାବିକୁ ଯଥାର୍ଥ ବୋଲି ଦର୍ଶାଇଥିଲେ। ଉପଜିଲ୍ଲାପାଳ ଓ ଏସଡିପିଓ ମଧ୍ୟ ଉପସ୍ଥିତ ଥିଲେ। ବିଦ୍ୟୁତ ବିଭାଗର ଉଚ୍ଚ ଅଧିକାରୀଙ୍କ ସହିତ ପ୍ରତାପ ଷଡ଼ଙ୍ଗୀ କଥାବାର୍ତା କରି ତୁରନ୍ତ କ୍ଷତିପୂରଣ ଦେବାସହ ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ କିଛି ମାସ ପୂର୍ବରୁ ସଜନାଗଡ଼ ଷ୍ଟ୍ରକଚର ଅଧୀନ ନରଣପୁର ଅଞ୍ଚଳର ଜଣେ ଅସ୍ଥାୟୀ କର୍ମଚାରୀର ମୃତ୍ୟୁ ପରେ ବହୁ ତୁମ୍ବିତୋଫାନ ଉଠିଥିଲା। କ୍ଷତିପୂରଣ ବାବଦରେ କାର୍ଯ୍ୟରତ ଲାଇନମ୍ୟାନ କିଛି ଟଙ୍କା ଦେଇ ଖସିଯାଇ ନିଜର ଚାକିରୀ ସୁରକ୍ଷିତ ରଖିବାକୁ ସକ୍ଷମ ହୋଇଥିଲେ। ଏପରିକି ବିଭାଗୀୟ ଏସଡିଓ ଏବଂ ଜେଇଙ୍କ ନାମରେ ମଧ୍ୟ ଥାନାରେ ଅଭିଯୋଗ ହୋଇଥିଲା। ବହୁ କଷ୍ଟରେ ମଧ୍ୟ ସେମାନେ ଘଟଣାକୁ ସମାଧାନ କରି ଖସି ଯାଇଥିଲେ। ଆଜି ମଧ୍ୟ ଏଭଳି ଘଟଣାର ପୁନରାବୃତ୍ତି ହୋଇଥିବା ବେଳେ ପୁଣି ଅଧିକାରୀଙ୍କ ଅପାରଗତା ପଦାରେ ପଡିଛି।

Leave A Reply

Your email address will not be published.