ବିଦ୍ୟାଙ୍କୁ ପୁଣି ଥରେ ହେବ ଜେରା କରିବ ତଦନ୍ତକାରୀ ଟିମ୍

0

ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଅଧିକ ଖୋଳତାଡ଼ ଲାଗି ତଦନ୍ତକାରୀ ଟିମ୍‌ ରବିବାର ପୁଣି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ଗୌଡ଼ଗାଁ ଅଭିମୁଖେ ବାହାରିଛି । ସେଠାରେ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଘରକୁ ଯାଇ ପୁଣି ଥରେ ପଚରାଉଚରା କରି ସତ ଓଗାଳିବା ପାଇଁ ପ୍ରୟାସ କରିବା ସମ୍ଭାବନା ରହିଛି । ହେଲେ ତଦନ୍ତକାରୀ ଟିମ୍‌ ଯାଇ ସେଠାରେ କଣ କରିବ ସେନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । ଏନେଇ ଗଣମାଧ୍ୟକୁ କିଛି କହିବାକୁ ସିଧାସଳଖ ମନା କରିଦେଇଛି ପୁଲିସ ଟିମ୍‌ । କେବଳ ଗୋଟିଏ କଥା ଦୋହରାଉଛି ଯେ- ତଦନ୍ତ ସରିବା ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ।

ଏହି ଘଟଣାରେ ସୌମ୍ୟଙ୍କ ପରିବାର ଲୋକେ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସେମାନଙ୍କ ମଧ୍ୟରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ମଧ୍ୟ ରହିଛନ୍ତି । ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚୁରା ପାଇଁ ଜୁଲାଇ ୧୮ ତାରିଖ ଦିନ ତାଙ୍କ ବାପଘର ମୟୁରଭଞ୍ଜ ଜିଲ୍ଲା କପ୍ତିପଦାର ଗୌଡଗାଁକୁ ଯାଇଥିଲା ତଦନ୍ତକାରୀ ଟିମ୍‌ । ସେତେବେଳେ ପୁଲିସ ମୋବାଇଲ୍‌ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜବତ କରିଥିଲା । ଏହାପରେ ଆହୁରି ଅନେକ ଚିଠି ଏବଂ ଚରିତ୍ର ଲୋକଲୋଚନକୁ ଆସିଛି । ସେଥିପାଇଁ ବିଦ୍ୟା ପଢୁଥିବା ବଲାଙ୍ଗୀରର ଅନୁଷ୍ଠାନକୁ ଯାଇ ମଧ୍ୟ ପୁଲିସ ଯାଞ୍ଚ କରିଥିଲା । ଆଉ ଏବେ ଅଧିକ ପଚରାଉଚୁରା ପାଇଁ ତଦନ୍ତକାରୀ ଟିମ୍‌ ପୁଣି ଥରେ ଗୌଡଗାଁ ଯାଇଥିବା ସୂଚନା ମିଳିଛି ।

ଯଦିଓ ପୁଲିସ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି, ତଥାପି ଦ୍ୱିତୀୟ ଥର ପଚରାଉଚୁରା ପାଇଁ ବିଦ୍ୟାଙ୍କ ଘରକୁ ତଦନ୍ତକାରୀ ଟିମ୍‌ ଯାଉଥିବାରୁ କିଛି ସୁରାକ ମିଳିଥିବା ଅନୁମାନ କରାଯାଉଛି । ତେବେ ଏନେଇ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି ଯେ- ତଦନ୍ତ ଜାରି ରହିଛି, ତଦନ୍ତ ପରେ ହିଁ ସବୁ କଥା ସ୍ପଷ୍ଟ ହେବ ।

ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ଏଯାଏଁ ତଦନ୍ତର ଦିଗ ମଧ୍ୟ ସ୍ପଷ୍ଟ କରି ପାରୁନାହିଁ ପୁଲିସ ଟିମ୍‌ । ଯଦିଓ ପୁଲିସକୁ ତଦନ୍ତରେ କ୍ରାଇମ୍‌ବ୍ରାଞ୍ଚ ସହାୟତା କରୁଛି ତଥାପି ଏଯାବତ୍‌ ଏହା ଦୁର୍ଘଟଣାଜନିତ ନା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ତଦନ୍ତକାରୀ ଟିମ୍‌ ଇତି ମଧ୍ୟରେ ୪ଟି ଜିଲ୍ଲା ବୁଲି ତନାଘନା କରିଛି, କିନ୍ତୁ କୌଣସି ଠାରୁ ମଧ୍ୟ କିଛି ବିଶେଷ ସୁରାକ ପାଇନାହିଁ ।

Leave A Reply

Your email address will not be published.