ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ବିଦେଶ ଯାତ୍ରା କରିବାକୁ ଏୟାରପୋର୍ଟରେ ଲୋକଙ୍କ ଭିଡ଼ ପୁଣି ଥରେ ବଢ଼ିଛି। ଚାହିଦାକୁ ନଜରରେ ରଖି ବିଦେଶ ଯାତ୍ରା ମହଙ୍ଗା ହୋଇଛି। ମୁଖ୍ୟ ଅନ୍ତର୍ଜାତୀୟ ରୁଟ୍ରେ ଇକୋନୋମି କ୍ଲାସ୍ ପାଇଁ ଭଡ଼ା ବୃଦ୍ଧି ହୋଇଛି। ଇଜମାଇଟ୍ରିପ୍ ଡଟ୍ କମ୍ ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି।
ଟ୍ରଭେଲ୍ ଓ୍ବେବସାଇଟ୍ ଡାଟା ଅନୁସାରେ, ଦିଲ୍ଲୀରୁ ନ୍ୟୁୟର୍କ ମଧ୍ୟମରେ ବିମାନର ଇକୋନୋମି କ୍ଲାସ୍ରେ ଜୁଲାଇରେ ଭଡ଼ା ୬୯,୦୩୪ ଟଙ୍କାରୁ ବୃଦ୍ଧି ପାଇ ଅଗଷ୍ଟରେ ୮୭,୫୪୨ ଟଙ୍କାରେ ପହଞ୍ଚିଛି। ମୁମ୍ବାଇ-ମସ୍କୋ ଏବଂ ମୁମ୍ବାଇ-ଦୋହା ମଧ୍ୟରେ ବିମାନ ଯାତ୍ରା ପାଇଁ ଭଡ଼ା ଜୁଲାଇ ମାସରେ ୪୩,୧୩୨ ଏବଂ ୧୧୭୧୯ ଟଙ୍କା ଥିଲା। ଯାହାକି ଅଗଷ୍ଟ ମାସରେ ବଢ଼ି ଯଥାକ୍ରମେ ୮୫,୦୨୪ ଏବଂ ୧୮,୩୮୪ ଟଙ୍କାରେ ପହଞ୍ଚିଛି।
ନିକଟରେ ଅନେକ ଦେଶ ଭାରତୀୟ ଯାତ୍ରୀଙ୍କ ପାଇଁ ଆଗମନ ପାଇଁ ଅନୁମତି ଦେଇଛନ୍ତି। ଯେଉଁଥିପାଇଁ ଡିମାଣ୍ଡ ବଢ଼ିଛି ଏବଂ ଏହାକୁ ନଜରରେ ରଖି ବିମାନ ଭଡ଼ା ମଧ୍ୟ ବୃଦ୍ଧି ପାଇଛି ବୋଲି ଇଜମାଇଟ୍ରିପ୍ର ସିଇଓ ନିଶାନ୍ତ ପତ୍ତି କହିଛନ୍ତି। ଏହା ବ୍ୟତୀତ ଇନ୍ଧନ ଦାମରେ ବୃଦ୍ଧି ଏବଂ ସିଟ୍ ଉପଲବ୍ଧତା ହ୍ରାସ କରଣରୁ ମଧ୍ୟ ବିମାନ ଭଡ଼ା ବଢ଼ିଛି । ଭାରତ ଏବଂ ବ୍ରିଟେନ ମଧ୍ୟରେ ଯାତ୍ରା ଅତ୍ୟଧିକ ମହଙ୍ଗା ହୋଇଛି । ଏହାକୁ ନେଇ ଯାତ୍ରୀମାନେ ସୋସିଆଲ ମିଡିଆ ମାଧ୍ୟମରେ ଅଭିଯୋଗ କରୁଛନ୍ତି।
୨୬ ଅଗଷ୍ଟରେ ଦିଲ୍ଲୀରୁ-ବ୍ରିଟେନ୍ ବ୍ରିଟିଶ୍ ଏୟାରଓ୍ବେଜ୍ରେ ଇକୋନୋମି କ୍ଲାସ୍ ଭଡ଼ା ଥିଲା ୩.୯୫ ଲକ୍ଷ ଟଙ୍କା । ଏନେଇ ଗୃହମନ୍ତ୍ରାଳୟର ସଚିବ ସଞ୍ଜିବ ଗୁପ୍ତା ଶନିବାର ଟ୍ବିଟ୍ କରି ସୂଚନା ଦେଇଥିଲେ। ସେହି ଦିନ ବିସ୍ତାରା ଏୟାରଲାଇନ୍ସର ଭଡ଼ା ୧.୨ ଲକ୍ଷ ଟଙ୍କା ଥିବା ବେଳେ ଏୟାର ଇଣ୍ଡିଆର ଭଡ଼ା ୨.୩ ଲକ୍ଷ ଟଙ୍କା ଥିଲା ବୋଲି ମଧ୍ୟ ସେ ଲେଖିଥିଲେ ।